ବୈଶିଙ୍ଗା,(ବି.ବି.ନୁ୍ୟଜ୍): ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ଆତ୍ମହତ୍ୟା । ଗୁରୁବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଁଳା ପଞ୍ଚାୟତର ଡମ୍ବରୁଡହର ସ୍କୁଲ୍ ପରିସରରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ର ନିକଟ ମହୁଲ ଗଛରେ ପ୍ରବାସୀ ଜଣକ ଆତ୍ମହତ୍ୟା କରିଥିବା ସକାଳୁ ଦେଖିବାକୁ ମିଳିଥିଲା । ମୃତକ ଜଣକ ରାଇକମା ଗାଁର ସ୍ୱର୍ଗତ ଯଦୁନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର (୩୮) । ୨ ଦିନ ପୂର୍ବେ ସେ ବିଜୟୱାଡ଼ାରୁ ଆସି କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥିଲେ । ଖବରପାଇ ବୈଶିଙ୍ଗା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୁରେନ୍ଦ୍ର କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାର ପରଦିନ ତାଙ୍କ ପନôୀ ପ୍ରଶାନ୍ତିରୁ ଆସି ଉକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କରୋନାକୁ ନେଇ କଥାବାର୍ତ୍ତା ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ସାମାନ୍ୟ କଳହ ଉପୁଜିଥିବା ମଧ୍ୟ କୁହାଯାଉଛି । ଏହାପରେ ସୁରେନ୍ଦ୍ର ରାତିରେ କ୍ୱାରେଣ୍ଟାଇନ୍ ସେଣ୍ଟର ପଛପଟେ ଥିବା ମହୁଲ ଗଛରେ ଲୁଙ୍ଗିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଖବରପାଇ ବୈଶିଙ୍ଗା ଏଏସ୍ଆଇ ସୁଶାନ୍ତ ମହାକୁଡ଼ ଘଟଣାର ଅନୁଧ୍ୟାନ କରି ବୈଶିଙ୍ଗା ଥାନାଧିକାରୀଙ୍କୁ ଜଣାଇଥିଲେ । ପରେ ଏସ୍ଡିପିଓ ଲଳିତ ପଟ୍ଟନାୟକ, ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ୱାଇଁ, ତହସିଲଦାର ଅନୀଶା ଦାସ, ବେତନଟୀ ଥାନା ଅଧିକାରୀ ଅଶୋକ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ । ଅଗ୍ନିଶମ ବାହିନୀ ଉକ୍ତ ଗଛ ଉପରୁ ଶବ ଉଦ୍ଧାର କରିଥିଲେ । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଭିଯୋଗ ପରେ ପୁଲିସ୍ ୧୪/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।
ସଙ୍ଗରେଧ କେନ୍ଦ୍ରରେ ଏହି ଅଘଟଣ ଘଟିବା ପରେ ବିଡିଓ କିମ୍ବା ନୋଡାଲ୍ ଅଧିକାରୀ କେହି ଆସି ନ ଥିଲେ । ଏଥିଯୋଗୁଁ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ତହସିଲଦାର ଓ ବଡ଼ସାହିର ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି କେନ୍ଦ୍ରରେ ୭ ଜଣ ପୁରୁଷ ଏବଂ ୫ ଜଣ ମହିଳା ଥିଲେ । ମାତ୍ର ରାତ୍ରି ଭୋଜନ ସମୟରେ ଜଣେ କମ୍ ଥିବାବେଳେ ଏ ସମ୍ପର୍କରେ କେହି ଜଣାଇ ନ ଥିଲେ । ମୃତକର ଶବ ବ୍ୟବଚ୍ଛେଦ ନିମନ୍ତେ ଏଏସଆଇ ସୁଶାନ୍ତ ମହାକୁଡ ସହାୟତା ପ୍ରଦାନ କରିବାପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
Comments are closed, but trackbacks and pingbacks are open.