ପୁରୀ,(ବି.ବି.ବ୍ୟୁରୋ): ଯୋରଦାର ଚାଲିଛି ରଥ ନିର୍ମାଣ କାମ । ବୁଧବାର ରଥ ଦଣ୍ଡାର ଫ୍ରେମ୍ ପ୍ରସ୍ତୁତ ହୋଇଯାଇଛି । ଗତକାଲି ୫ ଦଣ୍ଡାରେ ଆଗପଛ ଦୁଇଟି ମୁହାଁଟ ଲାଗି ନିରାଡ଼ି ଉଠିଥିଲା । ଆଜି କୁଡ଼ୁକା ଲଗାଯାଇ ପାଶ୍ୱର୍ ଦଣ୍ଡା ସଂଯୁକ୍ତ ହୋଇଛି । ଦଣ୍ଡାର ଅପର ଦୁଇ ପାଶ୍ୱର୍ରେ ଲାଗିଛି ପାଶ୍ୱର୍ ମୁହାଁଟ । ପରେ ଜଳଯନ୍ତ୍ର ଓ ଗୁଜ ଲାଗି ନିରାଡ଼ି ଉଠିଯାଇଛି । ଏଥିସହିତ ତୀଖଗୁଜ ଓ ଅଂଶୁଆରୀକୁ ମଧ୍ୟ ସେଟିଂ କରାଯାଇଛି । ମାପଚୁପ ହୋଇ ସବୁ କାଠରେ ଚିହ୍ନ ଦିଆଯାଇଥିଲା । ସେହି ଅନୁସାରେ ଅଂଶୁଆରୀ ଓ ତୀଖଗୁଜରେ ସାଲ କରାଯାଇ ଦଣ୍ଡାରେ ବିନ୍ଧ କରାଯାଇ ଫିଟିଂ କରାଯାଉଛି । ରଥରେ ଏସବୁ ଫିଟିଂ ହେଲାପରେ ଗୟଳ ଲାଗିବ । ପାରମ୍ପରିକ ମାପ ଅନୁସାରେ ବିଶ୍ୱକର୍ମାମାନେ ଏହି କାମ କରିଛନ୍ତି ।
ନିର୍ମାଣକାରୀଙ୍କ ଅନୁସାରେ ରଥର ଚେଚିସ୍ ଆଜି ପ୍ରସ୍ତୁତ ହୋଇଯାଇଛି । ଦଣ୍ଡା ଫ୍ରେମ୍ଟି ହେଉଛି ଚେଚିସ୍ । ପୂର୍ବରୁ ମୁଖ୍ୟ ପାଞ୍ଚ ଦଣ୍ଡା ସହିତ ଲାଗିଥିଲା ମୁହାଁଟ । ଆଗ ଓ ପଛ ମୁହାଁଟରେ ପୋତା ହୋଇଥିଲା ୫ଗୋଟି ଗୁଜ । ୫ ଗୁଜ ଉପରେ ନିରାଡ଼ି ଉଠିଥିଲା । ଆଜି ଦଣ୍ଡାର ପାଶ୍ୱର୍ ଛାଞ୍ଚ କାର୍ଯ୍ୟ କରାଯାଇଥିଲା । ୫ଦଣ୍ଡାର ଉଭୟ ପାଶ୍ୱର୍ରେ କୁଡ଼ୁକା ସ୍ଥାପନ କରାଯାଇଛି । ଚତୁଃପାଶ୍ୱର୍ରେ ୧୨ ଗୋଟି କୁଡ଼ୁକା ଲାଗିଛି । ସେଥିରେ ପାଶ୍ୱର୍ ଦଣ୍ଡା ଲାଗିଛି । ପରେ ପାଶ୍ୱର୍ ମୁହାଁଟ ସ୍ଥାପନ କରାଯାଇଛି । ପାଶ୍ୱର୍ ମୁହାଁଟରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ କରାଯାଇ ତା’ଉପରେ ନିରାଡ଼ି ସ୍ଥାପନ କରାଯାଇଛି । ପ୍ରତି ରଥରେ ୯ଗୋଟି ଲେଖାଏଁ ଜଳଯନ୍ତ୍ର ଲଗାଯାଇଛି । ପୁରା ଫ୍ରେମ୍ର ଚତୁଃପାଶ୍ୱର୍ରେ ୪ଗୋଟି ନିରାଡ଼ ଲାଗିଛି । ଭୋଇ ସେବକ ଓ ବିଶ୍ୱକର୍ମାମାନେ ଏହି କାର୍ଯ୍ୟ ସମାପନ କରିଛନ୍ତି । ରଥଖଳାରେ ଚାରି ନାହାକା ପାଇଁ ୨୦ଫୁଟିଆ କାଠ ଯୋଗା ଯାଇଥିବା କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ ।
ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଟି ଲେଖାଏଁ ଦଣ୍ଡା ଲାଗିଛି । କିନ୍ତୁ ଦେବଦଳନରେ ୭ ଦଣ୍ଡା ଲଗାଯାଇଛି । ତିନି ରଥରେ ସମାନୁପାତିକ ଭାବେ ଚାଲିଛି କାର୍ଯ୍ୟ । ଦଣ୍ଡା ଫ୍ରେମ୍ ସମ୍ପୂର୍ଣ୍ଣ ହେଲାପରେ ଖୋଲି ଦିଆଯିବ । ନମ୍ବରିଂ ଅନୁସାରେ ପୁଣି ରଥରେ ଖଞ୍ଜାଯିବ । ଆଗକୁ ଚକ-ଅଖ ଥାକ ହେଲାପରେ ଦଣ୍ଡା ପଡ଼ିବ ବୋଲି ନିର୍ମାଣକାରୀମାନେ ସୂଚନା ଦେଇଛନ୍ତି । ଓଝା ସେବକମାନେ ଲୁହା ସାମଗ୍ରୀ ପ୍ରସ୍ତୁତ କରି ସାଇତି ରଖୁଛନ୍ତି । ପୁଣି ଆବଶ୍ୟକତା ଅନୁସାରେ ରଥଖଳାକୁ ଯୋଗାଉଛନ୍ତି । ରଥଖଳାରେ ଗୟଳ ଓ ଧମକ ପ୍ରସ୍ତୁତି ଚାଲିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ରଥ କାର୍ଯ୍ୟରେ ବିଶ୍ୱକର୍ମାଙ୍କୁ ସହଯୋଗ କରୁଛନ୍ତି । ଦୋଳବେଦି ପରିସରରେ କରତି ସେବକ କାଠ ଚିରଟରେ ଲାଗିଛନ୍ତି ।
Comments are closed, but trackbacks and pingbacks are open.