ନୀଳଗିରି: ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ସୋନନଦୀରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟର ତଦାରଖ କରିଛନ୍ତି ନାବାର୍ଡ ଅଧିକାରୀ । ୧୪୯ କୋଟି ୧୨ ଲକ୍ଷ ଟଙ୍କାର ଏହି ମେଗା ପ୍ରୋଜେକ୍ଟ କାମ ଦୁଇ ବର୍ଷ ଧରି ଚାଲି ଆସୁଥିବା ବେଳେ କିପରି କାର୍ୟ୍ୟକୁ ତ୍ୱରାନ୍ୱିତ କରି ସମ୍ପୂର୍ଣ୍ଣ କରାଯିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ଏହି ପ୍ରକଳ୍ପ ପାଇଁ ନାବାର୍ଡ ଏବଂ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅର୍ଥ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖା ଦେଇଥାଏ । ବସୁଧା ଯୋଜନା ବହୁ ପଞ୍ଚାୟତରେ ଫେଲ ମାରିଥିବା ବେଳେ ନଳକୂପ ଖରାଦିନେ ଶୁଖିଯାଉଛି ।ଲୋକେ ନଦୀ,ନାଳ ଓ ଚୁଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ତେବେ ଏହି ପ୍ରକଳ୍ପ କାର୍ୟ୍ୟକାରୀ ହେବା ପରେ ୨୦ଟି ପଞ୍ଚାୟତର ୯୦ଟି ରାଜସ୍ୱ ଗାଁର ୧ ଲକ୍ଷ ୩ ହଜାର ୯୨୦ ଜଣ ଲୋକେ ଉପକୃତ ପାଇବେ । ରାଜସ୍ଥାନର ଜୁବେରୀ ଇଞ୍ଜିନିୟରିଂ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ସଂସ୍ଥା କାର୍ୟ୍ୟ ନେଇଛି । ପାଇପ ବିଛାଇ କାମ ଏକ ପ୍ରକାର ଶେଷ ପର୍ୟ୍ୟାୟରେ ପହଁଚିଥିବା ବେଳେ ବହୁ ସ୍ଥାନରେ ଟାଙ୍କି କାମ ଚାଲୁରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସୋନନଦୀ ଖସାପଡ଼ିଆ ଠାରେ ଯେଉଁ ବ୍ୟାରେଜ ନିର୍ମାଣ ହେବା କଥା ଏହି କାର୍ୟ୍ୟ ଏବେ ଆରମ୍ବ ହେଉଛି । କିଛି ଗ୍ରାମବାସୀ ଏହା ନିର୍ମାଣ ହେଲେ ଗାଁ ବୁଡି ଯିବାର ଆଶଙ୍କା ନେଇ କାର୍ୟ୍ୟଟିକୁ ବିରୋଧ କରିଥିଲେ । ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପୋଲିସ ଫୋର୍ସ ନେଇ କାର୍ୟ୍ୟ ଆରମ୍ଭ କରାଇଥିଲେ।
ମୌସୁମୀ ଆଉ କିଛି ଦିନରେ ପହଁଚିବ ତା ପୂର୍ବରୁ କାମଟି କେତେଦୂର ଆଗେଇବ ତାହା ଆଶଙ୍କା ଘାରିଛି । ବଢ଼ିପାଣି ଆସିଲେ ସବୁ ଭସାଇବା ଜାଣି ମଧ୍ୟ ଠିକାଦାର କାମ କରୁ ନଥିବା ଜଣାଯାଇଛି । ଆଜି ନାବାର୍ଡର ସିଜିଏମ ସି.ଉଦୟ ଭାସ୍କର,ଡିଜିଏମ ଏସ.ଆର ପଣ୍ଡା,ଡିଡିଏମ ତାପସ ରଞ୍ଜନ ପ୍ରଧାନ ଖସାପଡ଼ିଆ ଠାରେ ପହଁଚିଥିଲେ । ତାଙ୍କ ସହ ଆରଡବ୍ଲୁଏସଏସର ଆଡ଼ିସନାଲ ଚିଫ ଇଞ୍ଜିନିୟର ବିପିନ ବିହାରୀ ଦାସ, ନିର୍ବାହୀ ଯନ୍ତ୍ରୀ ସମୀର ଦେ,ଏସଡ଼ିଓ ରୌପ୍ୟରଞ୍ଜନ ବେହେରା, ସଂସ୍ଥାର ପ୍ରଜେକ୍ଟ ଇଞ୍ଜିନିୟର ବିକ୍ରମ କେଶରୀ ପୁହାଣ ସମେତ ସୁପରଭାଇଜର ମାନେ ଉପସ୍ଥିତ ଥିଲେ । ବ୍ୟାରେଜ ସ୍ଥାନ ପରିଦର୍ଶନ କରିବା ସହ ଅଯୋଧ୍ୟା ଅଞ୍ଚଳରେ ନିର୍ମାଣ ହେଉଥିବା ପାଣି ବିଶୋଧନ ଟାଙ୍କି ଓ ଅନ୍ୟ କାର୍ୟ୍ୟ ସବୁ ନାବାର୍ଡ ଅଧିକାରୀ ପରିଦର୍ଶନ କରିବା ପରେ କାମକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
Comments are closed, but trackbacks and pingbacks are open.