ସୁରେଶ ମହାପାତ୍ର ହେବେ ମୁଖ୍ୟ ଶାସନ ସଚିବ!

Get real time updates directly on you device, subscribe now.

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କୁ ଅବସର ପାଇଁ ସରକାର ଇତି ମଧ୍ୟରେ ଅନୁମୋଦନ ଦେଇସାରିଛନ୍ତି । ପରବର୍ତୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି । ବରିଷ୍ଠତା ତାଲିକାରେ ବର୍ତମାନ ରାଜ୍ୟରେ ଯେତେଜଣ ଆଇଏଏସ ଅଫିସର ଅଛନ୍ତି ସେମାନଙ୍କ ଭିତରେ ଏସ ସି ମହାପାତ୍ର ଆଗରେ । ସେ ଏବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର (ଡିସି) ଅଛନ୍ତି । ମୁଖ୍ୟ ଶାସନ ସଚିବ ହେବା ନେଇ କେବଳ ସରକାରୀ ବିଜ୍ଞପ୍ତି ଜାରି ହେବା ବାକି ଅଛି ।
ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ହେଲେ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଭାବେ କିଏ ଯିବେ, ସେଥିନେଇ ଚାଲିଛି ଛକାପଞ୍ଝା । ଶ୍ରୀ ମହାପାତ୍ରଙ୍କ ତଳେ ଯେଉଁମାନେ ବରିଷ୍ଠତା ତାଲିକାରେ ଅଛନ୍ତି, ସେମାନଙ୍କ ଭିତରୁ ଏସପି ଠାକୁରଙ୍କୁ ଛାଡିଦେଲେ ଅନ୍ୟ ୩ ଜଣ ଅଫିସର ଜିଭିବି ଶର୍ମା, ତୁହିନକାନ୍ତ ପାଣ୍ଡେ ଓ ନିକୁଂଜ ସୁନ୍ଦର ରାୟ ଡେପୁଟେସନରେ ଦିଲ୍ଲୀକୁ ଯାଇଛନ୍ତି । ଶ୍ରୀ ଠାକୁର ଓଡିଶାରେ ଥିଲେ ବି ତାଙ୍କୁ କେବିକେ ପ୍ରଶାସକ ଭାବେ ନିଯୁକ୍ତ କରାଯାଇ ସଚିବାଳୟଠାରୁ ଦୂରରେ ରଖାଯାଇଛି । ଏମାନଙ୍କ ପରେ ବରିଷ୍ଠତା ତାଲିକାରେ ଆସୁଛନ୍ତି ଆରକେ ଶର୍ମା । ସେ ଏବେ କୃଷି ଉନ୍ନୟନ କମିଶନର ଅଛନ୍ତି । କୁହାଯାଉଛି, ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ହେଲେ ସରକାର ଚାହିଁଲେ ଶ୍ରୀ ଶର୍ମା ହିଁ ସେହି ସ୍ଥାନକୁ ଯାଇପାରିବେ । ନଚେତ୍ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି । କିନ୍ତୁ ଶ୍ରୀ ଶର୍ମାଙ୍କ କଥା ଅଧିକ କୁହାଯାଉଛି । ପ୍ରଦୀପ୍ତଙ୍କ ଉପରେ ୨ ଜଣ ଅଫିସର ଅଛନ୍ତି । ସେମାନଙ୍କ ଭିତରୁ ଅବଶ୍ୟ ଜଣେ ଡେପୁଟେସନରେ ଦିଲ୍ଲୀ ଯାଇଛନ୍ତି । ଅନ୍ୟ ଜଣେ ଓଡିଶାରେ ଅଛନ୍ତି । ରାଜେଶ ବର୍ମା ଦିଲ୍ଲୀ ଯାଇଥିଲା ବେଳେ ସି ଜେ ବେଣୁଗୋପାଳ ରାଜସ୍ୱ ପର୍ଷଦ ସଦସ୍ୟ ଅଛନ୍ତି ଓ ସେ ଦିଲ୍ଲୀରେ ଅତିରିକ୍ତ ମୁଖ୍ୟ ଆବାସିକ କମିଶନର ମଧ୍ୟ ଅଛନ୍ତି । ପୂର୍ବରୁ ରାଜେଶ ବର୍ମା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ତାଙ୍କୁ ପୁଣି ଫେରାଇ ଅଣାଯାଇପାରେ ବୋଲି କେହି କେହି କହୁଛନ୍ତି । ଏ ଦୃଷ୍ଟିରୁ ଆରକେ ଶର୍ମାଙ୍କ ପଲା ଭାରି ରହୁଛି ବୋଲି କୁହାଯାଉଛି । ପୂର୍ବରୁ ସେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଥିଲା ବେଳେ ସରକାରଙ୍କ ଏକ ଟଙ୍କିଆ ଚାଉଳ ଯୋଜନାକୁ ସଫଳତାର ସହ କାର୍ୟ୍ୟକାରୀ କରାଇଥିଲେ । ପରେ ଖଣି ସଚିବ ଭାବରେ ଦୀର୍ଘଦିନ ଧରି ଦାୟିତ୍ୱରେ ରହି ସରକାରଙ୍କ ବିଶ୍ୱାସ ଭାଜନ ହୋଇଥିଲେ । ଏପରିକି ସେ ମଧ୍ୟ ବରିଷ୍ଠତା ତାଲିକାରେ ଆଗରେ ଅଛନ୍ତି । ଏସପି ଠାକୁର ତାଲିକା ଆଗରେ ଥିଲେ ବି ସରକାର ତାଙ୍କୁ ଗୁରୁତ୍ୱ ଦେଉନଥିବା କଥା ଅଫିସର ମହଲରେ ଆଲୋଚନା ହୁଏ । ଏଣୁ ଆରକେ କିମ୍ବା ପ୍ରଦୀପ୍ତ ମହାପାତ୍ରଙ୍କ ଭିତରୁ କେହି ଜଣେ ଉନ୍ନୟନ କମିଶନର (ଡିସି) ହୋଇପାରନ୍ତି ବୋଲି ସଚିବାଳୟ କରିଡରରେ ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons