ଭୁବନେଶ୍ୱର/ବାଲେଶ୍ୱର,(ବି.ବି.ବୁ୍ୟରୋ.): ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା ଅମ୍ଫାନ୍ । ଏବେ ପାରାଦୀପଠାରୁ ୧୨୦ କିଲୋମିଟର ଦୂରରେ ଏହି ମହାବାତ୍ୟା ରହିଥିବା ସୂଚନା ରହିଛି । ପୂର୍ବରୁ ଏହି ମହାବାତ୍ୟା ପଶ୍ଚିମବଙ୍ଗରେ ରାତିରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ ରହିଛି । ଏବେ କିନ୍ତୁ ଆଗୁଆ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବ ବୋଲି ଆକଳନ ହୋଇଛି । ସର୍ବାଧିକ ବେଗ ୧୮୦ କିଲୋମିଟର ହୋଇପାରେ । ପଶ୍ଚିମବଙ୍ଗ ମୁହାଁ ଏହି ମହାବାତ୍ୟା ଯାଉଥିବାରୁ ପାରାଦୀପରେ ବାତ୍ୟାର ତୀବ୍ରତା ଅପସରି ଯାଉଥିବା ବେଳେ ପବନର ବେଗ ମଧ୍ୟ କମିଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ବାତ୍ୟା ମୁଖ୍ୟ ଆର.କେ. ଜେନାମଣି । ତେବେ ପାରାଦୀପରୁ ପଶ୍ଚିମବଙ୍ଗ ଯାଉଥିବାବେଳେ ମଝିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ରହିଛି । ତେଣୁ ଏହି ତିନି ଜିଲ୍ଲାରେ ଏବେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ଏମତିକି ସକାଳେ ଯେଉଁ ବେଗରେ ପବନ ବହୁଥିଲା ତାଠାରୁ ଅଧିକ ରହିବ ପବନର ବେଗ । ଏଯାବତ୍ ବାତ୍ୟା ଅମ୍ଫାନ୍ ପୂର୍ବ ଆକଳନ ଅନୁସାରେ ଠିକ୍ ଗତିପଥରେ ଗତି କରୁଥିବା ସୂଚନା ରହିଛି ।
Comments are closed, but trackbacks and pingbacks are open.