ଛତ୍ରପୁର, (ବି.ବି.ନୁ୍ୟଜ): ଛତ୍ରପୁର ଥାନା ବଡ଼ମାଧପୁର ନିକଟ ରଙ୍ଗମାଟିଆ ଛକ ପାଖରେ ଟିପ୍ପର୍ ଧକ୍କାରେ ମହିଳାଙ୍କ ମୃତୁ୍ୟ । ମୃତକଙ୍କ ନାମ ଶୁଭ ନାୟକ । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଏପରିକି ପୁଲିସ ମୃତ ଶରୀର ବ୍ୟବଛେଦ ପାଇଁ ନେବାକୁ ଉଦ୍ୟମ କଲାବେଳେ ଗ୍ରାମବାସୀ ବିରୋଧ କରିଥିଲେ । ପ୍ରବଳ ପାଟିତୁଣ୍ଡ କାରଣରୁ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଛତ୍ରପୁର ଥାନାଧିକାରୀ ପ୍ରିୟସରଞ୍ଜନ ଛୋଟରାୟ, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ।
ହଂସପୁର ଗ୍ରାମର ଶିବୁ ନାୟକ, ସ୍ତ୍ରୀ ଶୁଭ ନାୟକ ସ୍କୁଟି (ସିଜି୦୪କେକୁ୍ୟ- ୪୦୫୩) ଯୋଗେ ହିଞ୍ଜିଳିକାଟୁରେ ରହୁଥିବା ଝିଅ ଘରକୁ ଯାଉଥିଲେ । ବାଲି ବୋଝେଇ ଟିପ୍ପର୍ (ଓଆର୍୦୭ଜେଡ୍- ୭୪୬୭) ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଶୁଭ ସ୍କୁଟିରୁ ଛିଟିକି ପଡିବା ଫଳରେ ଟିପ୍ପର୍ ଚକ ତାଙ୍କ ମୁଣ୍ଡ ଉପରେ ମାଡିଯାଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ଘଟିଥିଲା । ବାରମ୍ବାର ବାଲିବୋଝେଇ ଗାଡି ଧକ୍କାରେ ଧନଜୀବନ ହାନୀ ହେଉଛି । ଏଣୁ ଦୁର୍ଘଟଣା ପରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ ଅଞ୍ଚଳବାସୀ । ବାଲି ଲିଜ୍ଧାରୀ ଏବଂ ଟିପ୍ପର୍ ମାଲିକ କ୍ଷତିପୂରଣ ବାବଦରେ ୩ ଲକ୍ଷ ୫୦ ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପୁଲିସ ଶବ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି । ଟିପ୍ପର୍ଟି ଜବତ କରିଛି ପୁଲିସ । ଏ ସମ୍ପର୍କରେ ଏକ ଅପମୃତ୍ୟ ମାମଲା ରୁଜୁ ହାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.