ନବରଙ୍ଗପୁର: ରାଜ୍ୟସଭା ସଂସଦ ମୁନ୍ନା ଖାଁଙ୍କ ନୋଡାଲ ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ବାଦ୍ ପଡ଼ିଛି । ଏନେଇ କେନ୍ଦ୍ର ସରକାରଙ୍କ ସଚିବ ସୁଧା ମୀନା ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟସଭା ସାଂସଦ ମୁନ୍ନା ଖାଁ ତଥା ମୁଜିବୁଲ୍ଲା ଖାଁଙ୍କ ନୋଡାଲ ଜିଲ୍ଲା ହିସାବରେ ନବରଙ୍ଗପୁର ଜିଲ୍ଲା ଖୋର୍ଦ୍ଧା ଜିଲ୍ଲାକୁ ପରିବର୍ତ୍ତନ ହୋଇଛି । ମୁନ୍ନା ଖାଁ ରାଜ୍ୟସଭା ପାଣ୍ଠିର ବଳକା ଟଙ୍କାକୁ ଫେରସ୍ତ କରିବାକୁ ଚିଠିରେ କୁହାଯାଇଛି । ତେବେ ନିଜ ଜନ୍ମମାଟିର ବିକାଶ ପାଇଁ ମୁନ୍ନା ଖାଁ ନିଜ ଜିଲ୍ଲାକୁ ନୋଡାଲ ଜିଲ୍ଲା ଭାବେ ଚୟନ କରିଥିଲେ । କିନ୍ତୁ କେଉଁ ପରିସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାକୁ ନୋଡାଲ ଜିଲ୍ଲା ଭାବେ ଚୟନ କରାଗଲା ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପକ୍ଷରେ ଜିଲ୍ଲା ବିଜେଡିର ସଂଗଠନରେ ଫାଟ ଥିବା ଘଟଣା କିଛି ନୂଆ କଥା ନୁହେଁ । ଏପରିକି ରାଜ୍ୟସଭା ସାଂସଦ ଭାବେ ମୁନ୍ନା ଖାଁ ମନୋନୀତ ହେବା ପରେ ଜିଲ୍ଲାକୁ ପ୍ରଥମ ଗସ୍ତ ବେଳେ ସ୍ୱାଗତ କରିବାକୁ ତାଙ୍କ ସମର୍ଥକମାନେ ସହର ସାରା ପୋଷ୍ଟର ମାରିଥିଲେ । କିନ୍ତୁ ରାତାରାତି ସେଇ ପୋଷ୍ଟରକୁ ଚିରି ଦିଆଯାଇଥିଲା । ପୋଷ୍ଟର ଚିରା ଘଟଣା କୌଣସି ବିରୋଧୀ ଦଳର କାମ ନୁହେଁ ବୋଲି ସେତେ ବେଳେ ଜଣେ ବିଜେଡି କର୍ମୀ ସ୍ପଷ୍ଟ ଭାବେ କହିଥିଲେ । ସେହିଭଳି ରାଜ୍ୟସଭା ସାଂସଦ ହେବା ପରେ ମୁନ୍ନା ଖାଁ ନିଜର ପ୍ରତିନିଧି ଭାବେ ସମର୍ଥଙ୍କୁ ନିଯୁକ୍ତ କରିଥିଲେ । ଏହି ଘଟଣାକୁ ନେଇ ବିଜେଡି ସଂଗଠନରେ କିଛି ଦିନ ଧରି ଅସନ୍ତୋଷର ନିଅାଁ କୁହୁଳିଥିଲା । ଏବେ ମୁନ୍ନା ଖାଁ ନିଜ ଜିଲ୍ଲା ନବରଙ୍ଗପୁର ଜିଲ୍ଲାକୁ ଛାଡ଼ି ଖୋର୍ଦ୍ଧା ଜିଲ୍ଲାକୁ ନୋଡାଲ ଜିଲ୍ଲା ଭାବେ ଚୟନ କରିଥିବା ନେଇ ପୁଣି ଜିଲ୍ଲାରେ ଜୋର୍ ଚର୍ଚ୍ଚା ଧରିଛି । ଏହା ଦଳୀୟ ନିଷ୍ପତ୍ତି ନାଁ ଖୋଦ୍ ମୁନ୍ନାଙ୍କ ନିଷ୍ପତ୍ତି ତାହା ଜଣାପଡୁନି । ଏନେଇ ରାଜ୍ୟସଭା ମୁନ୍ନା ଖାଁଙ୍କ ପ୍ରତିକ୍ରିୟା ନେବା ପାଇଁ ବାରମ୍ବାର ଫୋନ୍ରେ ଯୋଗେଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରି ନଥିଲେ ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.