ପୁରୀ,(ବି.ବି.ବୁ୍ୟରୋ): ଜନ୍ମାଷ୍ଟମୀ ପରଠାରୁ ଶ୍ରୀମନ୍ଦିରରେ ଅନୁÂିତ ହେଉଛି ଶ୍ରୀକୃଷ୍ଣ ଲୀଳା । ରବିବାର ସମ୍ପନ୍ନ ହୋଇଛି ପ୍ରଳମ୍ବାସୁର ବଧ ନୀତି । ରତ୍ନସିଂହାସନରେ ପ୍ରଳମ୍ବାସୁର ବଧ ବେଶରେ ଶୋଭା ପାଉଥିଲେ ବଡ଼ଠାକୁରେ । ଶ୍ରୀହସ୍ତରେ ହଳମୂଷଳ ଧାରଣ କରିଥିଲେ ଶ୍ରୀବଳଭଦ୍ର । ପ୍ରାୟ ୪ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରଳମ୍ବାସୁର କାଠ ମୂର୍ତ୍ତି ବଡ଼ଠାକୁରଙ୍କ ନିମ୍ନ ଭାଗରେ ରହିଥିଲା । ଅସୁରର କାନ୍ଧ ମିଶା ଦୁଇ ଭୁଜରେ ଠାକୁରେ ବସିଲା ଭଳି ପ୍ରତୀୟମାନ ହେଉଥିଲେ । ଦ୍ୱିପହର ଧୂପ ପରେ ବେଶ ହୋଇ ସନ୍ଧ୍ୟା ଧୂପ ସରିବା ପର୍ଯ୍ୟନ୍ତ ଠାକୁରେ ଏହି ବେଶରେ ଉଭା ହୋଇଥିଲେ ।
ଶ୍ରୀମଦ୍ ଭାଗବତ୍ରେ ବର୍ଣ୍ଣନା ରହିଛି । ଯମୁନା ନଦୀ କୂଳ ପବିତ୍ର ବୃନ୍ଦାବନ ଭୂମି । ଏହା ଥିଲା କୃଷ୍ଣ ବଳରାମଙ୍କ କୀ୍ରଡ଼ା ଭୂମି । ଗାଈ, ବାଛୁରୀ ଓ ଗୋପାଳ ବାଳକଙ୍କ ସହ ଦୁଇ ଭାଇ ଖେଳନ୍ତି । ବିଷୟବସ୍ତୁ ଥିଲା ଯୁଦ୍ଧକାଳୀନ ଅଭିନୟ । ଏପଟେ କଂସ ମହାରାଜ ଶ୍ରୀକୃଷ୍ଣଙ୍କୁ ନିଧନ କରିବାକୁ ଚେଷ୍ଟା ଜାରି ରଖିଥାନ୍ତି । ଶ୍ରୀକୃଷ୍ଣଙ୍କୁ ମାରି କଂସ ମହାରାଜାଙ୍କ ଠାରୁ ପୁରସ୍କାର ପାଇବା ଆଶାରେ ସେଦିନ ଯମୁନା କୂଳରେ ପହଞ୍ଚିଥାଏ ପ୍ରଳମ୍ବାସୁର । ଶ୍ରୀକୃଷ୍ଣ ଏହା ଜାଣି ରାଜା-ପ୍ରଜା ଖେଳ ଖେଳିଥିଲେ । ରାଜା ହେଲେ ଶ୍ରୀକୃଷ୍ଣ ଓ ବଳରାମ । ପ୍ରଜା ହେଲେ ଗୋପାଳ ବାଳକ । ସର୍ତ୍ତ ହେଲା ଯିଏ ହାରିବ ସେ ଜିତିବା ବ୍ୟକ୍ତିକୁ କାନ୍ଧରେ ବସାଇ କିଛି ଦୂରରେ ଥିବା ‘ଭାଣ୍ଡାରୀ’ ନାମକ ଏକ ବଟବୃକ୍ଷ ପାଖକୁ ବୋହିନେବ ।
ପ୍ରଳମ୍ବାସୁର ଗୋପାଳ ବାଳକ ବେଶରେ ବଳାରାମଙ୍କ ସଙ୍ଗେ ଲଢି ଜାଣିଶୁଣି ହାରିଲା । ବଳରାମଙ୍କୁ କାନ୍ଧରେ ବସାଇ ଉକ୍ତ ଗଛ ନିକଟକୁ ଯିବା ପରିବର୍ତ୍ତେ ଆକାଶକୁ କ୍ଷିପ୍ର ବେଗରେ ଚାଲିଲା ପ୍ରଳମ୍ବାସୁର । ଏହା ଦେଖି ବଳାରାମ ଏକ ବଜ୍ର ମୁଷ୍ଟି ପ୍ରହାର କଲେ ଅସୁର ମୁଣ୍ଡକୁ । ପ୍ରଳମ୍ବାସୁର ମୁଣ୍ଡ ଖଣ୍ଡବିଖଣ୍ଡ ହୋଇଗଲା । ଶ୍ରୀକୃଷ୍ଣ ଲୀଳାରେ ଏହି ବିଶୟବସ୍ତୁକୁ ମନେ ପକାଇ ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବେଶ ପାଳିତ ହେଉଛି । ଦୋଳମଣ୍ଡପ ସାହି ପକ୍ଷରୁ ପ୍ରଳମ୍ବାସୁର ଚରିତ୍ର ବାହାରିଥିଲେ । ସନ୍ଧ୍ୟାଧୂପ ପରେ ଶ୍ରୀମନ୍ଦିର ଜଗମୋହନରେ ପ୍ରଳମ୍ବାସୁର ବଧ ନୀତି ହୋଇଥିଲା । ପ୍ରଳମ୍ବାସୁର କାନ୍ଧରେ ବଳରାମ ବସି ଚାପିଦେବା ଫଳରେ ଅସୁରର ପ୍ରାଣବାୟୁ ଉଡ଼ିଯାଇଥିଲା । ଷୋଡ଼ଶ ଶତାଦ୍ଧୀରେ ଏହି ବେଶର ପ୍ରଚଳ ହୋଇଥିବା ଜଣାଯାଏ ।
ଗତକାଲି କାଳୀୟଦଳନ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ସମ୍ପନ୍ନ ହୋଇଛି । ସାତ ଫଣା ବିଶିଷ୍ଟ କାଳୀୟନାଗ ଉପରେ ମହାପ୍ରଭୁ ନୃତ୍ୟ କରୁଥିଲେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ୍ତ କରିଥିଲା । କାଳୀୟ ନାଗର ପୁଛ(ଲାଞ୍ଜ)ଟି ଠାକୁରଙ୍କ ବାମ ହସ୍ତରେ ଥିଲା । ଡାହାଣ ହସ୍ତରେ ମହାପ୍ରଭୁ ଅମୃତ ଲଡୁ ଧରି ଉଭା ହୋଇଥିଲେ । ଚଳନ୍ତିପ୍ରତିମା ନଗରପରିକ୍ରମା କରିବା ସହ ଲବଣିଖିଆ ବିଧି ଓ ମାର୍କଣ୍ଡେୟ ପୁଷ୍କରିଣୀରେ ପୌରାଣିକ କଥାବସ୍ତୁ ଆଧାରିତ ବିଧି ସମ୍ପନ୍ନ ହୋଇଥିଲା ।
Comments are closed, but trackbacks and pingbacks are open.