ସୂଚନା ଫଳକ ପଡ଼ି ଛାତ୍ରଙ୍କ ଜୀବନ ଗଲା

Get real time updates directly on you device, subscribe now.

ପୁରୁଷୋତ୍ତମପୁର, (ବି.ବି.ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବାଘଳା ପଞ୍ଚାୟତର ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୂଚନା ଫଳକ ପଡ଼ି ଶ୍ୟାମ ଦାସ (୧୧) ନାମକ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଭୋର୍ରେ ଛାତ୍ରଙ୍କର ଜୀବନ ଚାଲିଯାଇ ଥିଲା । ଡାକ୍ତରଖାନା ସୂତ୍ରରୁ ଖବର ପାଇ ପୁଲିସ ଶବ ଜବତ କରିବା ସହ ୩୭୦/୨୦୧୯ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ବଡ଼ ଡାକ୍ତରଖାନା ଫାଣ୍ଡି ଅଧିକାରୀ ଜନ୍ମେଜୟ ମଲ୍ଲିକ ।
ମଙ୍ଗଳବାର ଆଙ୍ଗୁ ୟୁପି ସ୍କୁଲରେ ମଧ୍ୟାହ୍ଣ ଭୋଜନ ସମୟ ପରେ ଛାତ୍ରଜଣକ ବିଦ୍ୟାଳୟ ପରିସର ମଧ୍ୟରେ ସାଙ୍ଗସାଥିଙ୍କ ସହ ଖେଳୁଥିଲେ । କୌଣସି ମତେ ଶ୍ୟାମ ଉକ୍ତ ସୂଚନା ଫଳକ ନିକଟକୁ ଯାଉ ଆଉଜି ହୋଇଯାଇଥିଲେ । ହଠାତ ସୂଚନା ଫଳକଟି ଶ୍ୟାମ ଦାସ ଉପରେ ଓଲଟି ପଡ଼ିଯାଇଥିଲା । ସାଙ୍ଗସାଥିଙ୍କ ଚି+ାର ଶୁଣି ସ୍କୁଲ ଶିକ୍ଷକମାନେ ତାଙ୍କୁ ଏକ ଘରୋଇ ଗାଡ଼ିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲେ । ପ୍ରଧାନଶିକ୍ଷକ ମନୁ ବେହେରାଙ୍କ ଠାରୁ ସୂଚନା ପାଇ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ଓ ବ୍ଲକ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ବଡ଼ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ଦେଖିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ୬ଟାରେ ଛାତ୍ରଜଣଙ୍କର ମୃତ୍ୟୁ ଘଟିଥିଲା ।
ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୂଚନା ଫଳକ ଯୋଗୁଁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିବା ସହ ଏଥିପାଇଁ ପରିବାର ଲୋକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅପାରଗତାକୁ ଦାୟୀ କରିଛନ୍ତି । ୧ ଲକ୍ଷ ୬୫ ହଜାର ଟଙ୍କା ବ୍ୟୟରେ ବିଦ୍ୟାଳୟର ପାଚେରୀ ତଥା ରୋଷେଇ ଘର ନିର୍ମାଣ ନିମନ୍ତେ ସୂଚନା ଫଳକଟି ବିଦ୍ୟାଳୟର ଖେଳ ପଡ଼ିଆ ଠାରେ ସ୍ଥାପନ କରାଯାଇଥିଲା । ସୂଚନା ଫଳକଟି ପଡ଼ିଆ ମଝିରେ ସ୍ଥାପନ ବେଳେ କେହି ବାରଣ କରିନଥିଲେ । ତେବେ ନିଅଁ ଖୋଳି ସୂଚନା ଫଳକ ସ୍ଥାପନ ବଦଳରେ କେବଳ ଇଟା, ସିମେଣ୍ଟ୍ କାମରେ ମାଟିକୁ ଅଳ୍ପ ଖୋଳି ଫଳକଟି ସ୍ଥାପନ କରାଯାଇଥିଲା । ଫଳରେ ଆଉଜି ହୋଇଯିବାରୁ ତାହା ଧସି ଜଣେ ଛାତ୍ରର ମୃତ୍ୟୁ ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଦ୍ୟାଳୟ ପରିସର ଅତି କଦର୍ଯ୍ୟ ହୋଇପଡ଼ିଛି, ଯାହାକି ଛାତ୍ରଛାତ୍ରୀମାନଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି କିଛି ଗ୍ରାମବାସୀ । ତେଣେ ପୁଅର ମୃତ୍ୟୁକୁ ନେଇ ସାରା ପରିବାର ଶୋକରେ ବୁଡ଼ି ଯାଇଥିବା ବେଳେ ପରିବାରକୁ କିଛି ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
ସେପଟେ ଛାତ୍ର କେମିତି ସେଠାକୁ ଗଲେ ଏବଂ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ଆସିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଗୁରୁଶିଷ୍ୟ କଲ୍ୟାଣ ପାଣ୍ଠିରୁ ଛାତ୍ରଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ କରାଯିବା ସହ ପରିବାର ଲୋକଙ୍କୁ ୧୨ ହଜାର ଟଙ୍କା ଦିଆଯାଇଛି । ଛାତ୍ରଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଆସିବା ପରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଏକ୍ସଗ୍ରାସିଆ ଗ୍ରାଣ୍ଟରୁ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଡ.ପଣ୍ଡା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons