ବାଲେଶ୍ୱର, (ବି.ବି.ନୁ୍ୟଜ୍): ବହୁ ପ୍ରତୀକ୍ଷିତ ବିର୍ଲା ଟାୟାର ଶ୍ରମିକ ସମସ୍ୟାର ଅନ୍ତ ଘଟିଛି । ମଙ୍ଗଳବାରଠାରୁ ପୂର୍ବ ଭଳି ଏହି କାରଖାନା ଚାଲିବ । ଶ୍ରମିକଙ୍କ ୧୫ ଦିନର ଦରମା ମିଳିବ । ବକେୟା ଦରମା ପର୍ଯ୍ୟାୟ କ୍ରମେ ଦିଆଯିବ । ନିଲମ୍ବିତ ହୋଇଥିବା ୧୫ଜଣ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ । କାରଖାନା କର୍ତ୍ତୃପକ୍ଷଙ୍କ ନିକଟରୁ ଏଭଳି ପ୍ରତିଶ୍ରୁତି ମିଳିବା ପରେ ଆନେ୍ଦାଳନରତ ଶ୍ରମିକମାନେ ସୋମବାର ଆନେ୍ଦାଳନରୁ ଓହରିଯାଇଛି ।
ବିର୍ଲା ଟାୟାରର ଆର୍ଥିକ ଅବସ୍ଥା ଖରାପ ହେବା ଆଳରେ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟରତ ଶ୍ରମିକଙ୍କୁ ଦୀର୍ଘ ୯ ମାସର ଦରମା ଦେଇନାହାନ୍ତି । ଏହା ବ୍ୟତୀତ କମ୍ପାନି କର୍ତ୍ତୃପକ୍ଷ ପୂର୍ବରୁ ୧୫ଜଣ ଶ୍ରମିକଙ୍କୁ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରୁ ଛଟେଇ କରିଥିଲେ । ବକେୟା ଦରମା, ଛଟେଇ ଶ୍ରମିକଙ୍କୁ ନିଯୁକ୍ତି ସମେତ ବିଭିନ୍ନ ଦାବିରେ କାରଖାନାର କାର୍ଯ୍ୟରତ ଶ୍ରମିକ, ସେମାନଙ୍କ ପରିବାର ସଦସ୍ୟ ୨୦ ଦିନ ଧରି କାରଖାନା ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, କେନ୍ଦ୍ରମନ୍ତ୍ରୀ ଡ. ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ହସ୍ତକ୍ଷେପ କରିଥିଲେ । ନିରପେକ୍ଷ ତଦନ୍ତ ସହ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ସେମାନେ କେନ୍ଦ୍ରୀୟ ଟିମ୍ଙ୍କୁ ଅବଗତ କରିଥିଲେ । କେନ୍ଦ୍ରୀୟ ଟିମ୍ କାରଖାନାକୁ ତଦନ୍ତରେ ଆସିଥିଲେ । ତଦନ୍ତ ରିପୋର୍ଟ ପରେ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଘଟଣାର ସମାଧାନ କରିବାକୁ ଚିଠି ଲେଖିଥିଲେ । ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଘଟଣାର ତ୍ୱରିତ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରମ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।
ରାଜ୍ୟ ଶ୍ରମ ବିଭାଗର ନିଦେ୍ର୍ଧଶ ମୁତାବକ ସୋମବାର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶ୍ରମ ବିଭାଗ, ଆନେ୍ଦାଳନରତ ଶ୍ରମିକଙ୍କ ପ୍ରତିନିଧି, କମ୍ପାନି କର୍ତ୍ତୃପକ୍ଷଙ୍କୁ ନେଇ ଏକ ତ୍ରିସ୍ତରୀୟ ବୈଠକ ବସିଥିଲା । ଏଥିରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା । ମଙ୍ଗଳବାର କମ୍ପାନି କର୍ତ୍ତୃପକ୍ଷ କାର୍ଯ୍ୟରତ ଶ୍ରମିକଙ୍କୁ ୧୫ ଦିନର ଦରମା ଦେବେ । କାରଖାନା ଏ ସିପ୍ଟରୁ ଚାଲିବ । ବାକି ୧୫ ଦିନର ଦରମା ଏକ ସପ୍ତାହ ଭିତରେ ଶ୍ରମିକଙ୍କ ମିଳିବ । ଛଟେଇ ହୋଇଥିବା ୧୫ ଜଣ ଶ୍ରମିକଙ୍କ ନିଲମ୍ବନ ଆଦେଶ କମ୍ପାନି କର୍ତ୍ତୃପକ୍ଷ ପ୍ରତ୍ୟାହାର କରିବେ । ବକେୟା ୯ ମାସର ଦରମା ପର୍ଯ୍ୟାୟକ୍ରମେ ଦିଆଯିବ ବୋଲି କମ୍ପାନି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ଏହା ବ୍ୟତିତ ଅନ୍ୟାନ୍ୟ ସମସ୍ୟା ପର୍ଯ୍ୟାୟକ୍ରମେ ଶ୍ରମିକ ସଙ୍ଗଠନ, ବିର୍ଲା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଆଲୋଚନା କରି ତୁଟାଇବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ହୋଇଥିଲା । ନିଷ୍ପତ୍ତିରେ ଆନେ୍ଦାଳନରତ ଶ୍ରମିକ ସଙ୍ଗଠନର ଶ୍ରମିକ ନେତାମାନେ ସମ୍ମତି ପ୍ରକାଶ ସହ ଆନେ୍ଦାଳନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ ।
ଆଲୋଚନାରେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀଙ୍କ ସମେତ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ, ହିନ୍ଦ ମଜଦୁର ସଭାର ନେତା ଅରୁଣ ସ୍ୱାଇଁ (କୁନା) ସମେତ କମ୍ପାନିର ୮ ଶ୍ରମିକ ସଙ୍ଗଠନର ନେତା ଏବଂ ଆଞ୍ଚଳିକ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଖରା, ବର୍ଷାକୁ ଖାତିର ନକରି ଆନେ୍ଦାଳନକୁ ସମର୍ଥନ କରିଥିବା ଶ୍ରମିକମାନଙ୍କ ନିକଟରେ ଏଚଏମ୍ଏସ୍ କୃତଜ୍ଞ ବୋଲି ଏଚ୍ଏମ୍ଏସ୍ ନେତା ଅରୁଣ ସ୍ୱାଇଁ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.