ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ବ୍ଲକ୍ ତଥା ପୁରୁଣାକୋଟ ଥାନା ଅନ୍ତର୍ଗତ ଜଗନ୍ନାଥପୁର-ଟାଇଁସି ରାସ୍ତାର ବରପାହାଡ଼ ନିକଟସ୍ଥ ସୋରିଷପାଳ ଜଙ୍ଗଲରୁ ରବିବାର ଅପରାହ୍ଣରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପୁଲିସ ଜବତ କରିଛି । ଶବ ପଚିସଢ଼ି ଯାଇଥିବା ବେଳେ ୩/୪ ଦିନ ତଳୁ ତାଙ୍କର ମୃତୁ୍ୟ ହୋଇଥିବା ଅନୁମାନ କରାଯାଉଛି । ତାଙ୍କର ପରିଚୟ ଜଣାପଡ଼ିନାହିଁ । ସନ୍ଧ୍ୟାରେ ପୁରୁଣାକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି । ଯୁବତୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଜଙ୍ଗଲରେ ଫୋପାଡ଼ି ଦେଇଥିବା ପାରିପାଶ୍ୱିର୍କ ପରିସ୍ଥିତିରୁ ସନେ୍ଦହ କରାଯାଉଛି ।
ପ୍ରକାଶ ଯେ, ରବିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ବରପାହାଡ଼ ଜଙ୍ଗଲରୁ ଗୋରୁ ଚରାଇ କିଛି ଗାଈଆଳ ଘରକୁ ଫେରୁଥିବା ବେଳେ ଜଙ୍ଗଲରେ ଗଳିତ ଶବ ଠାବ କରିଥିଲେ । ରାସ୍ତାରୁ ପ୍ରାୟ ୨ ଶହ ମିଟର ଦୂର ଜଙ୍ଗଲରେ ଶବ ପଡ଼ିଥିଲା । ପାଖରେ ଜୋତା, ପର୍ସ୍ ଆଦି ପଡ଼ିଥିବା ଦେଖାଯାଇଥିଲା । ହେଲେ ତାଙ୍କର ପରିଚୟ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକ ଏ ନେଇ ପୁରୁଣାକୋଟ ଥାନା ଅଧିକାରୀ ବିଜୟ କୁମାର ଜୟପୁରିଆ, ଅନୁଗୁଳ ଉପଖଣ୍ଡ ପୁଲିସ ଅଧିକାରୀ ଅଶ୍ୱିନୀ କୁମାର ସାହୁଙ୍କୁ ଜଣାଇଥିଲେ । ସନ୍ଧ୍ୟାରେ ପୁଲିସ ଜଙ୍ଗଲରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି । ପାଖରେ ଏକ କାଠଖଣ୍ଡରେ ରକ୍ତଛିଟା ଲାଗିଥିବା ବେଳେ ଜୋତା, ଭାନିଟି ବ୍ୟାଗ୍ ପଡ଼ିଛି । କେହି ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଡାକି ନେଇ ହତ୍ୟା କରିଥିବା ଆଶଙ୍କା କରାଯାଇଛି । ବଳାକ୍ରାର ହୋଇଛି କି ନା, ଶବ ପଞ୍ଚନାମା ଓ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟପକ୍ଷରେ ପୁରୁଣାକୋଟ ଥାନା କରଡ଼ାପଡ଼ା ଗ୍ରାମର ଜଣେ ଯୁବତୀ ଚାରି ଦିନ ତଳୁ ନିଖୋଜ ଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ରିପୋର୍ଟ୍ ହୋଇଥିଲା । ପୁଲିସ ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କୁ ଡକାଇ ଶବ ଚିହ୍ନଟ ପାଇଁ ଉଦ୍ୟମ ଚଳାଇଛି ।
Comments are closed, but trackbacks and pingbacks are open.