ଯୁବକଙ୍କୁ ପିଟି ପିଟି ହତ୍ୟା!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁର ନୂଆଗାଁରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ଗୋଟିଏ ପରିବାରର ତିନି ଭାଇଙ୍କ ସଂଘବଦ୍ଧ ଆକ୍ରମଣରେ ସେଇ ଗାଁର ଜଣେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗତ ରାତିରେ ଯୁବକଙ୍କୁ ବାନ୍ଧି ପକାଇ ନିର୍ଘାତ ମାଡ଼ ମରାଯାଇଥିଲା । ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ପୁଲିସ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ନାଉଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏହି ଘଟଣାରେ ପୁଲିସର ଅବହେଳାକୁ ନେଇ ମଧ୍ୟ ଅଞ୍ଚଳରେ ପ୍ରଶ୍ନ ଉଠିଛି । ଆହତଙ୍କୁ ପ୍ରଥମେ ଡାକ୍ତରଖାନା ପଠାନଯାଇ ଥାନାକୁ ନିଆଯାଇଥିବା ଗୁଞ୍ଜରଣ ଖେଳୁଛି । ଥାନାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ପୁଲିସ ନାଉଗାଁ ଡାକ୍ତରଖାନାକୁ ଆଣିଥିବା ଚର୍ଚ୍ଚା ହେଉଛି । ତେବେ ପୁଲିସ ଏ ସବୁ ଚର୍ଚ୍ଚାକୁ ଅମୂଳକ ବୋଲି କହିଛି । ତାଙ୍କୁ ପ୍ରଥମରୁ ହିଁ ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଭାବେ ଏଠାରେ ତାଙ୍କର ଚିକିତ୍ସା ହୋଇଥିଲା । ଆଜି ସକାଳୁ ଯୁବକଙ୍କ ମୃତ୍ୟୁ ଘଟିଥିବା ନାଉଗାଁ ଥାନାଧିକାରିଣୀ ପ୍ରଜ୍ଞା ରୀତାମ୍ବର କର ସୂଚନା ଦେଇଛନ୍ତି ।
ପୂର୍ବ ଶତ୍ରୁତାକୁ ନେଇ ଗତକାଲି ରାତିରେ ନୂଆଗାଁ ଗ୍ରାମରେ ଏଭଳି ଗଣ୍ଡଗୋଳ ହୋଇଥିଲା । ଯେଉଁଥିରେ ହତ୍ୟାର ଶିକାର ହୋଇଥିଲେ ସେଇ ଗ୍ରାମର ବନ୍ଦନ ମହାନ୍ତି(୨୮) । ପୁଲିସ ସୂଚନା ମୁତାବକ, ଗତକାଲି ରାତି ୧୦ଟା ପରେ ବନ୍ଦନ ନାଉଗାଁ ବଜାରରେ ଜଣେ ପରିବା ବେପାରୀଙ୍କୁ କିଛି କାରଣ ନଥାଇ ମାଡ଼ ମାରିଥିଲେ । ପରେ ସେ ନିଜ ଗାଁ ନୂଆଗାଁକୁ ଚାଲି ଯାଇଥିଲେ । ହେଲେ ବିଳମ୍ବିତ ରାତି (ପାଖାପାଖି ରାତି ୧୨ଟା ହେବ)ରେ ବନ୍ଦନ ପାନ, ସିଗାରେଟ୍ ପାଇଁ ଗ୍ରାମରେ ଥିବା ତାପସ ନାୟକଙ୍କ ଦୋକାନକୁ ଯାଇଥିଲେ । ତେବେ ଏତେ ରାତିରେ ଦୋକାନ ଖୋଲି ପାନ, ସିଗାରେଟ୍ ଦେଇ ହେବ ନାହିଁ ବୋଲି ତାପସ କହିଥିଲେ । ଏହି କଥାକୁ ନେଇ ବନ୍ଦନ ସେଠାରେ ଗଣ୍ଡଗୋଳ କରିଥିଲେ । ଏମିତିକି ନିଜ ପାଖରେ ଲୁଚାଇ ରଖିଥିବା ଏକ ପାଇପ୍ ଓ ଫାର୍ସାରେ ବନ୍ଦନ ପ୍ରଥମେ ଆକ୍ରମଣ କରିଥିଲେ । ପାଇପ୍ ମାଡ଼ରେ ତାପସ ଆହତ ହୋଇଥିଲେ । କଥା ମାର୍ପିଟ୍, ହଣାକଟା ପର୍ଯ୍ୟନ୍ତ ଚାଲି ଯାଇଥିବାରୁ ତାପସଙ୍କ ଅନ୍ୟ ଦୁଇ ଭାଇ ଆଶୁତୋଷ ଓ ଅବିନାଶ ଘଟଣାସ୍ଥଳରେ ପହଞ୍ଚି ବନ୍ଦନଙ୍କୁ ବିରୋଧ କରିଥିଲେ । କିନ୍ତୁ ରାଗରେ ରକ୍ତମୁଖା ପାଲଟିଥିବା ଓ ହାତରେ ମାରଣାସ୍ତ୍ର ଥିବା ବନ୍ଦନ ଫାର୍ସାରେ ଆଶୁତୋଷଙ୍କୁ ଚୋଟ ପକାଇଥିଲେ । ଏହା ପରେ ତିନି ଭାଇ ମିଶି ବନ୍ଦନଙ୍କୁ ଘଟଣାସ୍ଥଳରେ ବାନ୍ଧି ପକାଇ ନିସ୍ତୁକ ପିଟିଥିଲେ ।
