ସମ୍ବଲପୁର,(ବି.ବି.ନୁ୍ୟଜ): କଟକରେ ନକଲି ସସ୍ରୁ ନେଇ ଜର୍ଦ୍ଧା କାରଖାନା ଯାଏ ଠାବ କରାଯିବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଏବେ ସମ୍ବଲପୁର ବଜାରରେ ମଧ୍ୟ ନକଲି ସର୍ଫ ବିକ୍ରି ହେଉଥିବା ନେଇ ଅଭିଯୋଗ ହେବା ପରେ ଅଇଁଠାପାଲି ପୁଲିସ୍ ଓ କ୍ଷେତରାଜପୁର ପୁଲିସ୍ ମିଳିତ ଭାବେ ଚଢ଼ଉ କରିଛି । ଅଇଁଠାପାଲି ଥାନା ବରେଇପାଲି ନୂଆପଡ଼ାର ଅଜୟ ଭବନସ୍ଥିତ ଗୋଦାମ ଓ କ୍ଷେତରାଜପୁର ଫାଟକସ୍ଥିତ ଗୋଦାମରୁ ୨୪୪ ବସ୍ତାରେ ଥିବା ୨୫ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ କରାଯାଇଛି । ଏହି ଘଟଣାରେ ଗୋଦାମ ମାଲିକ ଆଶିଷ ଅଗ୍ରୱାଲ ଓ ବିନା ବିଲ୍ରେ ସର୍ଫ ନେଇଥିବା ଫାଟକ ଅଞ୍ଚଳର ବ୍ୟବସାୟୀ ନରେଶ ଅଗ୍ରୱାଲକୁ ପୁଲିସ୍ ଅଟକ ରଖିଥିବା ସମୟରେ ଏନେଇ ଭିନ୍ନ ଭିନ୍ନ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସେପଟେ, ଏତେ ସଂଖ୍ୟକ ନକଲି ସର୍ଫ କେଉଁଠୁ ଆସିଲା ଓ ଏହାର ଡିପୋ କେଉଁଠାରେ ରହିଛି ସେନେଇ ପୁଲିସ୍ ତନାଘନା ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ଗତ କିଛି ମାସ ହେବ ସମ୍ବଲପୁର ବଜାରରେ ନକଲି ସର୍ଫ ଏକ୍ସଏଲ୍ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏନେଇ ସର୍ଫ ଏକ୍ସଏଲ୍ ପ୍ରସ୍ତୁତକାରୀ କମ୍ପାନି ହିନ୍ଦୁସ୍ଥାନ ୟୁନିଲିଭରର ଏକ ଟିମ୍ ସମ୍ବଲପୁର ଆସି ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲା । ଏହି ସମୟରେ ଏକାଧିକ ନମୁନା ହିନ୍ଦୁସ୍ଥାନ ୟୁନିଲିଭରର ନୁହେଁ ବୋଲି ଜଣାପଡ଼ିଥିଲା । ସନେ୍ଦହରେ ଉକ୍ତ ଟିମ୍ ଆଶିଷ ଅଗ୍ରୱାଲର ଗୋଦାମରୁ ୧ ବସ୍ତା ସର୍ଫ କିଣିବା ପରେ ନମୁନା ପରୀକ୍ଷଣ ପଠାଇବା ପରେ ବଜାରରେ ବୁଲୁଥିବା ନକଲି ସର୍ଫ ଏକ୍ସଏଲ୍ ଏଠାରୁ ଯାଉଥିବା ନେଇ ସ୍ପଷ୍ଟ ହୋଇଥିଲା । ଏସମ୍ପର୍କରେ ହିନ୍ଦୁସ୍ଥାନ ୟୁନିଲିଭରର ଡି.ନୟନତାରା ସମ୍ବଲପୁର ପୁଲିସ୍ରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ୍ ପ୍ରାଥମିକ ତଦନ୍ତ ଆଳରେ ସମୟ ଗଡ଼ାଇ ଚାଲିଥିଲା । ଶନିବାର କମ୍ପାନି ପକ୍ଷରୁ ସମ୍ବଲପୁର ଏସ୍ପିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ଏହାପରେ ଏସପି ବାତୁଲା ଗଙ୍ଗାଧର ତୁରନ୍ତ ଭିନ୍ନ ଭିନ୍ନ ୨ଟି ଟିମ୍ ଗଠନ କରି ଚଢ଼ଉ ପାଇଁ ନିଦେ୍ର୍ଧଶ ଦେଇଥିଲେ ।
ନୂଆପଡ଼ାସ୍ଥିତ ଗୋଦାମରେ ଚଢ଼ଉ ସମୟରେ ମୋଟ ୨୩୯ ବସ୍ତା ସର୍ଫ ଏକ୍ସଏଲ୍ ଜବତ କରାଯାଇଥିବା ସମୟରେ କ୍ଷେତରାଜପୁର ଥାନା ଫାଟକ ଅଞ୍ଚଳର ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କ ଗୋଦାମରୁ ୫ ବସ୍ତା ସର୍ଫ ଜବତ କରାଯାଇଥିଲା । ପ୍ରାଥମିକ ତଦନ୍ତ ପରେ ଏହି ସର୍ଫ ଛତିଶଗଡ଼ରୁ ପ୍ୟାକିଂ ହୋଇ ସମ୍ବଲପୁରକୁ ଆସୁଥିବା ଜଣାପଡ଼ିଥିଲା । ତେବେ ସାଧାରଣ ଗ୍ରାହକଙ୍କୁ ଠକିବା ଉଦେ୍ଧଶ୍ୟରେ କେବଳ ୯୦ ଗ୍ରାମର ୧୦ ଟଙ୍କିଆ ପାଉଚ୍ ହିଁ ଏଠାକୁ ଆସିବା ପରେ ଅସଲି ସର୍ଫ ଏକ୍ସଏଲ୍ ସହ ମିଶାଇ ବଜାରକୁ ଛଡ଼ାଯାଉଥିବା ଜଣାପଡ଼ିଛି ।
Comments are closed, but trackbacks and pingbacks are open.