ଶ୍ରୀକ୍ଷେତ୍ରବାସୀ ପାଇବେ ବିଶୁଦ୍ଧ ଜଳ

Get real time updates directly on you device, subscribe now.

ପୁରୀ: ମହାପ୍ରଭୁଙ୍କ ପ୍ରିୟ ଆବାସସ୍ଥଳ ପୁରୀ ସହର ଆଜି ଏକ ଐତିହାସିକ କାର୍ଯ୍ୟକୁ ପ୍ରତ୍ୟକ୍ଷ କରିଛି । ବିଶ୍ୱରେ ପଞ୍ଚମ ଓ ଦେଶର ପ୍ରଥମ ସହର ଭାବେ ଶ୍ରୀକ୍ଷେତ୍ରରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।
ସୋମବାର ସକାଳ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବିନାର ମାଧ୍ୟମରେ ଏହି ପ୍ରକଳ୍ପର ଉଦ୍ଘାଟନ କରି କହିଛନ୍ତି ଯେ, ପୁରୀ ସହର ମହାପ୍ରଭୁଙ୍କ ଧାମ । ମହାପ୍ରଭୁଙ୍କ ଧାମ ସବୁଠାରୁ ଆଗରେ । ଏଣିକି ଶ୍ରୀକ୍ଷେତ୍ରବାସୀଙ୍କୁ ଟ୍ୟାପ୍ରୁ ୨୪ ଘଣ୍ଟିଆ ଉଚ୍ଚମାନର ବିଶୁଦ୍ଧ ପାନୀୟ ଜଳ ମିଳିବ । ପିଇବା ପାଣିକୁ ସଂରକ୍ଷିତ କରି ରଖିବା କିମ୍ବା ଫିଲଟର୍ କରିବା ମଧ୍ୟ ଆବଶ୍ୟକ ନାହିଁ । ବିଶ୍ୱର କେବଳ ବଡ଼ ବଡ଼ ସହରମାନଙ୍କରେ ଏଭଳି ସୁବିଧା ମିଳେ । ପୂର୍ବରୁ ଲଣ୍ଡନ, ଟୋକିଓ, ନୁ୍ୟୟର୍କ ଓ ସିଙ୍ଗାପୁର ଆଦି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ଦ୍ୱାରା ପୁରୀର ଅଢେ଼ଇ ଲକ୍ଷ ଲୋକଙ୍କ ସହ ବର୍ଷକୁ ଆସୁଥିବା ୨ କୋଟି ପର୍ଯ୍ୟଟକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଦିନଟି କେବଳ ପୁରୀ ନୁହେଁ, ସାରା ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ମହାପ୍ରଭୁଙ୍କ ଧାମ ପୁରୀରେ ସବୁ ପରିବାରକୁ ଆଜିଠାରୁ ଟ୍ୟାପ୍ରେ ଭଲ ପିଇବା ପାଣି ମିଳିଲା । ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ବା ସୁଜଳ ଯୋଜନାରେ ଆପଣମାନେ ସିଧା ଟ୍ୟାପ୍ରୁ ପାଣି ଆଣି ପିଇପାରିବେ । ଷ୍ଟୋରେଜ୍ କିମ୍ବା ଫିଲ୍ଟର କରିବା ଆବଶ୍ୟକ ନାହିଁ । ଦିନରାତି ୨୪ ଘଣ୍ଟା ଏହି ସେବା ମିଳିବ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ସାରା ଦେଶରେ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ କାର୍ଯ୍ୟକାରୀ ହେବାରେ ପୁରୀ ପ୍ରଥମ । ଆମର ମେଟ୍ରା ସହରମାନଙ୍କରେ ବି ଏ ସୁବିଧା ନାହିଁ । ଏ ଯୋଜନା ପାଇଁ ପୁରୀ ଆଜି ଲଣ୍ଡନ, ନୁ୍ୟୟର୍କ ଓ ସିଙ୍ଗାପୁର ଆଦି ବିଶ୍ୱର ବଡ଼ ସହର ଲିଗ୍ରେ ସାମିଲ ହୋଇପାରିଛି । ଏହା ସମସ୍ତଙ୍କ ପାଇଁ ବଡ଼ ଖୁସିର କଥା । ରାଜ୍ୟ ନଗର ଉନ୍ନୟନ ଓ ଗୃହନିର୍ମାଣ ବିଭାଗକୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୯ ମାସ ମଧ୍ୟରେ ପୁରୀର ୨.୫ ଲକ୍ଷ ଲୋକଙ୍କ ପାଇଁ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ସୁବିଧା ମିଳିବା ସହିତ ପୁରୀକୁ ପ୍ରତି ବର୍ଷ ୨ କୋଟି ପର୍ଯ୍ୟଟକ ମଧ୍ୟ ଏହି ସୁବିଧା ପାଇପାରିବେ । ସେମାନଙ୍କୁ ଆଉ ପାଣି ବୋତଲ ଧରି ବୁଲିବାକୁ ପଡ଼ିବ ନାହିଁ । ଏହି ପ୍ରକଳ୍ପରେ ବଡ଼ଦାଣ୍ଡ ସହିତ ସହରର ୪୦୦ଟି ଜାଗାରେ ୱାଟର ଫାଉଣ୍ଟେନ୍ ସ୍ଥାପନ କରାଯାଇଛି । ଏହାଦ୍ୱାରା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ୍ ବର୍ଜ୍ୟରୁ ମଧ୍ୟ ସହର ରକ୍ଷା ପାଇପାରିବ । ଓଡ଼ିଶାର ବିକାଶ କ୍ଷେତ୍ରରେ ନୂତନ ଉପଲବ୍ଧି ପୁରୀର ଏହି ପ୍ରକଳ୍ପରୁ ମିଳିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୫-ଟି ଅଭିଯାନରେ ଏହା ହେଉଛି ଶ୍ରେÂ ମଡେଲ୍ । ଭଲ ପିଇବା ପାଣିର ସ୍ୱାସ୍ଥ୍ୟ, ଜୀବନଧାରଣର ମାନ ଓ ଅର୍ଥନୀତି ସହ ଗଭୀର ସମ୍ପର୍କ ରହିଛି । ତେଣୁ ପାଣିକୁ କେବେ ନଷ୍ଟ କିମ୍ବା ଦୂଷିତ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଭଲ ପିଇବା ପାଣି ପାଇଁ ବଜେଟକୁ ୫ ବର୍ଷରେ ୨୦ ଗୁଣ ବୃଦ୍ଧି କରାଯାଇଛି ଓ ୨୦୦ କୋଟିର ବଜେଟ ଆଜି ୪ ହଜାର କୋଟି ଟଙ୍କାରେ ପହଞ୍ଚିଛି ।
ଏହି ପ୍ରକଳ୍ପର ପରିକଳ୍ପନା ଓ ରୂପାୟନ ସମ୍ପର୍କରେ ଆଲୋକପାତ କରି ନବୀନ କହିଥିଲେ ଯେ ୨୦୧୯ ମଇ ୩ ତାରିଖରେ ପୁରୀରେ ଫୋନି ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ତାପରେ ମଇ ୫ ତାରିଖରେ ସେ ପୁରୀରେ ପହଞ୍ଚିଥିଲେ ଓ ପୁରୀର ଅବସ୍ଥା ଦେଖି ଗଭୀର ଭାବରେ ଦୁଃଖିତ ହୋଇଥିଲେ । ସେହିଦିନ ହିଁ ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବରେ ବିକଶିତ କରିବା ପାଇଁ ସେ ଘୋଷଣା କରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଜନସାଧାରଣଙ୍କ ସହଯୋଗରୁ ଶ୍ରୀକ୍ଷେତ୍ର ଯୋଜନା ଭଲ ଭାବରେ ଆଗେଇ ଚାଲିଛି ଏବଂ ସମସ୍ତଙ୍କ ସହଯୋଗରେ ପୁରୀ ବିକାଶର ନୂଆ ଶିଖରରେ ପହଞ୍ଚିବ ।
ସୁଜଳ ପ୍ରକଳ୍ପର ସଫଳତା ପାଇଁ ‘ଜଳ ସାଥୀ’ ଭାବରେ ମିଶନ ଶକ୍ତିର ମା’ମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।
ଆଜିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ସାରା ଓଡ଼ିଶାର ୧୬ଟି ସହରରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପୁରୀରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଆଜି ସାର୍ଥକ ହୋଇଛି ବୋଲି ମନ୍ତ୍ରୀ କହିଥିଲେ ।
କେନ୍ଦ୍ର ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର କହିଲେ ଯେ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମହାପ୍ରଭୁ ଜଗନ୍ନାଥଙ୍କ ସହର ପୁରୀରେ ଦେଶର ସର୍ବପ୍ରଥମ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ କାର୍ଯ୍ୟକାରୀ ହେବା ଗୌରବର କଥା । ଏହା ଭାରତର ଅନ୍ୟ ସହରମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
କାର୍ଯ୍ୟକ୍ରମରେ ପ୍ରଥମେ ନଗର ଉନ୍ନୟନ ମନ୍ତ୍ରୀ ଟ୍ୟାପ୍ରୁ ପାଣି ପିଇଥିଲେ । ପରେ ପୁରୀ ବଳିଆପଣ୍ଡାର ଦୁଇ ଜଣ ମହିଳା ଟ୍ୟାପ୍ରୁ ପାଣି ପିଇ ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ ଯେ ଆଗରୁ ଆମେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲୁ । ଏବେ ଆମ ସମସ୍ୟା ଦୂର ହେଲା ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଦ୍ୱାରା ସଂଚାଳିତ ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ୱାଟ୍କୋ ପରିଚାଳନା ନିଦେ୍ର୍ଧଶକ ପି.କେ. ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ମନ୍ତ୍ରୀ ସମୀର ଦାଶ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଉମାକାନ୍ତ ସାମନ୍ତରାୟ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ୍ତ କୁମାର ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons