ରଥଯାତ୍ରା ସିଧା ପ୍ରସାରଣ ନିଲାମ ବିଜ୍ଞପ୍ତି ବାତିଲ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଜାରି ଟେଣ୍ଡର ବିଜ୍ଞପ୍ତିକୁ ବାତିଲ କରାଯାଇଛି । ସବୁ ମହଲରୁ ବିରୋଧ ପରେ ଶ୍ରୀମନ୍ଦିର ପ୍ରଶାସନ ମଙ୍ଗଳବାର ଏହି ବିଜ୍ଞପ୍ତି ବାତିଲ କରିଦେଇଛି । ଏବେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା, ନୀଳାଦ୍ରି ବିଜେ ସିଧା ପ୍ରସାରଣ ସବୁ ଟିଭି ଚ୍ୟାନେଲ୍ କରିପାରିବେ । ଆସନ୍ତା ଜୁଲାଇ ୪ ତାରିଖରେ ଶ୍ରୀଜୀଉଙ୍କ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସିଧା ପ୍ରସାରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚ୍ୟାନେଲ୍ଗୁଡ଼ିକ ପାଇଁ କେତେକ ସର୍ତ୍ତ ରଖିଛି । ସର୍ତ୍ତ ଅନୁଯାୟୀ ଯେଉଁ ଚ୍ୟାନେଲ୍ଗୁଡ଼ିକ ରଥଯାତ୍ରାର ସିଧା ପ୍ରସାରଣ ବେଳେ ବିଜ୍ଞାପନ ପ୍ରସାରଣ କରିବେ ସେମାନେ ଶ୍ରୀମନ୍ଦିର ପାଣ୍ଠିକୁ ଅର୍ଥ ପ୍ରଦାନ କରିବେ । ଯେଉଁ ଚ୍ୟାନେଲ୍ ବିଜ୍ଞାପନ ପ୍ରସାରଣ କରିବେ ନାହିଁ ସେମାନଙ୍କୁ କିଛି ଅର୍ଥ ଦେବାକୁ ପଡ଼ିବ ନାହିଁ । ଏ ନେଇ ଚ୍ୟାନେଲ୍ ମାଲିକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ । ଦିନେ ଦୁଇଦିନ ମଧ୍ୟରେ ଏହି ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ସିଧାପ୍ରସାରଣର ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପାଣ୍ଠି ଶ୍ରୀମନ୍ଦିର ଉନ୍ନୟନ କାର୍ଯ୍ୟରେ ବ୍ୟବହାର ହୋଇଥାନ୍ତା । ଆଜି ପରିଚାଳନା କମିଟି ବୈଠକରେ ସିଧା ପ୍ରସାରଣ ଅଧିକାର ସବୁ ଚ୍ୟାନେଲ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖାଯାଇଛି ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ସିଧାପ୍ରସାରଣ ଟେଣ୍ଡର ଉପରେ ପ୍ରଥମେ ପ୍ରଶ୍ନ ଉଠାଇଥିଲେ । ମହାପ୍ରଭୁଙ୍କ ମହିମା ପ୍ରଚାର ପ୍ରସାରରେ ଏହା ବାଧକ ହେବ ବୋଲି ଗଜପତି କହିଥିଲେ । ଜବାବରେ ମୁଖ୍ୟ ପ୍ରଶାସକ ବୈଠକକୁ ଅବଗତ କରାଇଥିଲେ ଯେ ରଥଯାତ୍ରା ସିଧା ପ୍ରସାରଣରେ କିଏ କେତେ ବିଜ୍ଞାପନ ବାବଦ ଅର୍ଥ ଅର୍ଜନ କରୁଛନ୍ତି ତାହା ଜାଣିବାକୁ ଏଭଳି ଟେଣ୍ଡର ଆହ୍ୱାନ କରାଯାଇଥିଲା ।
ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଘୋଷଯାତ୍ରା ବିଧିକୁ ଟିଭି ଚ୍ୟାନେଲ୍ଗୁଡ଼ିକ ସିଧା ପ୍ରସାରଣ କରି ବିପୁଳ ରାଜସ୍ୱ ଆୟ କରିଥାନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏଥିରୁ କାଣିଚାଏ ଲାଭ ପାଇ ନ ଥାଏ । ତେଣୁ ପ୍ରଶାସନ ସିଧା ପ୍ରସାରଣର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ନିଷ୍ପତ୍ତିକୁ ସବୁ ମହଲରୁ ବିରୋଧ କରାଯାଇଥିଲା । ଭକ୍ତଙ୍କ ଧାର୍ମିକ ଭାବନାକୁ ବ୍ୟବସାୟ ନ କରିବା ପାଇଁ ଦାବି ହୋଇଥିଲା । ପୁରୀ ତିଆଡ଼ି ସାହିର ସମାଜସେବୀ ତଥା ପୁରୀ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ ସୋମବାର ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ।
ଚଳିତ ବର୍ଷର ରଥଯାତ୍ରାର ସିଧା ପ୍ରସାରଣ ଅଧକାର ହାସଲ ପାଇଁ ୭ଟି ଟିଭି ଚ୍ୟାନେଲ୍ ଟେଣ୍ଡର ପକାଇଥିଲେ । ସୋମବାର ଟେଣ୍ଡର ଖୋଲାଯାଇଥିଲେ ହେଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନ ଥିଲା ।
ଉଲ୍ଲେଖଯୋଗ୍ୟ ଯେ, ରଥଯାତ୍ରା ସିଧାପ୍ରସାରଣ ପାଇଁ ଟେଣ୍ଡର ଆହ୍ୱାନ ନୂଆ ନୁହେଁ । ପୂର୍ବରୁ ୨୦୧୧ରେ ତ+ାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର ଏ ନେଇ ଟେଣ୍ଡର ପ୍ରକାଶ କରିଥିଲେ । ସେତେବେଳେ ବଡ଼ଦେଉଳ ସେବାୟତମାନେ ଏହାକୁ ବିରୋଧ କରିବାରୁ ବିଜ୍ଞପ୍ତି ବାତିଲ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons