ସୁରଟ ପୁଲିସ ମାଡ଼ରେ ଓଡ଼ିଆଙ୍କ ମୃତୁ୍ୟ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସୁରଟରେ ଫସି ରହିଥିବା ଓଡ଼ିଆଙ୍କ ଦୁର୍ଦ୍ଧଶାର ଅନ୍ତ ଘଟୁନି । କାମ ଓ ରୋଜଗାର ଅଭାବରୁ ଭଲରେ ମୁଣ୍ଡ ଗୁଞ୍ଜିବା ସହ ଖାଦ୍ୟ ପାଇଁ ଡହଳବିକଳ ହେଉଥିବା ଆଉ ଏବେ ନିଜ ଭିଟାମାଟି ଫେରିବାକୁ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହେଉଥିବା ଓଡ଼ିଆଙ୍କ ଦୁଃଖଦୁର୍ଦ୍ଧଶାର ଗୋଟିଏ ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି । ସୁରଟର ଆମ୍ରୋଲି ଥାନା ପୁଲିସ ମାଡ଼ରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାରୁଡ଼ାର ସତ୍ୟ ସ୍ୱାଇଁ । ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଶୁକ୍ରବାର ମୃତଦେହ ସୁରଟ ସିଭିଲ୍ ହସ୍ପଟାଲ୍ରେ ବ୍ୟବଚ୍ଛେଦ ପରେ ସେଠି ହିଁ ଅନ୍ତିମ ସଂସ୍କାର କରାଯାଇଛି । ଖବର ପାଇ ଗାଁରେ ଥିବା ସ୍ତ୍ରୀ ମୀନତି ଓ ୭ ବର୍ଷର ଭିନ୍ନକ୍ଷମ ପୁଅ, ପରିବାର ଲୋକଙ୍କ କାନ୍ଦବୋବାଳିରେ ଘର ଫାଟି ପଡ଼ିଛି ।
ଲକ୍ଡାଉନ୍- ୨ ସରିବା ପୂର୍ବରୁ ହିଁ ସୁରଟରୁ ଗଞ୍ଜାମ ଜିଲ୍ଲାକୁ ଫେରିବା ପାଇଁ ସେଠି ରହୁଥିବା ପ୍ରାୟ ୪ ଲକ୍ଷରୁ ଊଦ୍ଧ୍ୱର୍ ଓଡ଼ିଆ ଶ୍ରମିକ ବିଭିନ୍ନ ଉପାୟ କରି ଆସୁଛନ୍ତି । ବର୍ତ୍ତମାନ ବସ୍ ଯୋଗେ ଆସିବାକୁ ସରକାର ଅନୁମତି ଦେଉ ନଥିବା ବେଳେ ଦିନକୁ ୨-୩ଟି ଟ୍ରେନ୍ ମାତ୍ର ବାହାରୁଛି । ସେଥିରେ ମାତ୍ର ୨ରୁ ୩ ହଜାର ଲୋକ ହିଁ ଦୈନିକ ଆସି ପାରୁଛନ୍ତି । ପୁଣି ଟ୍ରେନ୍ ଟିକଟ କଳାବଜାରୀ ହେଉଥିବାରୁ ଲୋକେ ଧୈର୍ଯ୍ୟ ହରାଇଲେଣି । ଦୁଇ-ତିନି ଦିନ ହେଲା ସୁରଟର ବିଭିନ୍ନ ଥାନା ଅଞ୍ଚଳରେ ଏ ନେଇ ଓଡ଼ିଆମାନେ ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଶହ ଶହ ଶ୍ରମିକ ସପରିବାର, ଜିନିଷପତ୍ର ଧରି ଚାଲି ଚାଲି ସୁରଟରୁ ବାହାରିଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଅଟକାଇଛି । ଗୁରୁବାର ସନ୍ଧ୍ୟାରେ ମଧ୍ୟ ଆମ୍ରୋଲି ଥାନା ଇଲାକାରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ପୁଲିସ ସେମାନଙ୍କୁ ଘଉଡ଼ାଇବା ଆରମ୍ଭ କରିଥିଲା ।
ସତ୍ୟଙ୍କ ଶଳା ମନୋଜ ପ୍ରଧାନ (ସୁରଟରେ ହିଁ ରୁହନ୍ତି)ଙ୍କ କହିବା ପ୍ରକାରେ- ତାଙ୍କ ଜ୍ୱାଇଁ କାମ କରୁଥିବା ଟେକ୍ସଟାଇଲ୍ କାରଖାନା (ଅଞ୍ଜନି ଇଣ୍ଡଷ୍ଟ୍ରୀ, ବିଭାଗ ନମ୍ବର-୧, କୋଠା ନମ୍ବର- ୧୫୮/୧୫୯/୧୬୦) ନିକଟରେ ଏକ ପ୍ରବାସୀ ଓଡ଼ିଆଙ୍କ ମେସ୍ ରହିଛି । ସେଠି ଓଡ଼ିଶା ଯାଉଥିବା ଟ୍ରେନ୍ ପାଇଁ ଟିକଟ ମିଳୁଥିଲା । ଟିକଟ କମ୍, ଲୋକ ଅଧିକ, ପୁଣି କଳାବଜାରୀ ଅଭିଯୋଗ ନେଇ ଆନେ୍ଦାଳନ ଚାଲିଥିଲା । ଗୁରୁବାର ସନ୍ଧ୍ୟାରେ ପୁଲିସ ଆନେ୍ଦାଳନକାରୀଙ୍କୁ ଘଉଡ଼ାଉଥିଲା । ଆନେ୍ଦାଳନକାରୀ କିଛି ଏପଟ କାରଖାନା ଆଡ଼କୁ ଦୌଡ଼ି ଚାଲି ଆସିଥିଲେ । ଆମ ଜ୍ୱାଇଁ ଅନ୍ୟମାନଙ୍କ ସହ ମିଶି ଚାହା ପିଉଥିଲେ । ଧାଁ ଦଉଡ଼ ଦେଖି କୋଠା ଭିତରକୁ ଚାଲିଗଲେ । ମାତ୍ର ପିଚ୍ଛା କରୁଥିବା ପୁଲିସ କାରଖାନା କୋଠାରେ ଆନେ୍ଦାଳନକାରୀ ଲୁଚିଥିବା ଭାବି ଜବରଦସ୍ତ ପଶିଥିଲା । ଏତେ ମାରପିଟ କରିଥିଲା ଯେ ତାଙ୍କ ମୃତୁ୍ୟ ଘଟିଥିଲା ବୋଲି କହିଛନ୍ତି ।
ସତ୍ୟଙ୍କ ସହ ରହୁଥିବା ରମେଶ କୁମାର କହିଛନ୍ତି ଯେ- ଗୁରୁବାର ସନ୍ଧ୍ୟାରେ ଆମେ ସବୁ କାମ କରୁଥିବା କାରଖାନାର ୫ ମହଲା କୋଠା ତଳେ ବସିଥିଲୁ । ସେପଟୁ ପୁଲିସ ଲୋକଙ୍କୁ ଘଉଡ଼ାଉଥିବା ଦେଖି ଆମେ କୋଠା ଉପରକୁ ଚାଲିଗଲୁ । ପୂର୍ବରୁ ହିଁ ଉପର ପାଶ୍ୱର୍ କେତେକ କୋଠରୀରେ କାରଖାନା ମାଲିକ ଆମ ରହିବା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଘଟଣା