ଶିଶୁକୁ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇ ଦିଦି ଛୁ’

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ଓ ସହାୟିକାଙ୍କ ଚରମ ଦାୟିତ୍ୱହୀନତାର ଏକ ନମୁନା ଆଜି ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଞ୍ଚଳରେ । କେନ୍ଦ୍ରରେ ପାଠ ପଢୁଥିବା ଜଣେ କୋମଳମତି ଶିଶୁ କ୍ଲାସରେ ଶୋଇପଡ଼ିଥିବା ବେଳେ, ଏକଥା ଜାଣିନପାରି କେନ୍ଦ୍ରକୁ ଛୁଟି କରି ବାହାରୁ ତାଲା ପକାଇ ପଳାଇଥିଲେ କର୍ମୀ ଓ ସହାୟିକା । ଚାରି ଘଣ୍ଟା ପରେ ଶିଶୁଟି କାନ୍ଦିବାରୁ କେନ୍ଦ୍ରର ତାଲା ଭାଙ୍ଗି ବନ୍ଦ କୋଠରୀରୁ ତାକୁ ଉଦ୍ଧାର କରିଥିଲେ ପରିବାର ସଦସ୍ୟ ଓ ଗାଁ ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ର ନିମପୁର-ଶାସନ ଅଙ୍ଗନବାଡ଼ି କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି ।
ନିମପୁର ଶାସନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାୟୀ ଗୃହ ନଥିବାରୁ ଏହା ପାଖ ସ୍କୁଲ୍ରେ ଚାଲୁଛି । ଉକ୍ତ କେନ୍ଦ୍ରରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଜି ବି କେନ୍ଦ୍ର ଖୋଲିଥିଲା । କୁନିକୁନି ପିଲାମାନେ ପାଠ ପଢ଼ିବାକୁ ଆସିଥିଲେ । ଧାର୍ଯ୍ୟ ସମୟ ୧୨ଟାରେ କେନ୍ଦ୍ର ବନ୍ଦ ହେବାରୁ ସମସ୍ତେ ଘରକୁ ଫେରିଥିଲେ । ତେବେ କେନ୍ଦ୍ରରେ ତାଲା ପକାଇବା ବେଳେ ଅଙ୍ଗନବାଡ଼ି ସହାୟିକା ଭିତରେ କେହି ପିଲା ରହିଲେ କି ନାହିଁ ଦେଖିବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । ଯେତେବେଳେ କି କେନ୍ଦ୍ର ଭିତରେ ସୁଶାନ୍ତ ମଲିକଙ୍କ ୫ ବର୍ଷର ପୁଅ ଆୟୁଷ ମଲିକ ରହିଯାଇଥିଲା । କ୍ଲାସ ଭିତରେ ସେ ଶୋଇ ପଡ଼ିଥିବା ବେଳେ ତାକୁ କେହି ଦେଖିନଥିଲେ । ଦୀର୍ଘ ୪ ଘଣ୍ଟା ପରେ ଶିଶୁଟି ନିଦରୁ ଉଠି ଘର ଭିତରେ କନ୍ଦାକଟା କରିବାରୁ ବାହାରକୁ ଶୁଭିଥିଲା । ଆୟୁଷଙ୍କ ପରିବାର ଲୋକେ ବି ତାକୁ ଖୋଜି ହେଉଥିଲେ । ପିଲାଟି ଭିତରେ ରହିଯାଇଥିବା ଜାଣି ଗାଁ ଲୋକେ କେନ୍ଦ୍ରର ତାଲା ତାଡ଼ି ଶେଷରେ ତାକୁ ଉଦ୍ଧାର କରିଥିଲେ ।
ଘଟଣା ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥଙ୍କୁ ପଚାରିବାରେ ସେ କହିଛନ୍ତି, ଏ ସଂକ୍ରାନ୍ତରେ ଗଣମାଧ୍ୟମରୁ ମୁଁ ଅବଗତ ହୋଇଛି । ଅଙ୍ଗନବାଡ଼ି କର୍ମୀ ସୀତା ବିଶ୍ୱାଳ ଶୀଘ୍ର ପଳାଇଥିବା ବେଳେ ସହାୟିକା କେନ୍ଦ୍ରରେ ତାଲା ପକାଇ ଦେଇ କିଛି ପିଲାଙ୍କୁ ଛାଡ଼ିବାକୁ ଯାଇଥିଲେ । ଘଟଣାର ସବିଶେଷ ତଦନ୍ତ କରି ରିପୋର୍ଟ ଦେବାକୁ ପଟ୍ଟାମୁଣ୍ଡାଇ ବ୍ଲକ୍ ସିଡିପିଓଙ୍କୁ କୁହାଯାଇଛି । ତେବେ ସିଡିପିଓ ମୁକ୍ତାରୀ ବେଗମ୍ଙ୍କୁ ଏ ବାବଦରେ ପଚାରିବାରେ ସେ ଘଟଣାକୁ ଅସ୍ୱୀକାର କରିଛନ୍ତି । ଏଭଳି ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଏକପ୍ରକାର ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons