ସ୍ଥାପନ ହେଲେ ପାଶ୍ୱର୍ଦେବତା, କଳସ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ବୁଧବାର ସିଂହଦ୍ୱାରରେ ପହଞ୍ଚିବ ତିନି ରଥ । ଏଣୁ ରଥ ନିର୍ମାଣରେ ଦିଆଯାଉଛି ଶେଷ ସ୍ପର୍ଶ । ମଙ୍ଗଳବାର ପ୍ରତ୍ୟେକ ରଥରେ ପାଶ୍ୱର୍ଦେବତାମାନଙ୍କୁ ସ୍ଥାପନ କରାଯାଇ କଳସ ଉଠା ସରିଛି । ତିନି ରଥରେ ଶିଖରଡମ୍ୱରୁ ଲଗାଯିବା ପରେ ୨୭ ପାଶ୍ୱର୍ଦେବଦେବୀଙ୍କୁ ସ୍ଥାପନ କରାଯାଇଛି । ରଥମାନଙ୍କରେ ଧ୍ୱଜବତା ଲଗା ସରିଛି । ରଥତ୍ରୟରେ ଅଶ୍ୱମାନ ଲାଗିବା ପାଇଁ ଇଶ ଓ ଜୁଆଳି ପ୍ରସ୍ତୁତ ହେଉଛି । ପୂର୍ବରୁ ରଥ ସମ୍ମୁଖରେ ଲଗାଯାଇଥିବା ଚାରପରିଛା କାଠ ଉପରେ ଦୁଇଟି ଇଶ ଲାଗିବ । ଇଶର ବେକରେ ଜୁଆଳି ଲାଗିବ । ଜୁଆଳିରେ ଅଶ୍ୱମାନଙ୍କୁ ଲଗାଯିବ ବୋଲି ନିର୍ମାଣକାରୀମାନେ କହିଛନ୍ତି । ତିନି ରଥରେ କନାମଣ୍ଡଣୀ କାମ ଚାଲିଛି । ଦରଜୀସେବକଙ୍କ ଦ୍ୱାରା ତିଆରି କରାଯାଇଥିବା ମଣ୍ଡଣୀ କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଉଛନ୍ତି ।
ଏବେ ରଥ ଉପରେ ଠାକୁରମାନଙ୍କ ସିଂହାସନ କାମ ଜାରି ରହିଛି । ବିଶ୍ୱକର୍ମାମାନେ ପଟା ବାଡ଼େଇ ସିଂହାସନ ବୁଜିଛନ୍ତି । ପୂର୍ବରୁ ଧମକ ଉପରେ ଜଗତପୃଷ୍ଠଶ୍ରେଣୀ ରଖିଥିଲେ । ତା’ଉପରେ ପଟା ପଡି ସିଂହାସନ ପରିଛା ପଡିଲା । ପୁଣି ପଟା ପଡ଼ି ଚକା ପଡିବ । ଚକାବେଦିରେ ଠାକୁରେ ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ପ୍ରଥମେ ବିଶ୍ୱକର୍ମାମାନେ ପ୍ରଭାକାମ ସାରିଥିଲେ । ତାପରେ ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟପାଶ୍ୱର୍ରେ ମଗରମୁଣ୍ଡ କରିଛନ୍ତି । ଏହାପରେ ଚିତ୍ରକର ସେବକମାନେ ସେଥିରେ ରଙ୍ଗ ଦେଇଥିଲେ । ସିଂହାସନ ଉପରେ କନକମୁଣ୍ଡି କାମ କରାଯାଇଛି । କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ । ରଥମାନଙ୍କରେ କଣଫାଉଡ଼ା ଲଗାଯାଇଛି । ସେଥିରେ ମଣ୍ଡଣି ବାଉଁଶ ଲଗାଯିବ । ଏହାଯୋଗୁ ରଥ ହୃଷ୍ଟପୃଷ୍ଟ ଲାଗିବ ବୋଲି କହିଛନ୍ତି ନନ୍ଦିଘୋଷର ବିଶ୍ୱକର୍ମା ରମେଶ ମହାପାତ୍ର । ରଥର ଚାରିପଟେ ଠେକରାବାଡ ଲାଗି ରଥମାନଙ୍କ ଉପରେ ଅଁଳାଶ୍ରୀ ଲଗାଯାଇ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ ।
ରଥକାମ ଶେଷ ହେବା ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥମାନଙ୍କର କନା ମଣ୍ଡଣୀକାମ ସରିବାପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ସମସ୍ତ କାମ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ସରିଯିବ ବୋଲି ବିଶ୍ୱକର୍ମାମାନେ କହିଛନ୍ତି । ବୁଧବାର ଠାକୁରଙ୍କ ଉଭା ଯାତ୍ରା । ଅପରାହ୍ନରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ପହଞ୍ଚିବ । ବର୍ଣ୍ଣାଢ୍ୟ ପଟୁଆରରେ ପାଳିଆ ପୂଜାପଣ୍ଡା ସାମନ୍ତମାନେ ଦାରୁ ବିଗ୍ରହଙ୍କ ଆଜ୍ଞାମାଳ ଆଣିବେ । ରଥରେ ଆଜ୍ଞାମାଳ ସବୁ ଲାଗି କରାଯିବ । ପରେ ରଥରେ ଦଉଡ଼ି ସଂଯୁକ୍ତ ହୋଇ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ । ସକାଳେ ଠାକୁରଙ୍କ ଯଥାବିଧି ନୀତି ସରି ଗୋପାଳବଲ୍ଲଭ, କୋଠଭୋଗ ସରିବ । ପରେ ଭୋଗମଣ୍ଡପ ସରିବାପରେ ଠାକୁରଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons