ଉମରକୋଟ,(ବି.ବି.ନ୍ୟୁଜ୍): ଭୁଲ୍ ଥିଲା ଏତିକି ଯେ, ସେମାନେ ଠିକ୍ରେ କେତେକ ଶବ୍ଦ ଉଚ୍ଚାରଣ କରିପାରିଲେନି । ଏହାକୁ ନେଇ ରାଗି ପାଚି ଲାଲ୍ ହୋଇଗଲେ ସ୍କୁଲରେ ପଢାଉଥିବା ଶିକ୍ଷୟିତ୍ରୀ ଜଣକ । ୭ ଜଣ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ପିଟିଲେ । ଦେହସାରା ଲୋଳା ବସାଇଦେଲେ । ଶିକ୍ଷୟିତ୍ରୀଙ୍କ ମାଡ଼ରେ ପିଲାମାନଙ୍କ ହାତ ଏବଂ ପିଠିରେ ସୃଷ୍ଟି ହୋଇଛି ଗଭୀର କ୍ଷତ । ଏମିତିକି ଜଣେ ଛାତ୍ରଙ୍କ ଏକ୍ସ-ରେ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏହି ଘଟଣାକୁ ନେଇ ସୃଷ୍ଟି ହୋଇଛି ଚାପା ଉତ୍ତେଜନା । ଦଣ୍ଡମୁକ୍ତ ଅଞ୍ଚଳରେ ଏଭଳି ଦଣ୍ଡ ଦେଇଥିବା ଶିକ୍ଷୟିତ୍ରୀଙ୍କ ସମେତ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ଅଭିଭାବକ । ଏଭଳି ଅମାନବୀୟ ଘଟଣା ଘଟିଛି ଉମରକୋଟ ଗୋଷ୍ଠୀ ଶିକ୍ଷା ଜିଲ୍ଲା ଅଧୀନ ମୂର୍ତ୍ତମା ପ୍ରାଥମିକ ବିଦ୍ୟାଳୟରେ ।
ଶୁକ୍ରବାର ମଧ୍ୟାହ୍ନରେ ଘଟିଛି ଏହି ଅଭାବନୀୟ ଘଟଣା । ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀମାଳା ଭତ୍ରାଙ୍କ ମାଡ଼ରେ ଆହତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀ ହେଲେ ତୃତୀୟ ଶ୍ରେଣୀରେ ପଢୁଥିବା ଅନିଲ ବଞ୍ଜରା, ନନ୍ଦି ଗଣ୍ଡ, ମନବୋଧ ଭତ୍ରା, ସିଦ୍ଧାର୍ଥ ନାୟକ, ଭଗବାନ ଭତ୍ରା, ଲଚ୍ଛିନ୍ଦର ଗଣ୍ଡ ଓ ସୁରଭି ଜାନୀ । ଶ୍ରେଣୀ କକ୍ଷରେ ଦିଆଯାଇଛି ଏଭଳି ଦଣ୍ଡ । ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷ ଏହାକୁ ଦବାଇ ଦେବାକୁ ଉଦ୍ୟମ କରିଥିଲେ । କାରଣ ଏହି ପିଲାମାନେ ସ୍କୁଲ ହଷ୍ଟେଲରେ ରହି ପଢୁଥିଲେ । ଘଟଣାଦିନ ରାତିରେ ୫ ଜଣ ଛାତ୍ର ଓ ସମ୍ପୃକ୍ତ ଛାତ୍ରୀଙ୍କ କ୍ଷତରେ ମଲମ ଲଗାଯାଇଥିଲା । ଅବସ୍ଥାରେ ସୁଧାର ନଆସିବାରୁ ଶନିବାର ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ବେଣୁଧର ଭତ୍ରା ଏକ ଅଟୋରେ ପିଲାମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ମାଧବ ନାୟକ ଓ ସବ୍ୟସାଚୀ ଦାସ ପିଲାଙ୍କ ଚିକିତ୍ସା କରିଥିବା ବେଳେ ଅଧିକ ଗୁରୁତର ଥିବା ଜଣେ ଛାତ୍ରଙ୍କ ଏକ୍ସ-ରେ କରିବାକୁ ପରାମର୍ଶ ଦେଇଥିଲେ । ଏହି ଖବର ପ୍ରଘଟ ହେବା ପରେ ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣଙ୍କ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା କେତେକ ଅଭିଭାବକ ଅଭିଯୋଗ କରିଥିଲେ ।
ସ୍ଥାନୀୟ ଯୁବନେତା ସନରାଜ ଗଣ୍ଡ କହିଛନ୍ତି, ଶିକ୍ଷୟିତ୍ରୀ ଜୟନ୍ତୀମାଳା ଭତ୍ରା ହଷ୍ଟେଲରେ ଦୀର୍ଘ ଦିନ ହେଲା ଅନଧିକାର ଭାବେ ରହୁଛନ୍ତି । କ୍ଲାସରେ ପାଠ ପଢାଇବା ସମୟରେ ମୋବାଇଲରେ କଥାବାର୍ତ୍ତା ହେଉଛନ୍ତି । ପୂର୍ବରୁ ଏହି ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଭାବକମାନେ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏହାକୁ ଚପାଇ ଦିଆଯାଇଥିଲା । ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାକୁ ଅଭିଭାବକ, ଗ୍ରାମବାସୀ ଦାବି କରିଛନ୍ତି ।
ପିଲାଙ୍କୁ ମାଡ ମରାଯାଇଥିବା ଘଟଣାକୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ସ୍ୱୀକାର କରିବା ସହ ଏହାକୁ ନିନ୍ଦା କରିଛନ୍ତି । ଗୋଷ୍ଠୀ ଶିକ୍ଷାଧିକାରୀ ବିକାଶ ଚନ୍ଦ୍ର ସରକାର କହିଛନ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଏହି ଖବର ପାଇଛନ୍ତି । ଘଟଣାର ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ । ଅନ୍ୟପକ୍ଷରେ ମାଡ଼ ମାରିଥିବା ଶିକ୍ଷୟିତ୍ରୀ ଜୟନ୍ତୀଙ୍କ ମୋବାଇଲ ବନ୍ଦ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଦଣ୍ଡମୁକ୍ତ ଅଞ୍ଚଳରେ ପିଲାଙ୍କୁ ଜଣେ ଶିକ୍ଷୟିତ୍ରୀ କେଉଁ ହିସାବରେ ନିର୍ଦ୍ଧୁମ ଛେଚି ଲହୁଲୁହାଣ କଲେ, ପ୍ରଶାସନ ତାହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
Comments are closed, but trackbacks and pingbacks are open.