ରାତିରେ ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା ଟିପର :୯ ବର୍ଷର ଝିଅ ସହିତ ବାପା-ମା’ ମୃତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ରାତିରେ ଶୋଇଥିବା ବେଳେ ଘର ଉପରକୁ ମାଡ଼ିଯାଇ ଓଲଟି ପଡ଼ିଲା ଟିପର । ରାତି ପାହିବା ଆଗରୁ ଲିଭିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଦୀପ । ୯ ବର୍ଷର ଝିଅ ସହିତ ପ୍ରାଣ ହରାଇଲେ ବାପା-ମାଆ । ମୃତ୍ୟୁମୁଖରୁ ଅଳ୍ପକେ ବଞ୍ଚିଯାଇ ସବୁଦିନ ପାଇଁ ଅନାଥ ହୋଇଯାଇଛି ୧୪ ବର୍ଷର ପୁଅ । କୋରାପୁଟ ଜିଲ୍ଲା ଭେଜାପୁଟ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସକାଳର ସୁରୁଜ ଉଇଁବା ଆଗରୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । ସବୁରି ଆଖିରେ ଥିଲା ଧାର ଧାର ଲୁହ । କିଏ ଛାତିପିଟି କାନ୍ଦୁଥିଲା ତ ଆଉ କିଏ ଦଇବର ଏଭଳି ଦାରୁଣ ଦୁଃଖକୁ ସହ୍ୟ କରିନପାରି ମାଟି ଅଣ୍ଡାଳି ପକାଉଥିଲା । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣ ହେଲେ ଆନନ୍ଦ ଖୋସଲା (୪୦), ସ୍ତ୍ରୀ ପଦ୍ମା ଖୋସଲା (୩୫) ଓ ଝିଅ ଜ୍ୟୋସ୍ନା ଖୋସ୍ଲା(୯) ।
ଶୁକ୍ରବାର ରାତି ଥିଲା ସେମାନଙ୍କ ପାଇଁ କାଳ ରାତି । ଖାଇସାରି ୪ ପ୍ରାଣୀ କୁଟୁମ୍ବ ଶୋଇବାକୁ ଯାଇଥିଲେ । ଗଭୀର ନିଦରେ ଶୋଇଥିବା ବେଳେ ଯମଦୂତ ଭଳି ମାଡ଼ି ଆସିଥିଲା ବାଲି ବୋଝେଇ ଟିପରଟି । ରାତି ପ୍ରାୟ ୨ଟା ବେଳେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ିଟି ଆନନ୍ଦଙ୍କ ଘର ଉପରକୁ ମାଡ଼ିଯାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଗୋଟିଏ ବଖରାରେ ଶୋଇଥିବା ବାପା, ମାଆ ଓ ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଭୋର୍ ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ମୃତକମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଉତ୍ତ୍ୟକ୍ତ ଲୋକେ ଭେଜାପୁଟ ଦୁର୍ଘଟଣାସ୍ଥଳ ଏବଂ ଭେଜାପୁଟ ଟାଉନ୍ସିପ୍ ଫାଟକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଏମିତିକି ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟିପର ମାଲିକଙ୍କ ଘର ଆଗରେ ଶବ ରଖି କ୍ଷତିପୂରଣ ଦାବି କରିବା ସହିତ ମୃତ ଆନନ୍ଦଙ୍କ ଛୋଟ ପୁଅର ଭବିଷ୍ୟତ ପାଇଁ ସରକାର ତୁରନ୍ତ ବ୍ୟବସ୍ଥା କରିବାକୁ ଅଡ଼ି ବସିଥିଲେ । ଫଳରେ ସକାଳ ୬ଟାରୁ ଅପରାହ୍ନ ସାଢ଼େ ଦୁଇଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ପାଧାପ୍ରାପ୍ତ ହୋଇଥିଲା ।
ବହୁ ସମୟ ଧରି ରାସ୍ତାରୋକ ଚାଲିବା ପରେ ପହଞ୍ଚିଥିଲେ କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ ଆନୁଗୁଳିଆ, ବିଡିଓ ଅନନ୍ତ ନାୟକ,ସେମିଳିଗୁଡ଼ା ଅତିରିକ୍ତ ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ, ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା, ସୁନାବେଡ଼ା ଥାନା ଆଇଆଇସି ସୁମିତ୍ରା ଜେନା, ସେମିଳିଗୁଡ଼ା ଆଇଆଇସି ସମ୍ବିତ ବେହେରାଙ୍କ ସହିତ ଦାମନଯୋଡ଼ି ପୁଲିସ । ମୃତକଙ୍କ ପରିବାରକୁ ଟିପର ମାଲିକ ୩ ଲକ୍ଷ ୨୫ ହଜାର ଟଙ୍କା ଏବଂ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ବାବଦରେ ୩୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକେ ଅପରାହ୍ନ ସାଢେ ୨ଟାରେ ରାସ୍ତାରୋକରୁ ହଟିଥିଲେ ।
ଆନ୍ଦୋଳନ ହଟିବା ପରେ ପୁଲିସ ଶବ ଜବତ କରି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସୂଚନାଥାଉକି, ମୃତ ଆନନ୍ଦଙ୍କ ନିଜ ଘର କୋରାପୁଟ ବ୍ଲକ ମସ୍ତିପୁଟ ଗ୍ରାମରେ । ସେ ଭେଜାପୁଟରେ ଘର କରି ରହୁଥିଲେ । ନାଲ୍କୋ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ବିଭାଗରେ କାମ କରୁଥିଲେ । ବିଶେଷ କରି ବିଦ୍ୟୁତ୍ ଖୁଣ୍ଟରେ ରଙ୍ଗ ଦେବା କାମ କରୁଥିଲେ । ଶୁକ୍ରବାର ରାତିରେ ଖାଇସାରିବା ପରେ ଝିଅ ସହିତ ସେ ଓ ତାଙ୍କ ସ୍ତ୍ରୀ ଗୋଟିଏ ବଖରାରେ ଶୋଇଥିବା ବେଳେ ଅନ୍ୟ ଏକ ବଖରାରେ ପୁଅ ଅବିନାଶ ଓ ତା’ର ଆଉ ଜଣେ ସାଙ୍ଗ ଶୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons