ପୁରୀ,(ବି.ବି.ବୁ୍ୟରୋ): ଶନିବାର ଥିଲା ପବିତ୍ର ପଞ୍ଚୁକ ବ୍ରତର ଦ୍ୱିତୀୟ ଦିନ । ପରମ୍ପରା କ୍ରମେ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁÂିତ ହୋଇଛି । ରତ୍ନସିଂହାସନାରୂଢ଼ ଶ୍ରୀବିଗ୍ରହଙ୍କୁ ଏହି ଅପୂର୍ବ ବେଶରେ ଦର୍ଶନ କରିଥିଲେ ହଜାର ହଜାର ଶ୍ରଦ୍ଧାଳୁ । ଏଥିସହିତ ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ନୀତି ସମ୍ପନ୍ନ ହୋଇଛି ।
ଆଜି ସକାଳେ ଠାକୁରଙ୍କ ମଙ୍ଗଳାଳତି ଅବକାଶ ସରିଥିଲା । ଏହାପରେ ଠାକୁରଙ୍କ ବେଶ ଆରମ୍ଭ ହୋଇଥିଲା । ସକାଳ ୭ଟା୪୫ ମିନିଟ୍ରେ ବେଶ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ସରିଥିଲା । ପୁଷ୍ପାଳକ, ମେକାପ ଓ ଖୁଣ୍ଟିିଆ ସେବକମାନେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପାଟବସ୍ତ୍ର, ପୁଷ୍ପ ଅଳଙ୍କାର ଓ ସୁବର୍ଣ୍ଣ ଅଳଙ୍କାର ସବୁ ଲାଗି କରି ବେଶ କରିଥିଲେ । ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଗରୁଡ଼ ଉଦ୍ଭାପନ ନୀତି ପାଳିତ ହୋଇଛି । ସନ୍ଧ୍ୟା ଧୂପ ପୂଜା ସରିବା ପରେ ଗରୁଡ଼ ବିଗ୍ରହଙ୍କର ପଞ୍ଚାମୃତ ସ୍ନାନ ସରି ନୂତନ ବସ୍ତ୍ରରେ ଭୂଷିତ କରାଯାଇଥିଲା । ଶୀତଳ ଭୋଗ ଓ ଆଳତି ବନ୍ଦାପନା କରାଯାଇଥିଲା ।
ଠାକୁରମାନେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେଉଥିଲେ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ପାଶ୍ୱର୍କୁ ଏକ ଆଡ଼ଖୋସା ପକାଇଥିଲେ । ଆଡ଼ଖୋସାର ଅଗ୍ରଭାଗରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା । ଠାକୁରଙ୍କ ମସ୍ତକରେ ସ୍ୱର୍ଣ୍ଣ କୀରିଟମାନ ଶୋଭା ପାଉଥିଲା । ଶ୍ରୀଠାକୁରମାନଙ୍କୁ ସୁବର୍ଣ୍ଣ ଶ୍ରୀଭୂଜ, କିରିଟ, ଶ୍ରୀପୟର, କାନ, କଦମ୍ୱମାଳି, ହରିଡ଼ା କଦମ୍ୱମାଳି, ବାହାଡାମାଳି, ତାବିଜମାଳି, ବାଘନଖିମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୁପାର ଶଙ୍ଖ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଚିତା, ଘାଘଡ଼ାମାଳି, କୁଣ୍ଡଳ, ତଡ଼ଗୀ ଓ ସ୍ୱର୍ଣ୍ଣକିଆ ଖଞ୍ଜାଯାଇ ଟୋପର ଲାଗି କରାଯାଇଥିଲା । ବ୍ରତଧାରୀମାନେ ଭିତର କାଠ ନିକଟକୁ ଯାଇ ଠାକୁରଙ୍କ ଏହି ଅପୂର୍ବ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇଥିଲେ । ଆସନ୍ତକାଲି ରବିବାର ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁÂିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।


Comments are closed, but trackbacks and pingbacks are open.