
ପୁରୀ,(ବି.ବି.ନୁ୍ୟଜ): ଶନିବାର ଶ୍ରୀମନ୍ଦିରରେ ୩ଟି ଅଘଟଣ ଘଟିଥିଲା । ଜଣେ ଭକ୍ତ ଦର୍ଶନ ସାରି ଫେରିବା ବେଳେ ସାତପାହାଚ ନିକଟ ବ୍ୟାରିକେଡ୍ରେ ଟଳି ପଡ଼ିଥିଲେ । ୨ଥର ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ଏହା ମହାପ୍ରଭୁଙ୍କ ନୀତି ଏବଂ ଭକ୍ତଙ୍କ ଦର୍ଶନକୁ ସାମୟିକ ଭାବେ ଅଟକାଇ ଦେଇଥିଲା ।
ମହାପ୍ରଭୁଙ୍କ ଅବକାଶ ପୂଜା ଠା’ବସିବା ପୂର୍ବରୁ ସେବାୟତମାନେ ବାହାର କାଠ ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ପଡ଼ିଥିବା ଦେଖିଥିଲେ । ପ୍ରଭୁଙ୍କ ବଡ଼ ମହାସ୍ନାନ ନିଷ୍ପତ୍ତି ହୋଇଥିଲା । ଏହି କାରଣରୁ ପାଖାପାଖି ଏକ ଘଣ୍ଟା ଧରି ନୀତି ଏବଂ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା । ମହାସ୍ନାନ ପରେ ପ୍ରଭୁଙ୍କ ଅବକାଶ ପୂଜା ସାଢେ଼ ୯ଟାରେ ସମ୍ପନ୍ନ ହୋଇଥିଲା । ଏହା ପରେ ପରେ ରୋଷ ହୋମ, ବେଶ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରି ଗୋପାଳ ବଲ୍ଲଭପୂଜା ପ୍ରସ୍ତୁତି ହୋଇଥିଲା ।
ଗୋପାଳବଲ୍ଲବ ବଢ଼ିବା ପରେ ଜଣେ ଭକ୍ତ ଦର୍ଶନ ସାରି ସାତ ପାହାଚ ଦେଇ ଫେରୁଥିଲେ । ସାତ ପାହାଚ ଲୁହା ବ୍ୟାରିକେଡ୍ ପାଖରେ ଟଳି ପଡ଼ିଥିଲେ ମଧ୍ୟପ୍ରଦେଶର ଗୁରା ଗ୍ରାମ ନିବାସୀ ମନୋହର ଲାଲ ପାଇକୱାର(୭୨) । ଦର୍ଶନ ସାରି ଫେରିବା ବାଟରେ ହଠାତ ଅସୁସ୍ଥ ହୋଇଥିଲେ । ଉତ୍ତର ଦ୍ୱାର ଦେଇ ତାଙ୍କୁ ବାହାରକୁ ଅଣାଯାଇଥିଲା । ଶ୍ରୀମନ୍ଦିର ଆମ୍ବୁଲାନ୍ସରେ ତାଙ୍କୁ ପୁରୀ ବଡ଼ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।
ମହାପ୍ରଭୁଙ୍କ ସକାଳ ଧୂପ ସରି ଅପରାହ୍ନ ଗୋଟଏ ୧୦ ମିନିଟରେ ପାଣି ପଡ଼ିଥିଲା । ଏହି ସମୟରେ ଜଗମୋହନ ବାହାର କାଠ ପାଖରେ କେହି ଜଣେ ଭକ୍ତ ବାନ୍ତି କରି ଦେଇଥିବା ନଜରକୁ ଆସିଥିଲା । ଏହି କାରଣରୁ ମହାପ୍ରଭୁଙ୍କ ବଡ଼ମହାସ୍ନାନ ନୀତି ହୋଇଥିଲା । ଏହି କାରଣରୁ ଶ୍ରୀବିଗ୍ରହଙ୍କ ନୀତି ଅପରାହ୍ନ ୨ଟା୪୫ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲା । ବଡ଼ ମହାସ୍ନାନ ପୂଜା ବଢ଼ିବା ପରେ ଠାକୁରଙ୍କ ପ୍ରଥମ ଭୋଗ ମଣ୍ଡପ ଅପରାହ୍ନ ୪ଟା ୧୫ ମିନିଟ ଏବଂ ଅପରାହ୍ନ ୫ଟା ୪୫ ମିନିଟରେ ମଧ୍ୟାହ୍ନ ଧୂପ ବଢ଼ିଥିଲା । ଏହି ସମୟ ବେଳକୁ ନୀତି ତିନି ଘଣ୍ଟା ବିଳମ୍ବରେ ଚାଲିଥିଲା । ସେବାପୂଜା ତଥା ନୀତି ବିଳମ୍ବ ସମେତ ବଡ ମହାସ୍ନାନ କାରଣରୁ ଦର୍ଶନ ବନ୍ଦ ରହିଥିଲା । ଏହି କାରଣରୁ ଶ୍ରୀମନ୍ଦିର ବାହାରେ ଏବଂ ଭିତରେ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିଲେ ।
Comments are closed, but trackbacks and pingbacks are open.