ଲଖିଧରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Get real time updates directly on you device, subscribe now.

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ କଂଗ୍ରା ଗ୍ରାମର ଲଖିଧର ଦଳପତି(୧୮)ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅଭାବରେ ପଡ଼ି ପରିବାର ଲୋକ ଚିକିତ୍ସା ପାଇଁ କୌଣସି ବଡ଼ ଡାକ୍ତରଖାନାକୁ ନେଇ ନ ପାରି ଦେଶୀ ଚିକିତ୍ସା କରାଇଛନ୍ତି । ଏବେ ଲଖିଧରଙ୍କ ଅବସ୍ଥା ଏକ ପ୍ରକାର ଦୟନୀୟ ସ୍ଥିତିରେ ରହିଛି । ବିନା ସାହାରାରେ ସେ ଝାଡ଼ା କିମ୍ଭା ପରିସ୍ରା ଯାଇପାରୁ ନାହାନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ପାଇଁ ସହାୟତା କରିବା ସକାଶେ ପରିବାର ଲୋକେ ନିବେଦନ କରିଛନ୍ତି ।
କଂଗ୍ରା ଗ୍ରାମର ଗଙ୍ଗାଧର ଦଳପତିଙ୍କ ପୁଅ ଲଖିଧର ଦୁଇ ବର୍ଷ ତଳେ କୌଣସି କାମରେ ବାଇକ୍ ଯୋଗେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗ୍ରାମକୁ ଯାଇଥିଲା । ସେଠାରୁ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଲଖିଧରର ବାମ ଗୋଡ଼ରେ ଗଭୀର ଆଘାତ ଲାଗିବା ସହ ବାମପାଦ ଫୁଲି ଯାଇଥିଲା । ସେଠାରୁ ତାଙ୍କୁ ଧର୍ମଗଡ଼ ହସ୍ପିଟାଲରେ ପରିବାର ଲୋକେ ଚିକିତ୍ସା କରିଥିଲେ । ତାଙ୍କ ପାଦର ଫୁଲା ନ କମିବାରୁ ପରିବାର ଲୋକେ ଧାରକରଜ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଭଲ ନହେବାରୁ ଡାକ୍ତର ଲଖିଧରକୁ କୌଣସି ବଡ଼ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେଇଥିବା ବେଳେ ପରିବାର ପାଖରେ ଅର୍ଥ ଅଭାବ ଯୋଗୁଁ ସେଠାରୁ ଘରକୁ ଫେରାଇ ଆଣି ଦେଶୀ ଚିକିତ୍ସା କରାଇବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ଉପଯୁକ୍ତ ଚିକିତ୍ସା ଅଭାବରେ ଲଖିଧରର ଫୁଲି ଥିବା ପାଦରେ ଘା’ ହୋଇ ଯାଇଛି ଯାହାକି ସୁଖୁ ନଥିବାରୁ ସେ ଚଲାବୁଲା କରି ନପାରି ଦିନରାତି ଯନ୍ତ୍ରଣାରେ ଛଟପଟ ହେଉଛି । ଏଭଳି ସ୍ୱାସ୍ଥ୍ୟାବସ୍ଥା ଦେଖି ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ପରିବାର ଲୋକେ ଟେକିକି ନେଲେ ଲଖିଧର ଝାଡ଼ା କିମ୍ବା ପରିସ୍ରା ଯାଇପାରୁଛି । ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନୁହେଁ । କୁଲି ମଜୁରୀ ଲାଗିଲେ ପରିବାରରେ ଚୁଲି ଜଲିଥାଏ । କୋ÷ଣସି ବଡ଼ ଡାକ୍ତରଖାନା ନେଇ ପୁଅର ଚିକିତ୍ସା କରେଇବା ପାଇଁ ଗଙ୍ଗାଧର ପାଖରେ ଅର୍ଥ ନାହିଁ । ଏ ପଟେ ଅର୍ଥ ଅଭାବରେ ଭେଣ୍ଡିଆ ପୁଅର ଭବିଷ୍ୟତ ନଷ୍ଟ ହେବାକୁ ଯାଉଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons