ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ୪ ବର୍ଷ ହେବ ପଶ୍ଚିମବଙ୍ଗ ସହ ଲାଗି ରହିଥିବା ଲଢ଼େଇର ଅନ୍ତ ଘଟିଛି । ‘ଓଡ଼ିଶା ରସଗୋଲା’କୁ ମିଳିଛି ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେସନ) ମାନ୍ୟତା । ରସଗୋଲାର ଉତ୍ପତ୍ତି ସ୍ଥଳ ଓଡ଼ିଶା ବୋଲି ଚେନ୍ନାଇସ୍ଥିତ ଭାରତ ସରକାରଙ୍କ ବୌଦ୍ଧିକ ସମ୍ପଦ ପଞ୍ଜୀକରଣ ସଂସ୍ଥା ମାନ୍ୟତା ପ୍ରଦାନ କରିଛି । ଆମ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ରସଗୋଲାକୁ ଏ ପ୍ରମାଣପତ୍ର ମିଳିଛି ନିଳାଦ୍ରୀବିଜେର ଠିକ୍ ଦୁଇ ସପ୍ତାହ ପରେ । ଏ ଖବର ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ବେଶ୍ ଆନନ୍ଦ ପ୍ରକାଶ ପାଇଛି ।
ରସଗୋଲା ଉତ୍ପତ୍ତିର ଇତିହାସ ଓଡ଼ିଶାରେ ବହୁ ପ୍ରାଚୀନ । ଏହାକୁ ଜିଆଇ ମାନ୍ୟତା ଦେବାକୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିର ଆବେଦନକୁ ବିଚାର କରି ବୌଦ୍ଧିକ ସମ୍ପଦ ପଞ୍ଜୀକରଣ ସଂସ୍ଥା ପ୍ରମାଣପତ୍ର ଦେଇଛି । ଓଡ଼ିଶା ରସଗୋଲାର ପ୍ରସ୍ତୁତି ଯେମିତି ଭିନ୍ନ, ଠିକ ସେମିତି ସ୍ୱାଦ ମଧ୍ୟ ଭିନ୍ନ । ଏବେ ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ପରେ ଏହା ବିଦେଶକୁ ରପ୍ତାନୀ କରିବା ସହଜ ଓ ସୁଗମ ହେବ । ଏହା ଆମ ରାଜ୍ୟର ରସଗୋଲା ବ୍ୟବସାୟୀଙ୍କ ସହ ଛେନା ଉତ୍ପାଦନକାରୀ ଚାଷୀଙ୍କ ଆର୍ଥିକ ବିକାଶରେ ମଧ୍ୟ ବେଶ ସହଯୋଗ କରିବ ।
ଆମ ରସଗୋଲାକୁ ନିଜର ଦର୍ଶାଇବାକୁ ପଶ୍ଚିମବଙ୍ଗ ସୁଚିନ୍ତିତ ଭାବେ ଷଡ଼ଯନ୍ତ୍ର କରି ୨୦୧୫ରୁ ଜିଆଇ ଟ୍ୟାଗ ପାଇବାକୁ ଉଦ୍ୟମ କରିଥିଲା । ନିଜ ଉଦ୍ୟମରେ ମଧ୍ୟ ପଶ୍ଚିମବଙ୍ଗ ସରକାର ସଫଳ ହେଲେ । ୨୦୧୭ ନଭେମ୍ବର ୧୪ରେ ପଶ୍ଚିମବଙ୍ଗ ‘ବାଙ୍ଗଲାର ରସଗୋଲା’ ନାମରେ ଜିଆଇ ଟ୍ୟାଗ ପାଇବା ପରେ ଓଡ଼ିଶା ସରକାର ନିଜ ଉଦ୍ୟମକୁ ଜୋରଦାର କରିଥିଲେ । ଯାହାର ସୁଫଳ ମିଳିବା ସହ ଆମ ବୌଦ୍ଧିକ ସମ୍ପଦକୁ ଜିଆଇ ତାଲିକାଭୁକ୍ତ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରୁ ଉତ୍ପତ୍ତି ହୋଇଥିବା “ରସଗୋଲା’କୁ ନିଜର ଦର୍ଶାଇବାକୁ ପଶ୍ଚିମବଙ୍ଗ ୨୦୧୫ ଅଗଷ୍ଟ ମାସରେ ଉଦ୍ୟମ ଆରମ୍ଭ କଲେ । ବିଧାନସଭାରେ ସେହିବର୍ଷ ଅଗଷ୍ଟ ୨୭ରେ ଏବେର ମନ୍ତ୍ରୀ ତଥା ତକ୍ରାଳୀନ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପ୍ରସଙ୍ଗ ଉଠାଇ ସରକାର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ଚେତା ପଶିଥିଲା । ଜିଆଇ ଟ୍ୟାଗ ପାଇଁ ପଶ୍ଚିମବଙ୍ଗ ଭଳି ଲଢ଼େଇକୁ ଓଡ଼ିଶା ସରକାର ଲମ୍ଫ ମାରିବାକୁ ନିଷ୍ପତ୍ତି ନେଲେ । ପଶ୍ଚିମବଙ୍ଗ ସରକାର ରସଗୋଲାର ଜିଆଇ ଷ୍ଟାଟସ (ଉତ୍ପତ୍ତି ସ୍ଥଳ) ପାଇଁ ଆବେଦନ କରିବା ପରେ ଆମ ସରକାର ବଙ୍ଗଳାକୁ ଟକ୍କର ଦେବାକୁ ଯୁକ୍ତିନିଷ୍ଠ ପ୍ରମାଣ ସଂଗ୍ରହ ପାଇଁ ୩ଟି କମିଟି ଗଠନ କଲେ । ମାତ୍ର ଯେତିକି ବ୍ୟଗ୍ରତା ପ୍ରଦର୍ଶନ କରିବା କଥା କଲେନି । ପ୍ରଥମ ବୈଠକ ବସିବାକୁ ଲାଗିଗଲା ୩ ମାସ । କମିଟିର ଅନ୍ତରୀଣ ରିପୋର୍ଟ ପାଇବା ପରେ ପୁଣି ସରକାର ଶୋଇଗଲେ । ଆନ୍ତରିକତା ଦେଖାଇଲେନି । ପ୍ରାୟ ଦୁଇବର୍ଷ ହାତରୁ ଚାଲିଗଲା । ପଶ୍ଚିମବଙ୍ଗ ଜିଆଇ ମାନ୍ୟତା ପାଇବା ପରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାର ୨୦୧୭ ଶେଷ ବେଳକୁ ଟିକେ ଚେତିଲେ । ସବୁ ମହଲରୁ ସମାଲୋଚନାର ଶିକାର ହୋଇ ସରକାର ୨୦୧୮ ଫେବ୍ରୁଆରୀ ୨୩ ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ରସଗୋଲାର ଜିଆଇ ମାନ୍ୟତା ପାଇଁ ଆବେଦନ କଲେ । ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ମଧ୍ୟ ଆଉ ଏକ ଆବେଦନ କରିଥିଲେ । ଏ ଆବେଦନ ସହ ଯୁକ୍ତିନିଷ୍ଠ ପ୍ରମାଣପତ୍ର, ନଥି ଓ ଦସ୍ତାବିଜ୍ ଦାଖଲ କରାଯାଇଥିଲା । ଏହାକୁ ବିଚାର କରି ଆଜି ଜିଆଇ ମାନ୍ୟତା ପ୍ରଦାନ କରିଛି ବୌଦ୍ଧିକ ସମ୍ପତ୍ତି କାର୍ଯ୍ୟାଳୟ(ଇଣ୍ଟଲେକ୍ଚୁଆଲ ପ୍ରପର୍ଟି ଅଫିସ) ।
ଆମ ସଂସ୍କୃତି ସହ ‘ରସଗୋଲା’ର ରହିଛି ନିବିଡ଼ ସଂପର୍କ । ଶ୍ରୀ ଜଗନ୍ନାଥଙ୍କ ‘ନିଳାଦ୍ରୀ ବିଜେ’ ସମୟରେ ମହାପ୍ରଭୁ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରନ୍ତି । ବଳରାମ ଦାସଙ୍କ ଦ୍ୱାରା ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆରେ ଲିଖିତ ‘ଦାଣ୍ଡି ରାମାୟଣ’ର ଅଯୋଧ୍ୟାକାଣ୍ଡରେ ରସଗୋଲା ସଂପର୍କରେ ବର୍ଣ୍ଣନା ଅଛି । ରାମଚନ୍ଦ୍ର ବନବାସରେ ଥିବା ବେଳେ ତାଙ୍କୁ ଫେରାଇ ଆଣିବାକୁ ଭାଇ ଭରତ ଓ ଶତ୍ରୁଘ୍ନ ଯିବା ବେଳେ ଋଷି ଭରଦ୍ୱାଜଙ୍କ ଆତିଥ୍ୟ ଗ୍ରହଣ କରିଥିଲେ । ସେଠାରେ ତାଙ୍କୁ ଛେନାରେ ପ୍ରସ୍ତୁତ ରସଗୋଲା ଅର୍ପଣ କରାଯାଇଥିଲା ।
ଏକ ନିର୍ଦ୍ଦିଷ୍ଟ ଜାତି କିମ୍ବା ସ୍ଥାନରେ ଉତ୍ପତ୍ତି ହୋଇଥିବା ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥାଏ । ଆଇନ ଅନୁସାରେ ଏକ ନିର୍ଦ୍ଦିଷ୍ଟ ରାଜ୍ୟ, ଅଞ୍ଚଳରେ ଉତ୍ପାଦିତ ସାମଗ୍ରୀକୁ ଟ୍ରେଡ୍ମାର୍କ ପ୍ରମାଣପତ୍ର ଭଳି ଜିଆଇ ପ୍ରମାଣପତ୍ର ଦିଆଯାଏ । ବଙ୍ଗାଳୀମାନେ ପୂର୍ବରୁ ଆମ ଭାଷା, ସଂସ୍କୃତି ଓ ପରମ୍ପରା ଉପରେ ଆକ୍ରମଣ କରୁଥିଲେ । ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରିବାକୁ ସଦାବଳେ ଉଦ୍ୟମ କରିଆସୁଥିଲେ । ରସଗୋଲାକୁ ନିଜର ବୋଲି ଦାବି କରିବା ସହ ସରକାରୀ ମାନ୍ୟତା ପାଇବାକୁ ବଙ୍ଗଳା ସରକାର ପୂରା ପ୍ରସ୍ତୁତି ଆରମ୍ଭ କରି ୨୦୧୫ ଅଗଷ୍ଟ ତୃତୀୟ ସପ୍ତାହରେ ବଙ୍ଗାଳୀମାନେ ପ୍ରଥମେ ସୋସିଆଲ ମିଡିଆରେ “ବାଙ୍ଗଲାର ରସଗୋଲା’ ବୋଲି ଯୁକ୍ତି ଆରମ୍ଭ କରିଦଲେ । ଓଡ଼ିଶାରୁ ଉତ୍ପାଦିତ ରସଗୋଲାକୁ ନିଜର ସାବ୍ୟସ୍ତ କରି ରସଗୋଲା ବଜାରରେ ଏକଚାଟିଆ ଆଧିପତ୍ୟ ବିସ୍ତାର କରିବା ସହ ନିଜକୁ ବ୍ରାଣ୍ଡିଂ କରିବାକୁ ପଶ୍ଚିମବଙ୍ଗ ସରକାର ଉଦ୍ୟମ ଚଳାଇଲେ । ଏବେ ଓଡ଼ିଶାକୁ ଏ ମାନ୍ୟତା ମିଳିବା ପରେ ଆମ ରାଜ୍ୟର ରସଗୋଲା ମଧ୍ୟ ବିଦେଶ ବଜାରରେ ବ୍ରାଣ୍ଡିଂ ହୋଇପାରିବ ।
Comments are closed, but trackbacks and pingbacks are open.