ନବରଙ୍ଗପୁର,(ବି.ବି.ନ୍ୟୁଜ୍): ନବରଙ୍ଗପୁର ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥ କଡ଼ରୁ ଜଣେ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଛି ଟାଉନ୍ ପୁଲିସ୍ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ତାଙ୍କ ତଣ୍ଟି କଟାଯାଇଥିବା ଏବଂ ପ୍ରବଳ ରକ୍ତସ୍ରାବ ହେଉଥିବାରୁ କୋରାପୁଟରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି । ଆହତ ଯୁବକଙ୍କ ନାଁ କ୍ଷୀରସିନ୍ଧୁ ଦହିର ଓ ତାଙ୍କ ବାପାଙ୍କ ନାଁ ଧନୁର୍ଜୟ ଦହିର, ଘର କଳାହାଣ୍ଡି ଜିଲ୍ଲା ମହିମା ଥାନା ଅନ୍ତର୍ଗତ ଘଣ୍ଟିଗୁଡା ଗାଁରେ ବୋଲି ପକେଟରେ ଥିବା ଆଧାର କାର୍ଡରୁ ଜଣାପଡିଛି । ଗୁରୁତର ଅବସ୍ଥାରେ ପଡ଼ିଥିବା ସମୟରେ ତାଙ୍କ ପାଖରୁ ଏକ ଛୁରୀ ଜବତ କରାଯାଇଛି । ତେବେ ସେ ନିଜେ ଛୁରୀରେ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ନା ତାଙ୍କୁ ତଣ୍ଟି କାଟି କେହି ହତ୍ୟା ଉଦ୍ୟମ କରିଛି, ତାହା ସ୍ପଷ୍ଟ ହୋଇନି । ପୁଲିସ୍ ଘଟଣାର ତଦନ୍ତ କରୁଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ଯୁବକ ଜଣଙ୍କ ଉପଜିଲ୍ଲାପାଳଙ୍କ ବାସଭବନ ନିକଟ ୨୬ ନଂ ଜାତୀୟ ରାଜପଥର ଫୁଟପାଥରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ । ସଂଗେ ସଂଗେ ପୁଲିସ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ପାଖରେ ପଡ଼ିଥିବା ରକ୍ତଭିଜା ଛୁରୀକୁ ଜବତ କରିଥିଲା । ଘଟଣାସ୍ଥଳଟି ଜନଗହଳିପୂର୍ଣ୍ଣ ହୋଇଥିବା ବେଳେ ଏତେବଡ଼ ଘଟଣା କେମିତି ଘଟିଲା ଏବଂ କେହି ଜାଣିପାରିଲେ ନାହିଁ, ତାକୁ ନେଇ ଚାଲିଛି ଅନୁସନ୍ଧାନ । ଥାନା ଆଇଆଇସି ତାରିକ ଅହମ୍ମଦ କହିଛନ୍ତି, ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରାଯାଇ ତଦନ୍ତ ଜାରି ରହିଛି ।
Comments are closed, but trackbacks and pingbacks are open.