ହରିୟାଣା: ଏକ ଦୁଷ୍କର୍ମ ମାମଲାର ବିଚାର କରୁଥିବା ଯମୁନାନଗର କୋର୍ଟ ଯୁଗାନ୍ତକାରୀ ରାୟ ଘୋଷଣା କରିଛନ୍ତି। କୋର୍ଟ କହିଛନ୍ତି ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ଅପରାଧ ଶ୍ରେଣୀୟ ନୁହେଁ। ଏଣୁ ମାମଲାରେ ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ଏକ ହସ୍ପିଟାଲର ଅଧିକ୍ଷକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗର ଶୁଣାଣି ବେଳେ କୋର୍ଟ ଏହି ରାୟ ଦେଇଛନ୍ତି।ପ୍ରକାଶ ଯେ ଯମୁନାନଗର ସିଭିଲ ହସ୍ପିଟାଲର ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ ବିରୋଧରେ ଜନୈକା ମହିଳା କର୍ମଚାରୀଙ୍କ ପୋଲିସରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ୩୧ ଜୁଲାଇ ୨୦୧୬ରେ ତ୍ୟାଗୀଙ୍କ ବିରୋଧରେ ପୋଲିସ ଦୁଷ୍କର୍ମ ମୋକଦ୍ଦମା ରୁଜୁ କରିବା ସହ ଗିରଫ କରି କୋର୍ଟରେ ହାଜର କରିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହା ଏପ୍ରିଲ ୨୪ ତାରିଖ ରାତିରେ ଡାକ୍ତର ତ୍ୟାଗୀ ତାଙ୍କ ଘରକୁ ଯାଇ ତାଙ୍କ ପ୍ରତି ଦୁଷ୍କର୍ମ କରିଥିଲେ। ପରିବାର ଲୋକେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ମହିଳା ଘରେ ଏକାକୀ ଥିଲେ।ଡା. ତ୍ୟାଗୀ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରତି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ପୀଡିତା ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗର ତଦନ୍ତରେ ଡା. ତ୍ୟାଗୀ ଘଟଣା ଦିନ ଡ୍ୟୁଟିରେ ଥିବା ହସ୍ପିଟାଲ ଡ୍ୟୁଟି ଚାର୍ଟରୁ ଜଣାପଡିଥିଲା। ସେହିପରି ମହିଳା ଘରେ ଏକାକୀ ଥିଲେ ବୋଲି କହିଥିଲେ । ହେଲେ ତାଙ୍କ ଘରେ ଜଣେ ଭଡାଟିଆ ବି ରହୁଥିବା ବେଳେ ସେଦିନ ତାଙ୍କ ଭାଇ ଦିଲ୍ଲୀରୁ ଘରକୁ ଫେରିଥିବାର ପୋଲିସ କୋର୍ଟରେ ପ୍ରମାଣ ଦାଖଲ କରିଥିଲା।ମହିଳାଙ୍କ ଅଭିଯୋଗ ଓ ପୋଲିସର ତଦନ୍ତ ପରସ୍ପର ପରିପୁରକ ହୋଇଥିବା ବେଳେ କୋର୍ଟ ଏହାକୁ ସହମତିରେ ଶାରୀରିକ ସମ୍ପର୍କ ବୋଲି କହିଛନ୍ତି। ଏଣୁ ଏଭଳି କ୍ଷେତ୍ରରେ ଅଭିଯୋଗକୁ ଦୁଷ୍କର୍ମ ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିବା ବେଳେ ମୋକଦ୍ଦମାକୁ ଖାରଜ କରିଦେଇଛନ୍ତି। ଫଳରେ ଅଭିଯୁକ୍ତ ଡାକ୍ତର ଦୁଷ୍କର୍ମ ଅଭିଯୋଗରୁ ନିର୍ଦ୍ଦୋଷରେ ମୁକ୍ତ ହୋଇଯାଇଛନ୍ତି।
Comments are closed, but trackbacks and pingbacks are open.