ନବରଙ୍ଗପୁର,(ବି.ବି.ନୁ୍ୟଜ୍): ପ୍ରଶାସନକୁ ଗୁହାରି କରି ଥକି ପଡ଼ିଲେ । କେହି ହେଲେ ଗାଁ ଲୋକଙ୍କ ଦୁଃଖ ଶୁଣିଲେନି । ଶେଷରେ ଚାନ୍ଦା ଆଦାୟ କରିବା ସହ ଗାଁ ଲୋକେ ନିଜେ ଶ୍ରମଦାନ କରି ନାଳ ଉପରେ ତିଆରି କଲେ କାଠ ପୋଲ । ଏ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ବରାଗୁଡ଼ା ଗାଁରେ । କାଠ ପୋଲ ନିର୍ମାଣ ଚାଲିଥିବା ବେଳେ କୁନି କୁନି ଶିଶୁମାନଙ୍କୁ ସ୍କୁଲ ଯିବା ଲାଗି ଗାଁ ଲୋକେ ହାତ ଧରି ନାଳ ପାରି କରାଉଛନ୍ତି । ନାଳ ଉପରେ କାଠ ପୋଲ ତିଆରି କରିବା ପ୍ରଥମ ଘଟଣା ନୁହେଁ । ପ୍ରତିବର୍ଷ ବର୍ଷା ଦିନ ଗ୍ରାମବାସୀ ଚାନ୍ଦା ଆଦାୟ କରିବା ସହ ନିଜେ ଶ୍ରମଦାନ କରି କାଠ ପୋଲ ନିର୍ମାଣ କରି ଆସୁଛନ୍ତି ।
ଗ୍ରାମବାସୀଙ୍କ କହିବାନୁଯାୟୀ, ବରାଗୁଡା ଗାଁରେ ୬୦ ଘର ବସବାସ କରୁଛନ୍ତି । ଲୋକସଂଖ୍ୟା ୨୫୦ରୁ ଅଧିକ । ନାଳ ଆରପାରିରେ ରହିଛି ଗୁଡ଼ିପାରା ଗାଁ । ବରାଗୁଡ଼ା ଗାଁ ଲୋକେ ରାତି ପାହିଲେ ଗୁଡ଼ିପାରା ଗାଁ ଉପରେ ନିର୍ଭର କରୁଛନ୍ତି । ଗୁଡ଼ିପାରାରେ ଚାଷ ଜମି ସାଙ୍ଗକୁ ସ୍କୁଲ ରହିଛି । ବିଦ୍ୟାଳୟରେ ବରାଗୁଡାର ୪୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଖରା ଦିନେ ନାଳରେ ପାଣି ନଥିବା ଯୋଗୁ ଆରାମରେ ନାଳ ପାରି ହୋଇ ଗାଁ ଲୋକେ ଯାତାୟାତ କରୁଛନ୍ତି । କିନ୍ତୁ ବର୍ଷା ଦିନ ଆସିଲେ ଫୁଲି ଉଠୁଛି ପାହାଡିÿ ନାଳ । ନାଳରେ ୫ରୁ ୬ ଫୁଟ୍ ପାଣି ପ୍ରବାହିତ ହେଉଛି । ତେଣୁ ନାଳ ପାରି ହୋଇ ଜଙ୍ଗଲ ରାସ୍ତା ଦେଇ ୨ କିମି ବରାଗୁଡ଼ା ଗାଁକୁ ଯିବାକୁ ପଡୁଛି । ବର୍ଷା ଦିନେ ନାଳ ଫୁଲୁଥିବାରୁ ବରାଗୁଡ଼ା ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହାକୁ ଆଖିରେ ରଖି ଚାନ୍ଦା ଆଦାୟ କରିବା ସହ ନିଜେ ଶ୍ରମଦାନ କରି ନାଳ ଉପରେ କାଠ ପୋଲ ନିର୍ମାଣ କରୁଛନ୍ତି । କାଠ ପୋଲ ନିର୍ମାଣ ସରିନଥିବାରୁ ଶନିବାର ଛାତ୍ରଛାତ୍ରୀଙ୍କୁ ଗାଁ ଲୋକେ ହାତ ଧରି ନାଳ ପାରି କରାଇଥିଲେ । ଦିନେ ଦୁଇ ଦିନ ମଧ୍ୟରେ କାଠ ପୋଲ ସଂପୂର୍ଣ୍ଣ ହୋଇଯିବ ବୋଲି ଗାଁ ଲୋକେ କହିଛନ୍ତି ।
ଗ୍ରାମବାସୀ କହିଛନ୍ତି ଯେ, ଉମରକୋଟ ନିର୍ବାଚନମଣ୍ଡଳୀରେ ୫ଜଣ ବିଧାୟକ ନିର୍ବାଚିତ ହୋଇସାରିଛନ୍ତି । ନିର୍ବାଚନ ପୂର୍ବରୁ ନାଳ ଉପରେ କଲଭର୍ଟ ନିର୍ମାଣ ଲାଗି ଗୁହାରି କରି ଆସୁଛନ୍ତି । କିନ୍ତୁ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ଏବେ ପୁଣି ନବନିର୍ବାଚିତ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ଗାଁ ଲୋକେ ଅଭିଯୋଗ କରିଥିବା ଜଗନ୍ନାଥ ନାୟକ, କମଲୁ ଗଣ୍ଡ, ଥାମସିଂ ଗଣ୍ଡ, ଜୟସିଂ ଗଣ୍ଡ ଓ ମଙ୍ଗଳୁ ଗଣ୍ଡ କହିଛନ୍ତି । ତେବେ ଗାଁ ଲୋକଙ୍କ ଦାବି କେବେ ପୂରଣ ହେବ, ଏ ଦିଗରେ ବିଧାୟକ ଶ୍ରୀ ଗଣ୍ଡ କି ପଦକ୍ଷେପ ନେଉଛନ୍ତି, କେବେ ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ ହେବ, ତାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ନାଳ ଉପରେ କଲଭର୍ଟ ନିର୍ମାଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.