ବାରିପଦା,(ବି.ବି.ନ୍ୟୁଜ୍): ପାରିବାରିକ କଳହକୁ କେନ୍ଦ୍ରକରି ଘଟିଛି ଜଘନ୍ୟ ଏକ ହତ୍ୟାକାଣ୍ଡ । ସାମାନ୍ୟ ବଚସାକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ପତ୍ନୀକୁ କୋଦାଳରେ ହାଣି ଜୀବନରୁ ଶେଷ କରିଦେଇଛି । ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ୍ର ଟିକରପଡ଼ା ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି । ଯାହା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବୁଧବାର ସକାଳୁ ସକାଳୁ ହତ୍ୟାକାଣ୍ଡ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ କର୍ମୁ ସିଂକୁ ଗିରଫ କରିଛି । ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳକୁ ଜବତ କରବା ସହିତ ଶବକୁ ବ୍ୟବଛେଦ ପାଇଁ ବାରିପଦା ପିଆରଏମ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି । ଏନେଇ ସଦର ଥାନା ପୁଲିସ୍ ୭୮/୧୯ରେ ଏକ ନରହତ୍ୟା ମାମଲା ରୁଜୁ ହୋଇଛି । ହତ୍ୟାକାଣ୍ଡ ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ର ୩୦୨ ଧାରା ଅନୁଯାୟୀ ଚାର୍ଜସିଟ୍ ପ୍ରସ୍ତୁତ କରୁଥିବା ଜଣାପଡିଛି । ତେବେ ପୁଲିସ ଏ ନେଇ ଅଧିକ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ହତ୍ୟାକାରୀକୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
ସବିଶେଷ ସୂଚନା ମୁତାବକ ମଙ୍ଗଳବାର ଭୋର ସମୟରେ ଟିକରପନା ଗାଁର କର୍ମୁ ସିଂ(୪୦) ଘରେ କେହି ନଥିବା ସୁଯୋଗରେ ସ୍ତ୍ରୀ ସାବିତ୍ରୀ ସିଂ(୩୫)ଙ୍କୁ ଏକ କୋଦାଳରେ ଆକ୍ରମଣ କରି ହତ୍ୟା କରିଥିଲା । ବଡ଼ି ଭୋରରୁ ଉଠି ବିଲକୁ ଯାଇଥିବା ଦମ୍ପତିଙ୍କ ପୁଅ-ଝିଅ ଘରେ ପହଞ୍ଚି ନିଜ ମାଆକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ଚିକ୍ରାର କରିଥିଲେ । ଗାଁ ଲୋକ ଚିକ୍ରାର ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ । ଗ୍ରାମବାସୀ ପୁଲିସ୍କୁ ଖବର ଦେବା ପରେ ବାରିପଦା ସଦର ଏସ୍ଡିପିଓ କୃଷ୍ଣପ୍ରସାଦ ପଟ୍ଟନାୟକ ଓ ସଦର ଥାନାଧିକାରୀ ସ୍ୱର୍ଣ୍ଣଲତା ମିଞ୍ଜ ସଦଳବଳ ପହଞ୍ଚି ଅଭିଯୁକ୍ତ ହତ୍ୟାକାରୀକୁ ତା’ଘରୁ ଧରିଥିଲେ ।
Comments are closed, but trackbacks and pingbacks are open.