ଲାଞ୍ଚ ନେଇ ଜେଲ୍ ଗଲେ ୩ ପୁଲିସ

Get real time updates directly on you device, subscribe now.

ମାଲକାନଗିରି/କୋରାଇ,(ବି.ବି.ନ୍ୟୁଜ୍): ଏକ ଜାଲ୍ ସାର୍ଟିଫିକେଟ୍ ମାମଲାର ରଫାଦଫା ଲାଗି ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଜେଲ୍ ଯାଇଛନ୍ତି ୩ଜଣ ପୁଲିସ୍ ଅଧିକାରୀ । ସେମାନେ ହେଲେ ମାଲକାନଗିରି ଥାନା ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ସ୍ୱାଇଁ ଓ ସୁନୀଲ କୁମାର । ଏକ ଘରୋଇ ବିଜ୍ଞାନ କଲେଜର ନିର୍ଦ୍ଦେଶକ ବିଦ୍ୟୁତ୍ ରଞ୍ଜନ ଦାସଙ୍କଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ ଏସ୍ଆଇ ମାନସ । ଏହି ସମୟରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ସେଠାରେ ଚଢଉ କରି ପ୍ରଥମେ ମାନସଙ୍କୁ ଧରିଥିଲେ ଏବଂ ତାଙ୍କଠାରୁ ରାସାୟନିକ ରଙ୍ଗବୋଳା ଟଙ୍କା ଜବତ କରିଥିଲେ । ଏହି ମାମଲାରେ ଆଇଆଇସି ରଞ୍ଜନ ଏବଂ ଅନ୍ୟତମ ଏସ୍ଆଇ ସୁନୀଲଙ୍କ ହାତଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଆଜି ସେମାନଙ୍କୁ ଜୟପୁରରେ ଥିବା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଓକିଲମାନେ ଆନ୍ଦୋଳନରେ ଥିବାରୁ ସେମାନେ ନିଜ ପାଇଁ ଜାମିନ ଆବେଦନ କରିଥିଲେ । ଶନିବାର ଏହାର ଶୁଣାଣି ହେବ । ତେଣୁ ଆଜି ସେମାନଙ୍କୁ ଉପଖଣ୍ଡ କାରାଗାରକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ଏସ୍ପି ଜଗମୋହନ ମୀନା ଆଜି ଏହି ମାମଲାରେ ଜେଲ୍ ଯାଇଥିବା ୩ ପୁଲିସ୍ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଚିତ୍ରକୋଣ୍ଡା ଥାନା ଆଇଆଇସି ରାମପ୍ରସାଦ ନାୟକଙ୍କୁ ମାଲକାନଗିରି ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ତଳେ ଜିଲ୍ଲାର ଏକ ଘରୋଇ କଲେଜରେ ଜାଲ୍ ସାର୍ଟିଫିକେଟ୍ ଦିଆଯାଇଥିବା ଜଣେ ଛାତ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ୍ କଲେଜର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାକୁ ରଫାଦଫା କରି ଅଭିଯୁକ୍ତଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଉପରୋକ୍ତ ୩ ପୁଲିସ୍ ଅଧିକାରୀ କଲେଜର ନିର୍ଦ୍ଦେଶକ ବିଦ୍ୟୁତ୍ଙ୍କ ପାଖରୁ ଲକ୍ଷେ ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ସମ୍ପର୍କରେ ବିଦ୍ୟୁତ୍ କଟକରେ ଥିବା ଭିଜିଲାନ୍ସ ମୁଖ୍ୟ କାର୍ଯ୍ୟାଳୟକୁ ଜଣାଇଥିଲେ । ଭିଜିଲାନ୍ସ ଅତିରିକ୍ତ ଏସ୍ପି ପି.କେ. ପଟେଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ମାଲକାନଗିରିରେ ପହଞ୍ଚିଥିଲା । ଦାବି ମୁତାବକ ଗୁରୁବାର ରାତିରେ ବିଦ୍ୟୁତ୍ ରାସାୟନିକ ରଙ୍ଗବୋଳା ଲକ୍ଷେ ଟଙ୍କା ଧରି ପହଞ୍ଚିଥିଲେ ମାଲକାନଗିରି ଥାନାରେ । ସେଠାରେ ଉପରୋକ୍ତ ଅଧିକାରୀମାନଙ୍କ ଉପସ୍ଥିତିରେ ଟଙ୍କା ଦେଇଥିଲେ । ଏହି ଟଙ୍କାକୁ ଗ୍ରହଣ କରିଥିଲେ ଏସ୍ଆଇ ମାନସ । ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢଉ କରିଥିଲେ ।
ଗିରଫ ୩ ପୁଲିସ୍ ଅଧିକାରୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଇଥିଲା । ସେମାନଙ୍କ ବିରୋଧରେ ଅଭିଯୋଗର ବିଭିନ୍ନ ପ୍ରମାଣ ମିଳିବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିଲା ।
ଅପରପକ୍ଷରେ, ଥାନାଧିକାରୀ ରଞ୍ଜନ ସାହୁଙ୍କ ମାଲକାନଗିରିସ୍ଥିତ ସରକାରୀ କ୍ୱାର୍ଟର, ଯାଜପୁର ରୋଡ ଥାନା ଲକ୍ଷ୍ମୀନଗର ପଞ୍ଚାୟତ କୃଷ୍ଣନଗରପାଟଣା ଗ୍ରାମସ୍ଥିତ ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି । ଭିଜିଲାନ୍ସ ଡିଏସ୍ପି ବନମାଳୀ ଧଳ, ଇନ୍ସପେକ୍ଟର ଅନସୂୟା ସେନାପତିଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ଦୀର୍ଘ ୪ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କ ବାସଭବନରେ ତଲାସି କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons