ଜଳେଶ୍ୱର,(ବି.ବି.ନୁ୍ୟଜ୍): କଲିକତାରୁ କାକଟପୁର ଚାଲି ଚାଲି ଆସୁଥିଲେ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟ୍ ପାଖରେ ଟଳି ପଡ଼ିଲେ । ଜଗି ରହିଥିବା ପୁଲିସ ଟିମ୍ ସଙ୍ଗେ ସଙ୍ଗେ ତାଙ୍କୁ ଜଳେଶ୍ୱର ଜେକେ ଭ;ର ହସ୍ପିଟାଲକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ନାମ ଧୋବେଇ ଚରଣ ମହାନ୍ତି(୫୭) ଓ ତାଙ୍କ ଘର ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ବାଙ୍ଗୁରିଗାଁ ଗ୍ରାମ ପଞ୍ଚାୟତ ଟିକରପଡ଼ା (ଗଣିପୁର) ବୋଲି ଜଣାପଡ଼ିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପଶ୍ଚିମବଙ୍ଗ ରାଜ୍ୟ ୨୪ ପ୍ରଗଣା ଜିଲ୍ଲା ଖର୍ଦ୍ଧା ସହରରେ ପ୍ରବାସୀ ଓଡ଼ିଆ ଧୋବେଇ ଡାଲମିଆ ସିମେଣ୍ଟ କମ୍ପାନିରେ କାମ କରୁଥିଲେ । ଲକ୍ଡାଉନ ପାଖାପାଖି ୨ ମାସ ରହିବା ପରେ ଜନ୍ମମାଟିକୁ ଫେରି ଆସିବାକୁ ସେ ଅଥୟ ହୋଇଥିଲେ । ସେଥିପାଇଁ ସେ ଏକ ଗାଡ଼ି ଧରି ୪୦ କିମି ଆସି ଓଡ଼ିଶା-ପଶ୍ଚିମବଙ୍ଗ ସୀମାର ଲକ୍ଷ୍ମଣନାଥ ଗେଟ୍ ଛୁଇଁଥିଲେ । ଗାଡ଼ି ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲା । ଦିନ ୧୧ଟା ବେଳେ ପ୍ରବଳ ଖରା ହୋଇଥିଲା । ପଶ୍ଚିମବଙ୍ଗ ଗେଟ୍ ପାରି ହୋଇ ପ୍ରାୟ ୧ କିମି ଦୂରରେ ଥିବା ଓଡ଼ିଶା ସୀମା ଲକ୍ଷ୍ମଣନାଥ ଗେଟ୍ ପାଖକୁୁ ସେ ଚାଲି ଚାଲି ଆସୁଥିଲେ । ତେବେ ଆସିବା ରାସ୍ତାରେ ସେ ଝୁଣ୍ଟି ପଡ଼ିଥିଲେ । କଚାଡ଼ି ହୋଇ ପଡ଼ିବାରୁ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସୀମାନ୍ତରେ ଜଣେ ପ୍ରବାସୀ ଓଡ଼ିଆଙ୍କ ଅଚେତ ଖବର ଶୁଣି ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାମଲ ଘଟଣା ସ୍ଥଳରେ ପହଞ୍ଚି ଅଚେତ ଧୋବେଇଙ୍କୁ ଘରୋଇ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଜେକେ ଭଟ୍ଟର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମେଡିକାଲ ଅଫିସର ଡା. ଦିଲ୍ଲୀପ କୁମାର ପାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ପରେ ପୁଲିସ ଧୋବେଇଙ୍କ ମୋବାଇଲ୍ରୁ ରିସେଣ୍ଟ ନମ୍ବର ବାହାର କରି ଫୋନ୍ କରିଥିଲେ । ଡାଲମିଆ କମ୍ପାନିରେ କାର୍ଯ୍ୟ କରୁଥିବା ତାଙ୍କ ସହଯୋଗୀ ତ୍ରିଲୋଚନ ନାୟକଙ୍କ ସହ ଯୋଗାଯୋଗ ହୋଇଥିଲା । ତ୍ରିଲୋଚନ ହିଁ ଧୋବେଇଙ୍କ ସମ୍ପର୍କରେ ତଥ୍ୟ ଦେଇଥିଲେ । ମୃତକଙ୍କ ୩ ଝିଅ ଓ ଜଣେ ପୁଅ ଥିବା କହିଥିଲେ । ଏହା ପରେ ପୁଲିସ ଧୋବେଇଙ୍କ ଜ୍ୱାଇଁଙ୍କ ସହ ଯୋଗାଯୋଗ କରିଥିଲା । ଜ୍ୱାଇଁ ଏଭଳି ଦୁଃଖଦ ଖବର ପାଇ ଜଳେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି । ଜଳେଶ୍ୱର ଥାନାରେ ଏ ନେଇ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।
Comments are closed, but trackbacks and pingbacks are open.