ବେଳେ ତଳ ପଟେ କେହି ଜଣେ ତାଲା ପକାଇ ଦେଇଥିଲା । ମାତ୍ର ଉତ୍ତ୍ୟକ୍ତ ୧୨ରୁ ୧୪ ଜଣ ୟୁନିଫର୍ମ ପିନ୍ଧିଥିବା ପୁଲିସ ସଟର୍ ତାଡ଼ି କୋଠା ଭିତରେ ପଶିଥିଲେ । ଏପରିକି ଆମେ ରହୁଥିବା ଗୋଟିଏ କୋଠରୀର କବାଟ ମଧ୍ୟ ତାଡ଼ି ଦେଇଥିଲେ । ଆମ ପାଖକୁ ଆସି ତାଲା କିଏ ପକାଇଲା ବୋଲି ପଚାରିଥିଲା । ଆମେ କେହି ପକାଇନାହୁଁ କିମ୍ବା କିଏ ପକାଇଛି ଆମେ ଜାଣିନୁ ବୋଲି ଉତ୍ତର ଦେଇଥିଲେ ସତ୍ୟ । କ୍ଷୁବ୍ଧ ୪-୫ ଜଣ ପୁଲିସବାଲା ଆମକୁ ଲାଠିରେ ପିଟିଥିଲେ । ସତ୍ୟକୁ ଅଧିକ ମାଡ଼ ମାରିଥିଲେ । ପରେ ଆମକୁ ତଳକୁ ଓହ୍ଲାଇ ଏକ ଅଟୋରେ ବସାଇ ଥାନାକୁ ନେଇଥିବା ବେଳେ ସତ୍ୟକୁ ପୁଲିସ ଗାଡ଼ି ପଛପଟେ ବସାଇଥିଲା । ପରେ ଆମେ ସତ୍ୟର ମୃତୁ୍ୟ ବାବଦରେ ଜାଣିଲୁ ।
ସୁରଟରେ ପ୍ରବାସୀ ଓଡ଼ିଆ ସଙ୍ଗଠକ ରଘୁନାଥ ପଣ୍ଡା ସୂଚନା ଦେଇଛନ୍ତି ଯେ- ପୁଲିସ ମାଡ଼ରେ ସତ୍ୟଙ୍କ ମୃତୁ୍ୟ ଘଟିଛି । ପ୍ରଥମେ କୋଠା ଭିତରେ ପଶି ପୁଲିସ ପିଟିଥିଲା, ପୁଣି ଥାନାକୁ ଅଲଗା ନେଇଥିଲା । ସତ୍ୟଙ୍କ ଶଳାଙ୍କ କହିବା ପ୍ରକାରେ କୋଠା ଭିତରେ ହିଁ ପ୍ରବଳ ମାଡ଼ରେ ସତ୍ୟଙ୍କ ଜୀବନ ଚାଲି ଯାଇଥିଲା । ତାଙ୍କ ମୃତୁ୍ୟ ଆଶଙ୍କା କରି ପୁଲିସ ଅନ୍ୟମାନଙ୍କ ଠାରୁ ଅଲଗା କରି ସତ୍ୟଙ୍କୁ ନେଇଥିଲା ବୋଲି କହିଛନ୍ତି ସେ । ଏପଟେ ଗାଁରେ ସତ୍ୟଙ୍କ ସ୍ତ୍ରୀ ମୀନତି, ୭ ବର୍ଷର ପୁଅ, ବାପା ନାରାୟଣ ସ୍ୱାଇଁ ଓ ଭାଇ ତାଙ୍କ ପରିବାର ସହ ରହୁଛନ୍ତି । ପୁଅ ମାନସିକ ଭିନ୍ନକ୍ଷମ । ଏଭଳି ଖବର ପାଇ ସତ୍ୟଙ୍କ ପରିବାର ଅଥୟ ହୋଇ ପଡ଼ିଛନ୍ତି । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଶେଷ ଥର ପାଇଁ ସ୍ୱାମୀଙ୍କୁ ଦେଖିବାକୁ ସୁଯୋଗ ପାଇନାହାନ୍ତି ମୀନତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons