କୋକସରା,(ବି.ବି.ନ୍ୟୁଜ୍): ଦୀର୍ଘ ୧୨ ବର୍ଷ ଧରି ବନ୍ଦୀ ଜୀବନ ବିତାଉଥିଲେ । ଲୁହା ଶିକୁଳିରେ ବାନ୍ଧି ହୋଇ ରହିଥିଲେ । ମାନସିକ ରୋଗ ଯୋଗୁଁ ଦୁଇ ଭାଇଙ୍କୁ ଶିକୁଳିରେ ବନ୍ଧା ହୋଇ ବନ୍ଦ ଜୀବନ କାଟୁଥିବା ଘଟଣାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଗୁରୁତର ସହ ଗ୍ରହଣ କରିଥିଲା । ଦୁଇ ଭାଇଙ୍କୁ ଶିକୁଳିରୁ ମୁକ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଦୁଇ ଭାଇ ଶିକୁଳି ଫାଶରୁ ମୁକ୍ତ ହୋଇଛନ୍ତି । ଶିକୁଳି କବଳରୁ ମୁକ୍ତ ହୋଇଥିବା ଦୁଇ ଭାଇ ହେଉଛନ୍ତି କ୍ଷିତି ଧରୁଆ ଓ ଲଲିତ ଧରୁଆ ।
ଏହି ଦୁଇ ଭାଇଙ୍କ ଘର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଖୁଣ୍ଟିଆ ପକ୍ରାୟତ ଅଧୀନ ବାରବଖରା ଗାଁରେ । ମାନସିକ ରୋଗ ଯୋଗୁଁ ସେମାନେ ଦୀର୍ଘ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇପଡ଼ିଥିଲେ । ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରବିବାର କୋକସରା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍, ରାଜସ୍ୱ ନିରୀକ୍ଷକ ଅଧିକାରୀ ଓ ପୁଲିସର ମିଳିତ ସହାୟତାରେ ଉକ୍ତ ଦୁଇ ଭାଇ ମାନସିକ ରୋଗୀ କ୍ଷିତି ଧରୁଆ ଓ ଲଲିତ ଧରୁଆଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ୨ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ସହ ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଇଛି ମେଡିକାଲ୍ ଟିମ୍ । ଉଦ୍ଧାରକାରୀ ଟିମ୍କୁ ଦେଖି ସାନ ଭାଇ ଲଲିତ ଲୁଚି ପଡ଼ିଥିଲା । ବହୁ କଷ୍ଟରେ ଉଦ୍ଧାରକାରୀ ଦଳ ତା’କୁ କାବୁ କରିଥିଲେ । ବଡ଼ ଭାଇ କ୍ଷିତି ଧରୁଆକୁ ପାଖ ଗ୍ରାମ ସିନାପଡ଼ାରୁ ଉଦ୍ଧାର କରାଯାଇଥିଲା । ଲୁହା ଶିକୁଳିରୁ ମୁକୁଳିବା ପରେ ଦୁଇ ଭାଇ ଏବେ ସ୍ୱାଭାବିକ ଜୀବନ ଜିଇଁପାରିବେ ବୋଲି ଆଶା ସକ୍ରାର ହୋଇଛି ।
Comments are closed, but trackbacks and pingbacks are open.