ସାଙ୍ଗର ଛୁରା ମାଡ଼ରେ ଆଖି ବୁଜିଲେ

Get real time updates directly on you device, subscribe now.

ଇନ୍ଦ୍ରାବତୀ,(ବି.ବି.ନୁ୍ୟଜ): ପରିବାରର ପେଟପାଟଣା ପାଇଁ ଦାଦନ ଖଟିବାକୁ ସୁଦୂର ଚେନ୍ନାଇ ଯାଇଥିଲେ । ସେଠାରେ ସାଙ୍ଗର ଛୁରା ମାଡ଼ରେ ପ୍ରାଣ ହରାଇଲେ । ଆଜି ଶବ ଗାଁକୁ ଫେରିବା ପରେ ସୃଷ୍ଟି ହୋଇଥିଲା ଚାପା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ୍ ବୁଝାସୁଝା କରିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ୍ ମେଣ୍ଟ୍ରି ପଞ୍ଚାୟତ ହିର୍ଲାଗୁଡା ଗାଁରେ । ମୃତ ଯୁବକଙ୍କ ନାଁ କେତନ ହରିଜନ । କେତନଙ୍କୁ ହତ୍ୟା ପରେ ଅଭିଯୁକ୍ତ ବନମାଳି ହରିଜନ(୨୨) ଫେରାର୍ ହୋଇଯାଇଛି । ପୁଲିସ୍ ତାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।
ମିଳିଥିବା ସୂଚନା ଅନୁଯାୟୀ, ୩ ମାସ ତଳେ ହିର୍ଲାଗୁଡା ଗାଁର କେତନ ଓ ତାଙ୍କ ସାଥୀ ବନମାଳି ଦୁହେଁ ମିଶି ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ । ସେଠାରେ ଏକ ରାଇସ୍ ମିଲ୍ରେ ଦୁହେଁ କାମ କରି ଗୋଟିଏ ରୁମ୍ରେ ରହୁଥିଲେ । ଗତ ୧୪ ତାରିଖ ରାତି ୯ଟାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବନମାଳି ଏକ ଛୁରୀରେ କେତନଙ୍କୁ ଆକ୍ରମଣ କରିଥିଲା । ଛୁରୀ ଭୁସିବା ପରେ ବନମାଳି ଫେରାର୍ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ କେତନ ଅନ୍ୟ ଜଣେ ସାଥୀ ଅଭିନନ୍ଦନ ଟାକ୍ରିଙ୍କୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ଅଭିନନ୍ଦନ ତାଙ୍କୁ ସେଠାକାର ଏକ ମେଡିକାଲ୍ରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଭୋର୍ ସମୟରେ ତାଙ୍କ ମୃତୁ୍ୟ ହୋଇଥିଲା । ଫୋନରେ ଏହି ଦୁଃଖଦ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ କାନ୍ଦବୋବାଳି ପଡ଼ି ଯାଇଥିଲା । ସେଠାକାର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ୍ ଅଭିନନ୍ଦନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ବନମାଳିକୁ ଗିରଫ କରିବାରେ ସଫଳ ହୋଇନି ପୁଲିସ୍ ।
କେତନଙ୍କ ଶବ ଗାଁକୁ ଆଣିବା ଲାଗି ଜିଲ୍ଲାର ଦୁଇ ବିଧାୟକ ସଦାଶିବ ପ୍ରଧାନୀ ଓ ମନୋହର ରନ୍ଧାରୀ ହସ୍ତକ୍ଷେପ କରିଥିଲେ । ଦୁଇ ବିଧାୟକଙ୍କ ଉଦ୍ୟମରେ ଏକ ଆମ୍ବୁଲାନ୍ସରେ ଗାଁକୁ ଫେରିଥିଲା ଶବ । ଏଠାରେ ଶବ ପହଞ୍ଚିବା ପରେ କେତନ ଓ ବନମାଳିଙ୍କ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନମାଳିର ଘର ଆଗରେ ଶବଦାହ କରିବେ ବୋଲି କେତନଙ୍କ ପରିବାର ଲୋକେ ଜିଦ୍ ଧରିଥିଲେ । ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଗାଁରେ ପହଞ୍ଚିଥିଲା ପୁଲିସ୍ । ଏସ୍ଡିପିଓ ଆଦିତ୍ୟ ସେନଙ୍କ ନେତୃତ୍ୱରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ, ଏଏସ୍ଆଇ ଅଭିମନୁ୍ୟ ସାହୁଙ୍କ ସମେତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଆଲୋଚନାରେ ମେଣ୍ଟ୍ରି ସରପଞ୍ଚ ଅନସୂୟା ଭତ୍ରା, ବିଧାୟକ ପ୍ରତିନିଧି ଦୟାନିଧି ବିଶୋଇ, ସୀତୁ ଦାସଙ୍କ ପ୍ରମୁଖ ଉପସ୍ଥିତିରେ ପୁଲିସ୍ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଶବସକ୍ରାର କରାଯାଇଥିଲା । ସୂଚନାଥାଉକି, ମୃତ କେତନଙ୍କ ସ୍ତ୍ରୀ ଓ ୬ ମାସର ଶିଶୁକନ୍ୟା ଅଛନ୍ତି । ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons