ଜୟପୁର: ଘରେ କେହି ନଥିବା ବେଳେ ଜଣେ ଯୁବତୀଙ୍କୁ ବେହୋସ ଉଦ୍ୟମ । ଯୁବତୀଙ୍କ ମୁହଁକୁ କୌଣସି ତୀବ୍ର ଗନ୍ଧଯୁକ୍ତ ସାମଗ୍ରୀ ସ୍ପେ୍ର କରିଛନ୍ତି ଦୁର୍ବୃତ୍ତ । ଅଘଟଣ ଘଟାଇବା ପୂର୍ବରୁ ସାହିଲୋକ ପହଞ୍ଚିଯିବାରୁ ୨ ଯୁବକ ଚମ୍ପଟ ମାରିଛନ୍ତି । ଅଭିଯୁକ୍ତଙ୍କ ଦୌଡ଼ିବା ବେଳର ଫଟୋ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏ ସମ୍ପର୍କରେ ଯୁବତୀଙ୍କ ପରିବାର ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ଯୁବତୀଙ୍କ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଘଟଣାଟି ଘଟିଛି ସହରର ପୁରୁଣା ମାଛ ମାର୍କେଟ ଅଞ୍ଚଳରେ ।
ଯୁବତୀଙ୍କ କହିବା ଅନୁଯାୟୀ, ସେ ଯୁକ୍ତ ୨ ଛାତ୍ରୀ ଏବଂ ତାଙ୍କ ଘର ପୁରୁଣା ମାଛ ମାର୍କେଟ ଅଞ୍ଚଳରେ । ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ତାଙ୍କ ମା’ ଦୋକାନକୁ ଯାଇଥିଲେ । ବାପା ବାହାରକୁ ଯାଇଥିବାରୁ ସେ ଘରେ ଏକୁଟିଆ ଥିଲେ । ମୋବାଇଲ୍ ଧରି ଘର ବାଲକୋନିରେ ବସିଥିବା ବେଳେ ୨ ଜଣ ଯୁବକ ଉପର ମହଲାକୁ ଆସିଥିଲେ । କିଏ ଆସିଲା ଦେଖିବାକୁ ଗଲା ବେଳେ ହଠାତ୍ ୨ ଜଣ ଯୁବକ ତାଙ୍କ ମୁହଁକୁ କିଛି ତରଳ ସ୍ପେ୍ର କରିଥିଲେ । ଯାହାର ପ୍ରଭାବରେ ତାଙ୍କ ମୁହଁ ଜଳିବାକୁ ଆରମ୍ଭ କରିଥିଲା । ଏଭଳି କାଣ୍ଡ ଦେଖି ଉଭୟ ଦୁର୍ବୃତ୍ତଙ୍କୁ ଧକ୍କା ମାରି ବାଲକୋନିରୁ ପାଟି କରିଥିଲେ । ପାଟିଶୁଣି ପଡୋଶୀ ପହଞ୍ଚିବା ପୂର୍ବରୁ ଯୁବକ ଦ୍ୱୟ ସେଠାରୁ ଚମ୍ପଟ ମାରିଥିଲେ । ଫେରାର ଯୁବକଙ୍କ ମଧ୍ୟରୁ ଜଣେ ମାସ୍କ ପିନ୍ଧିଥିଲା । ସାମନାକୁ ଆସିଲେ ସେ ଯୁବକଙ୍କୁ ଚିହ୍ନି ପାରିବେ । ଯୁବକମାନେ ଆସିବା ଏବଂ ଘଟଣା ପରେ ଚମ୍ପଟ ମାରିବା ବେଳର ସିସିଟିଭି ଫୁଟେଜ୍ ମିଳି ସାରିଛି । ଏ ସମ୍ପର୍କରେ ଖବର ପାଇ ଯୁବତୀଙ୍କ ମା’ ପହଞ୍ଚିଥିଲେ । ଅନ୍ୟମାନଙ୍କ ସହଯୋଗରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.