ପରେ ଆଶୁତୋଷଙ୍କ ପରିବାର ପକ୍ଷରୁ ପଞ୍ଚାୟତର କିଛି ମୁରବିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଯେହେତୁ ମାର୍ପିଟ୍ କଥା ତେଣୁ ମୁରବିମାନେ ପୁଲିସକୁ ଖବର ଦେବାକୁ ପରାମର୍ଶ ଦେଇଥିଲେ । ମୁରବିଙ୍କ ପରାମର୍ଶକ୍ରମେ ତିନି ଭାଇ ଖବର ଥାନାକୁ ଜଣାଇଥିଲେ । ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବନ୍ଧା ହୋଇ ପଡ଼ିଥିବା ବନ୍ଦନଙ୍କୁ ଉଦ୍ଧାର କରି ନେଇ ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଆଜି ସକାଳୁ ବନ୍ଦନଙ୍କ ମୃତ୍ୟୁ ଘଟିବା ଖବର ପ୍ରଘଟ ହେବା ପରେ ଅଞ୍ଚଳରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି । ଏପଟେ ପୁଲିସ ତନାଘନା କରି ଆକ୍ରମଣକାରୀ ତିନି ଭାଇଙ୍କ ଭିତରୁ ତାପସଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଭାଇ ଫେରାର ହୋଇଯାଇଛନ୍ତି ।
ଅପରପକ୍ଷେ ଏବେଯାଏ ଏହି ହତ୍ୟାକାଣ୍ଡ ନେଇ ଥାନାରେ ବିଧିବଦ୍ଧ ଭାବେ ଏତଲା ଦାଏର୍ ହୋଇନାହିଁ । କାରଣ ବନ୍ଦନଙ୍କ ପରିବାର ଲୋକେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବରଗଡ଼ ଯାଇଛନ୍ତି । ପୁଲିସ ବରଗଡ଼କୁ ଖବର ଦେବା ପରେ ମୃତ ବନ୍ଦନଙ୍କ ବାପା, ମା’ ଫେରୁଥିବା ଜଣାପଡ଼ିଛି । ଏପଟେ ସାଧାରଣ ନିର୍ବାଚନ ପରେ ଏହା ନାଉଗାଁ ଅଞ୍ଚଳର ପ୍ରଥମ ହତ୍ୟାକାଣ୍ଡ ବୋଲି କୁହାଯାଉଛି, ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଗୋଟିଏ ରାଜନୈତିକ ଦଳ ହତ୍ୟାକାଣ୍ଡ ପଛରେ ପୁଲିସର ଅବହେଳାକୁ ଦାୟୀ କରିଛି । ସଂପ୍ରତି ପୁଲିସ ଫେରାର ଥିବା ଅନ୍ୟ ଦୁଇ ଭାଇଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ଦିଗରେ ଅନୁଧ୍ୟାନ ଚଳାଇଛି । ବନ୍ଦନଙ୍କ ଦେହର ବହୁ ଅଂଶ ମାଡ଼ରେ ସିଝି ଯାଇଥିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ସେଭଳି କିଛି ଗଭୀର ଆଘାତ ଦେହରେ ନଥିବା କୁହାଯାଉଛି । ତେଣୁ ଚିକିତ୍ସା ଜନିତ ଅବହେଳାରୁ ମଧ୍ୟ ବନ୍ଦନଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons