ଜୟପୁର: ଛତଡ଼ିପୁଟର ଜଣେ ଯୁବକଙ୍କୁ ନୃଶଂସ ହତ୍ୟା ମାମଲାର ପର୍ଦ୍ଧାଫାସ କରିଛି ସଦର ପୁଲିସ । ଗାଁରେ ସାକ୍ଷ୍ୟ ଦେବାକୁ କେନ୍ଦ୍ରକରି ଉପେନ୍ଦ୍ର ଗାଦବା(୧୯)ଙ୍କୁ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି । ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଛତଡ଼ିପୁଟର ଘାସିରାମ ଗାଦବା ଓରଫ ଘାସି(୨୦) ଏବଂ ବଳରାମ ଗାଦବା ଓରଫ ମେଟା(୨୫) । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ୪ ତାରିଖରେ ଛତଡ଼ିପୁଟରେ ଏକ ସାମାନ୍ୟ ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଘାସି ହାତରେ ଏକ ଟାଙ୍ଗିଆ ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଜଣେ ମହିଳା ଅଭିଯୋଗ କରିଥିଲେ । ଏହାକୁ ନେଇ ପରଦିନ ସକାଳେ ଗାଁରେ ଏକ ବୈଠକ ବସିଥିଲା । ଅଭିଯୋଗକୁ ଅସ୍ୱୀକାର କରିଥିଲା ଘାସି । ସେ ହାତରେ ଟାଙ୍ଗିଆ ଧରିଥିବା କିଏ ଦେଖିଛି ବୋଲି ସଭାରେ ପ୍ରଶ୍ନ କରିଥିଲା । ଉପେନ୍ଦ୍ର ଦେଖିଥିବା କହିବା ପରେ ଘାସିଙ୍କ ପରିବାରକୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡିଥିଲା । ଏହାକୁ ନେଇ ଘାସି ଅପମାନିତ ହୋଇଥିଲା । ପ୍ରତିଶୋଧ ନେବାକୁ ମନେ ମନେ ସ୍ଥିର କରିଥିଲା । ପରଦିନ ଅର୍ଥାତ ରାତି ପ୍ରାୟ ସାଢେ ୭ରେ ଘାସି ଏକ ଛୁରୀ ଧରି ବଳରାମକୁ ଡାକିଥିଲା । ଉଭୟ ଏକ ବାଇକ୍ରେ ଉପେନ୍ଦ୍ରଙ୍କୁ ବସାଇ ମଦ ପିଇ ଯିବାକୁ କହିଥିଲେ । ୩ ଜଣ ଯାକ ମଦ ପିଇଥିଲେ । ଘରକୁ ଫେରିବା ବେଳେ କଣ୍ଡାପୁଟ ଆମ୍ବତୋଟା ନିକଟରେ ଉପେନ୍ଦ୍ରଙ୍କୁ ବାଇକ୍ରୁ ଓହ୍ଲାଇବାକୁ ସେମାନେ କହିଥିଲେ । ସାଙ୍ଗ ହୋଇ ବୈଠକରେ କାହିଁକି ସାକ୍ଷ୍ୟ ଦେଲୁ ବୋଲି ଘାସି ପଚାରିଥିଲା । ଉପେନ୍ଦ୍ର ଏଥିରେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ କରିଥିଲେ । ପରେ ବଳରାମ ଉପେନ୍ଦ୍ରଙ୍କୁ ପଛପଟୁ ଧରିବା ପରେ ଘାସି ସାଙ୍ଗରେ ଆଣିଥିବା ଛୁରୀରେ ଆକ୍ରମଣ କରିଥିଲା । ଗୁରୁତର ଆହତ ହୋଇ ଉପେନ୍ଦ୍ର ତଳେ ପଡ଼ିଯାଇଥିଲେ । ପରେ ଏକ ପଥର ଆଣି ଘାସି ଉପେନ୍ଦ୍ରଙ୍କ ମୁଣ୍ଡରେ ଛେଚି ନୃଶଂସ ଭାବେ ହତ୍ୟା କରିଥିଲା । ଘଟଣାସ୍ଥଳରେ ଉପେନ୍ଦ୍ରଙ୍କ ମୃତୁ୍ୟ ହୋଇଥିଲା । ଏହାପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ ।
ଗତ ୮ ତାରିଖରେ ଉପେନ୍ଦ୍ରଙ୍କ ମୃତଦେହ ପଡ଼ିଥିବା ସମ୍ପର୍କରେ ଜଣାପଡିବା ପରେ ତାଙ୍କ ବାପା ହର ଗାଦବା(୫୦) ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଓଆଇସି ଶ୍ରୀ ମହାକୁଡ଼, ଏସଡିପିଓ ଶ୍ରୀ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍କ୍ୱାଡ୍ ତନାଘନା କରିଥିଲା । ମୁଖ୍ୟ ଅଭିଯୁକ୍ତ ଘାସିର ଘର ପର୍ଯ୍ୟନ୍ତ କୁକୁର ଯାଇଥିଲା । ସେତେବେଳକୁ ଘାସି ଫେରାର ହୋଇ ଯାଇଥିଲା । ଲମତାପୁଟ ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରେ ଅଭିଯୁକ୍ତ ଥିବା ଜଣାପଡିବା ପରେ ୧୦ ତାରିଖ ରାତିରେ ସେମାନଙ୍କୁ ଗିରଫ କରାଯାଇଥିଲା । ଓଆଇସି ଶ୍ରୀ ମହାକୁଡ଼ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.