ଶଳା, ଭିଣୋଇଙ୍କୁ ହତ୍ୟା କଲେ ନକ୍ସଲ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନ୍ୟୁଜ୍): କିଛି ଦିନର ନିରବତା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ ରଚିଛନ୍ତି ତାଣ୍ଡବ । ଶଳା, ଭିଣୋଇଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଛନ୍ତି । ଏହା ପଛରେ ମାଓ ନେତା ଜୀବନ କାଣ୍ଡୁଲାନା ଗ୍ରୁପ୍ର ହାତ ରହିଛି । ଘଟଣା ଘଟିବାର ୧୭ ଘଣ୍ଟା ପରେ ଆଜି ପୁଲିସ୍ ସେଠାରେ ପହଞ୍ଚି ଶବ ଜବତ କରିଥିବାବେଳେ ନକ୍ସଲମାନଙ୍କ ବିରୋଧରେ ଆରମ୍ଭ ହୋଇଯାଇଛି ଅପରେସନ ।
ଝାଡ଼ଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ମାଇଲପିଡ଼ ଗ୍ରାମକୁ ଗତକାଲି ରାତି ପ୍ରାୟ ୮ଟା ସମୟରେ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଆସିଥିଲେ । ସେମାନେ ମାଇଲପିଡ଼ ଗ୍ରାମର ମୁଖିଆ (ମୁଣ୍ଡା) ଡାଙ୍ଗେ ଡାଙ୍ଗିଲ (୩୫) ଓ ତାଙ୍କ ସମ୍ପର୍କୀୟ ଭିଣୋଇ ବାଗୁନ ବୋଦ୍ରା (୨୪)ଙ୍କୁ ଡାକି ନେଇ ପାତାହାତୁ ଓ ଉଡ଼ନିୟା ଗ୍ରାମ ମଝିରେ ଥିବା ଘାଟିର ବୁରୁଘାଟ ସ୍ଥାନକୁ ନେଇ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ଭିଆଇ ନକ୍ସଲମାନେ ସରଣ୍ଡା ଜଙ୍ଗଲକୁ ଚାଲି ଯାଇଥିଲେ । ରାତି ହୋଇଥିବାରୁ ଗ୍ରାମବାସୀ ସେହି ଘାଟିକୁ ଯିବା ଲାଗି ନିରାପଦ ମଣି ନଥିଲେ । ଆଜି ସକାଳେ ସୋନୁଆ ପୁଲିସ୍ ଖବର ପାଇଥିଲା । ଅପରାହ୍ନ ୧ଟା ସମୟରେ ସିଆରପିଏଫ୍ ଓ ଜାଗୁଆର ଯବାନମାନଙ୍କ ସହ ସୋନୁଆ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପୁଲିସ୍ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ଲାଗି ଆଣିଥିଲା ।
ଚାଇଁବସା ଏସ୍ପି ଇନ୍ଦ୍ରଜିତ ମାହାନ୍ତା ସୂଚନା ଦେଇଛନ୍ତି ଯେ, ଏହି ଘଟଣା ପଛରେ ମାଓ ନେତା ଜୀବନ କାଣ୍ଡୁଲାନା ଦ୍ୱାରା ଗ୍ରୁପ୍ର ହାତ ରହିଛି । ତେବେ ଏହି ଦୁଇ ଜଣଙ୍କୁ କଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ନକ୍ସଲମାନଙ୍କୁ ଦମନ କରିବା ପାଇଁ ଅପରେସନକୁ ଜୋରଦାର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons