ରୋଗୀ ହୋଇ ଆସିଲା, ଲୁଟି ନେଲା

Get real time updates directly on you device, subscribe now.

ଉକ୍ରେଲା,(ବି.ବି.ନୁ୍ୟଜ): ରୋଗୀ ହିସାବରେ ଡାକ୍ତରାଣୀଙ୍କ ଘରକୁ ଆସିଲା । ଦେହ ଅସୁସ୍ଥ ଅଛି, ଚିକିତ୍ସା କର ବୋଲି କାକୁତି ମିନତି ହେଲା । ସାଧନ ନଥାଇ ବି ମାନବିକତା ଦୃଷ୍ଟିରୁ ଚିକିତ୍ସା ସେବା ଯୋଗାଇ ଦେଲେ ଡାକ୍ତରାଣୀ । ହେଲେ ଉଚିତ ସୁଯୋଗ ପାଇବା ପରେ ଅସଲି ରଙ୍ଗ ଦେଖାଇଲା ଦୁର୍ବୃତ୍ତ । ବନ୍ଧୁକ ମୁନରେ ଡାକ୍ତରାଣୀଙ୍କଠାରୁ ଲୁଟିନେଲା ସୁନା ଗହଣା, ଏଟିଏମ୍ କାର୍ଡ । କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଲା । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉକ୍ରେଲାରେ ଆଜି ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚା ।
ସୂଚନାମତେ, ଆଜି ଅପରାହ୍ନ ୪ଟା ୪୦ମିରେ ଜଣେ ଅଚିହ୍ନା ବ୍ୟକ୍ତି ଉକ୍ରେଲା ହୋମିଓପାଥିରେ କାର୍ଯ୍ୟରତ ଡା ରଶ୍ମିତା ମିଶ୍ରଙ୍କ ଘରକୁ ଆସିଥିଲା । ନିଜକୁ ଜଣେ ରୋଗୀ ବୋଲି ଦର୍ଶାଇଥିଲା । ଆସିବା ସମୟରେ ସମ୍ପୂର୍ଣ୍ଣ ମୁହଁକୁ ଗାମୁଛାରେ ଘୋଡ଼ାଇ ହୋଇଥିଲା । ଅସୁସ୍ଥତା ଅନୁଭବ କରୁଥିବା କହି ବାରମ୍ବାର ରକ୍ତଚାପ ଯାଞ୍ଚ କରିବାକୁ ଗୁହାରି କରିଥିଲା । ହେଲେ ଡା ଶ୍ରୀମତୀ ମିଶ୍ର ବିପି ମାପିବା ଯନ୍ତ୍ର ନାହିଁ ବୋଲି କହି ଅନ୍ୟ କୌଣସି ଡାକ୍ତରଖାନାକୁ ଯିବାକୁ କହିଥିଲେ । ତଥାପି ସେ କାକୁତି ମିନତି କରିଥିଲା । ଏହି ସମୟରେ ଶ୍ରୀମତୀ ମିଶ୍ରଙ୍କ ସହିତ ତାଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣ ଘରେ ଉପସ୍ଥିତ ଥିଲେ । ଫଳରେ ସେ ଅସୁସ୍ଥତା ଅନୁଭବ କରୁଥିବା ନେଇ ଅଭିନୟ କରି ଚାଲିଥିଲା । କିଛି ସମୟ ପରେ ସେମାନେ ସମସ୍ତେ ବାହାରକୁ ଯିବାରୁ ଲୁଟେରା ଜଣକ ହଠାତ୍ ପିସ୍ତଲ ବାହାର କରି ସେଥିରେ ଗୁଳି ଭରାଯାଇଥିବା ଦେଖେଇ ଶ୍ରୀମତୀ ମିଶ୍ରଙ୍କ ମୁଣ୍ଡ ପାଖରେ ରଖିଥିଲା । ସୁନା ଗହଣା ସାଙ୍ଗକୁ ଟଙ୍କା ପଇସା ଯାହା ରଖିଛନ୍ତି ଦେବାକୁ କହିଥିଲା । ଶ୍ରୀମତୀ ଡା ମିଶ୍ର ପିନ୍ଧିଥିବା ସୁନାର କାନ ଫୁଲ, ବେକର ସୁନା ଚେନ୍ ଓ ହାତର ସାଙ୍ଖି ନେଇ ଯାଇଥିଲା । ଏହାପରେ ଘର ଭିତରେ ଥିବା ଆଲମିରା ଖୋଲିବାକୁ କହି ସେଥିରେ ଥିବା ସାମଗ୍ରୀ ଦେଖାଇବାକୁ କହିଥିଲା । ଆଲମିରାରୁ କେବଳ ୩ ଗ୍ରାମର ସୁନାର କାନ ଫୁଲ ନେବା ସହିତ ଏଟିଏମ୍ କାର୍ଡ ସହିତ ତାର ପିନ୍ ନଂ ନେଇଯାଇଥିଲା । ଏହି ସମୟରେ ସେ ତାର ମୁହଁରୁ ଗାମୁଛା କାଢ଼ି ଦେଇଥିଲା । ଡା ଶ୍ରୀମତୀ ମିଶ୍ରଙ୍କ କହିବା ଅନୁସାରେ ଲୁଟେରା ଜଣକ ପାଖାପାଖି ୬ ଫୁଟ୍ ଉଚ୍ଚ ଓ କଳା ରଙ୍ଗର । ସେ ଲୁଟ କରିବା ସମୟରେ ମଦ୍ୟ ପାନ କରିଥିଲା । ତେବେ ହତ୍ୟା ଧମକ ମଧ୍ୟ ଦେଇ ଯାଇଥିଲା । ଯଦି କାହାକୁ କହେ ତେବେ ୭ ଦିନ ମଧ୍ୟରେ ଘରକୁ ଆସି କିମ୍ବା ଡାକ୍ତରଖାନା ବା ରାସ୍ତାରେ ଯାଉଥିବା ସମୟରେ ଗୁଳି କରି ମାରିଦେବ ବୋଲି ଧମକ ଦେଇ ଥିବା ଡାକ୍ତରାଣୀ ଶ୍ରୀମତୀ ମିଶ୍ର ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ଘର ବାହାରିବା ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ବାଇକ୍ ମଧ୍ୟ ଲୁଟିନେଇ ଡକାୟତ ଫେରାର ମାରିଥିବା ଡାକ୍ତରାଣୀ କହିଛନ୍ତି । କିଛି ସମୟ ପରେ ପୁଲିସ ଖବର ପାଇଁ ଲୁଟେରାକୁ ଧରିବାକୁ ନାକା ବନ୍ଦୀ କରିଥିବାର ଜଣାପଡିଛି । ଲୁଟେରାକୁ ଧରିବାକୁ ଆଡିସିନାଲ୍ ଏସ୍ପି ନିଜେ ତଦନ୍ତ କରୁଥିବା ଜଣାପଡିଛି । ତେବେ ଦିନ ଦ୍ୱିପ୍ରହରେ ବନ୍ଧୁକ ମୁନରେ ଏଭଳି ଏକ ଲୁଟ୍ ଘଟଣାକୁ ନେଇ ଉକ୍ରେଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons