ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଯୌନ ନିର୍ଯାତନା : ଆଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ଗିରଫ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନ୍ୟୁଜ୍): ଗୁରୁ-ଶିଷ୍ୟା ସମ୍ପର୍କକୁ କଳଙ୍କିତ କରିଛନ୍ତି କେନ୍ଦୁଝର ଜିଲ୍ଲା ବାଂଶପାଣି ବ୍ଲକ୍ କାଞ୍ଜିପାଣି ସରକାରୀ ଆଶ୍ରମ ସ୍କୁଲ୍ର ପ୍ରଧାନଶିକ୍ଷକ । ତାଙ୍କ କଳା କାରନାମାକୁ ନେଇ ମୁହଁ ଖୋଲିଛନ୍ତି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ । ଛାତ୍ରୀ କହିଛନ୍ତି ଯେ, ପ୍ରଧାନ ଶିକ୍ଷକ ଏକୁଟିଆ ପାଇ ଯୌନ ନିର୍ଯାତନା ଦିଅନ୍ତି । ତାଙ୍କ କଥାରେ ରାଜି ହେଲେ ପରୀକ୍ଷାରେ ଭଲ ନମ୍ବର ମିଳିବ ନହେଲେ ଫେଲ୍ ହେବୁ କୁହନ୍ତି । ଏକଥା କାହାରିକୁ ନକହିବା ପାଇଁ ଚେତାବନୀ ଦିଅନ୍ତି । ଖାଲି ମୁଁ ନୁହେଁ ୭/୮ ଜଣ ଛାତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷକ ଏଭଳି ବ୍ୟବହାର କରିଥାନ୍ତି ବୋଲି ଆଜି ଥାନାରେ ବୟାନ ଦେଇଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ଅର୍ଜ୍ଜୁନ ଚରଣ ମହାନ୍ତ(୫୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସରକାରୀ ଆଶ୍ରମ ସ୍କୁଲ୍ରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ କାଞ୍ଜିପାଣି ଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଏକ ବିଦ୍ୟାଳୟ ୧୯୬୦ ମସିହାରେ ସ୍ଥାପନ ହୋଇଛି । ପ୍ରଥମ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ହଷ୍ଟେଲ୍ରେ ମାଗଣାରେ ରହି ପାଠପଢ଼ିବା ବ୍ୟବସ୍ଥା ଯୋଗୁ ଆଦିବାସୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରୁଛନ୍ତି । ଏହିି ଆଶ୍ରମ ସ୍କୁଲ୍ରେ ୨୯୫ ଜଣ ଛାତ୍ରୀଛାତ୍ରୀ ହଷ୍ଟେଲ୍ରେ ରହି ଶିକ୍ଷାଗ୍ରହଣ କରୁଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ କେମ୍ପସଡା ଗ୍ରାମର ଅର୍ଜ୍ଜୁନ ଚରଣ ମହାନ୍ତ(୫୦) ଦାୟିତ୍ୱରେ ରହିଛନ୍ତି । କିନ୍ତୁ କିଛିଦିନ ହେବ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ନିରୋଳାରେ କେତେକ ନିର୍ଦ୍ଦିଷ୍ଟ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପ୍ରକୋଷ୍ଠକୁ ଡାକି ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାନ୍ତି । ପ୍ରତିବାଦ କଲେ ଛାତ୍ରୀଙ୍କୁ ଧମକଚମକ ଦେବା ସହିତ ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେବେ ବୋଲି ଚେତାବନୀ ମଧ୍ୟ ଦେଉଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଏପରିକି ପ୍ରଧାନଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଖାଲି ସେତିକି ନୁହେଁ ବାଂଶପାଳ ବ୍ଲକ୍ର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମଧ୍ୟ ଛାତ୍ରୀମାନେ ଗତ ଶନିବାର ଜଣାଇଥିଲେ । ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅନେକ ଛାତ୍ରୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ହୋଇନଥିଲା । ଫଳରେ ପ୍ରଧାନ ଶିକ୍ଷକ ବେଫିକର ହୋଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ । ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ଅତ୍ୟାଚାରରେ ମାନସିକ ସ୍ଥିତି ହରାଇ ବସିଥିଲେ ।
ଗ୍ରୀଷ୍ମଛୁଟି ପୂର୍ବରୁ ଏଭଳି ଘଟଣା ନିୟମିତ କରୁଥିବା ବେଳେ ଶେଷରେ ଷଷ୍ଠ ଶ୍ରେଣୀର ଛାତ୍ରୀ ପୁଲିସ ନିକଟରେ ବୟାନ ଦେଇ ପ୍ରଧାନ ଶିକ୍ଷକଙ୍କ ଅସଲମୁଖାକୁ ଖୋଲି ଦେଇଛନ୍ତି । ଜଣେ ଅଭିଭାବିକା ହଷ୍ଟେଲକୁ ଆସିଥିବାବେଳେ ନିପୋ ଅଞ୍ଚଳର ଏହି ଛାତ୍ରୀ ତାଙ୍କୁ ସମସ୍ତ ଘଟଣା ଜଣାଇ ଘର ଲୋକଙ୍କୁ ଖବର ଦେଇଥିଲେ । ଛାତ୍ରୀଙ୍କ ପରିବାର ଲୋକେ ବୁଧବାର ବିଦ୍ୟାଳୟକୁ ଆସି ଘଟଣା ବୁଝିବା ପରେ ଝିଅକୁ ନେଇ ପଳାଇଥିଲେ । ଘଟଣା ଚପାଇ ଦେବାକୁ ଗୁରୁବାର ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଛାତ୍ରୀଙ୍କ ଘରକୁ ପଠାଇ ସମାଧାନ କରିବାକୁ ଚାପ ପକାଇଥିଲେ । ମାତ୍ର ପରିବାର ଲୋକେ ଏବଂ ନିପୋ ଗ୍ରାମବାସୀ ବିଦ୍ୟାଳୟକୁ ଆସିବା ପରିବର୍ତ୍ତେ କାଞ୍ଜିପାଣି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ ।
ଏଭଳି ମାନସିକ ବିକାରଗ୍ରସ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକେ ଦାବି କରିଥିଲେ । ଏହି ଘଟଣା ପରେ ଛାତ୍ରୀଙ୍କ ଠାରୁ ବୟାନ ସଂଗ୍ରହ ପରେ କାଞ୍ଜିପାଣି ପୁଲିସ ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଅଭିଯୁକ୍ତ ଅର୍ଜ୍ଜୁନ ଚରଣ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଖବରପାଇ ଜିଲ୍ଲାପାଳ ଆଶିଷ ଠାକ୍ରେ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ଏକ ଟିମ୍ ଗଠନ କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଶ୍ରମ ସ୍କୁଲରେ ପହଞ୍ଚି ଅନ୍ୟ ଶିକ୍ଷକଙ୍କ ଠାରୁ ବୟାନ ମଧ୍ୟ ନେଇଛନ୍ତି ।
ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ଗିରଫ ହୋଇ ଜେଲ ଯାଇଥିବାରୁ ତାଙ୍କୁ ନିଲମ୍ବନ ପାଇଁ ସୁପାରିଶ କରାଯାଇଛି । ଏହାବ୍ୟତୀତ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କହିଛନ୍ତି । ତେବେ କେନ୍ଦୁଝର ଜିଲ୍ଲାରେ ଆଶ୍ରମ ସ୍କୁଲ ଗୁଡିକରେ ଏଭଳି ଛାତ୍ରୀ ନିର୍ଯାତନା ଘଟଣା ବାରମ୍ବାର ଘଟୁଛି । କାଞ୍ଜିପାଣିରେ ଛାତ୍ରୀମାନେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ସେମାନେ ପ୍ରଧାନ ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକଙ୍କ ପକ୍ଷରୁ ପୁଲିସ ନିକଟରେ ଦାବି କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons