କଟକ,(ବି.ବି.ବୁ୍ୟରୋ): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁରୁ ନିଖୋଜ ହୋଇଯାଇଥିବା ଅଢେ଼ଇ ବର୍ଷର ଶିଶୁ କନ୍ୟା ପିହୁ ଓରଫ ଶୁଭଲକ୍ଷ୍ମୀ ନାୟକଙ୍କ ସନ୍ଧାନ ମିଳୁନଥିବାରୁ ପରିବାର ଲୋକଙ୍କ ମାନସିକ ସ୍ଥିତି ଦିନକୁଦିନ ବିଗିଡ଼ିବାରେ ଲାଗିଛି । ପିଲାକୁ ଖୋଜି ବାହାର କରିବା କ୍ଷେତ୍ରରେ ଯାଜପୁର ପୁଲିସ୍ର ବିଫଳତା ପ୍ରତିବାଦରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଚେତାବନୀ ଦେଇଥିବା ପିହୁର ମା ମୋନାଲିସା ନାୟକ ଯାଜପୁରରୁ ଭୁବନେଶ୍ୱର ଅଭିମୁଖେ ବସ୍ରେ ଆସୁଥିବା ସମୟରେ କଟକରେ କମିସନରେଟ୍ ପୁଲିସ୍ ତାକୁ ଅଟକାଇଛି । ଓଏମ୍ପି ଛକ ଷ୍ଟପେଜ୍ରେ ବସ୍ ପହଞ୍ଚିବା ମଧ୍ୟରେ ଚାଉଳିଆଗଞ୍ଜ ଥାନା ପୁଲିସ୍ ଗାଡ଼ିରୁ ପିହୁଙ୍କ ମା ମୋନାଲିସାଙ୍କୁ ଓହ୍ଲାଇ ବୁଝାଶୁଝା କରି କ୍ରାଇମବ୍ରାଞ୍ଚକୁ ନେଇଥିଲା । କ୍ରାଇମବ୍ରାଞ୍ଚରେ ଦୀର୍ଘ ସମୟ ମୋନାଲିସା ଅଟକ ରହିବା ମଧ୍ୟରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଆଲୋଚନା କରିଥିଲେ । ନିଖୋଜ ହୋଇଥିବା ପିଲାକୁ ଖୋଜି ବାହାର କରିବା ଦିଗରେ ଯାଜପୁର ପୁଲିସ୍ ସହ ଏକ ସ୍ୱତନ୍ତ୍ର ଟିମ୍ ଉଦ୍ୟମ ଜାରି ରଖିଛି ବୋଲି ଏଡିଜି ବୁଝାସୁଝା କରିବା ସହ ଘରକୁ ଫେରିଯିବା ପାଇଁ କହିଥିଲେ । ଚାଉଳିଆଗଞ୍ଜ ଥାନା ପୁଲିସ୍ ଟିମ୍ ଏକ ଗାଡ଼ିରେ ସମ୍ପୃକ୍ତ ମହିଳାଙ୍କୁ ନେଇ ତାଙ୍କ ଘରେ ଛାଡ଼ିଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ, ବିଞ୍ଝାରପୁର ଥାନା ମଧୁସୂଦନ ଗାଁରୁ ନିଖୋଜ ହୋଇଯାଇଥିବା ପିହୁକୁ ନେଇ ଏବେ ପରିବାର ଲୋକେ ଆଶଙ୍କାରେ ରହିଛନ୍ତି । ଗତ ଅଗଷ୍ଟରୁ ଅଢେ଼ଇ ବର୍ଷର ଶିଶୁ କନ୍ୟା ନିଖୋଜ ଥିଲେ ମଧ୍ୟ ତାର ପତ୍ତା ମିଳୁନାହିଁ । ଯାଜପୁର ପୁଲିସ୍ ପିଲା ଖୋଜି ଦେବାରେ ବିଫଳ ହୋଇଥିବାରୁ ପରିବାର ଲୋକେ ପୁଲିସ୍ ଉପରେ ଅସ୍ଥା ତୁଟାଇଛନ୍ତି । ଏହାର ପ୍ରତିବାଦରେ ପିହୁର ମା ମୋନାଲିସା ବିଧାନସଭା ସମ୍ମୁଖରେ ଆତ୍ମହୁତି ଦେବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସକୁ ଚେତାବନୀ ଦେଇଥିଲେ ।


Comments are closed, but trackbacks and pingbacks are open.