ରାସଗୋବିନ୍ଦପୁର,(ବି.ବି.ନ୍ୟୁଜ୍): ଦୁଇ ସନ୍ତାନର ଜନନୀ ହୋଇ ମଧ୍ୟ ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଏଭଳି ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି ରାସଗୋବିନ୍ଦପୁର ବ୍ଳକ କିଆଖାଳି ଗ୍ରାମରେ । ସ୍ୱାମୀର ଅନୁପସ୍ଥିତିର ସୁଯୋଗରେ ମୋବାଇଲରେ ପ୍ରେମ ଓ ଦୈହିକ ସଂପର୍କ ସ୍ଥାପନ ପରେ ସ୍ୱାମୀକୁ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ୟମ ହୋଇଛି । ରବିବାର ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ଜଙ୍ଗଲରୁ ମୃତକର ଶବ ଉଦ୍ଧାର କରିଛି । ଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକ ସପନ ଦାସକୁ ତାର ଘର ଜୁଣବଳନ୍ଦା ଗ୍ରାମରୁ ପୁଲିସ୍ ଗିରଫ କରିଛି ।
ଖବର ଅନୁଯାୟୀ, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କିଆଖାଳି ଗ୍ରାମର ଶଙ୍କର୍ଷଣ ବାରିକ ଓରଫ ଶଙ୍କର ଜଳେଶ୍ୱର ଥାନା ଅନ୍ତର୍ଗତ ବଜାରଶେଣୀ ଗ୍ରାମର ଭଗବାନ ବାରିକଙ୍କ ଝିଅ ଲକ୍ଷ୍ମୀପ୍ରିୟାକୁ ବିବାହ କରିଥିଲେ । ବିବାହ ପରେ ସେମାନଙ୍କର ଗୋଟିଏ କନ୍ୟା ଓ ପୁତ୍ର ସନ୍ତାନ ଜନ୍ମ ଲାଭ କରିଥିଲେ । ସ୍ତ୍ରୀ ଓ ପିଲାଛୁଆଙ୍କୁ ଛାଡ଼ି ଶଙ୍କର କିଛି ବର୍ଷ ବାହାରକୁ ଚାଲି ଯାଇଥିଲେ । ଏହି ସମୟରେ ଏକ ଭୁଲ ଫୋନ୍ କଲ୍ ଘଟଣାରୁ ଜୁଣବଳନ୍ଦା ଗ୍ରାମର ଅନିରୁଦ୍ଧ ଦାସଙ୍କ ପୁଅ ସପନ ଦାସଙ୍କ ସହିତ ଲକ୍ଷ୍ମୀପ୍ରିୟାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସ୍ୱାମୀଙ୍କ ଅନୁପସ୍ଥିତିରେ ସପନ କିଆଖାଳି ଗ୍ରାମକୁ ଆସି ଲକ୍ଷ୍ମୀପ୍ରିୟାଙ୍କ ସହିତ ସଂପର୍କ ରଖି ଆସୁଥିଲା । ସ୍ୱାମୀ ଘରକୁ ଫେରିବା ପରେ ଘଟଣା ସଂପର୍କରେ ଜାଣିଥିଲେ ଏବଂ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏପରିକି ସ୍ୱାମୀ ଓ ପିଲାଛୁଆଙ୍କୁ ଛାଡି ଲକ୍ଷ୍ମୀପ୍ରିୟା ଅନେକ ବାର ବାପଘରକୁ ଚାଲି ଯାଉଥିଲେ ।କିଛିଦିନ ତଳେ ସ୍ଥାନୀୟ ଭଦ୍ରଲୋକଙ୍କ ଉପସ୍ଥିତିରେ ଶଙ୍କର ସହିତ ଆପୋସ ମିଳାମିଶା ହୋଇ କିଆଖାଳି ସ୍ଥିତ ବାସଭବନରେ ବସବାସ କରିଆସୁଥିଲେ । ପ୍ରେମିକ ସପନ ଦାସ କିଆଖାଳି ଆସି ନ ପାରିବାରୁ ଦୁହିଁଙ୍କ ରାସ୍ତାରେ କଣ୍ଟା ସାଜିଥିବା ଶଙ୍କରକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।
ଯୋଜନା ମୁତାବକ ଗତକାଲି ରାତି ପ୍ରାୟ ୧୨ଟା ପରେ ସପନ ଦାସ କିଆଖାଳି ଶଙ୍କରଙ୍କ ଘରକୁ ଆସିଥିଲେ । ଦିନତମାମ କାର୍ଯ୍ୟ କରି ଗାଢ଼ ନିଦ୍ରାରେ ଶୋଇପଡିଥିବା ଶଙ୍କରକୁ ପତ୍ନୀ ଓ ପ୍ରେମିକ ସପନ ମୁହଁରେ କନ୍ଥା ଜାକି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ । ତେବେ ରାତିରେ ଶଙ୍କରଙ୍କ ପଡ଼ୋଶୀମାନେ ଗଁ ଗଁ ଶବ୍ଦ ଶୁଣି ନିଦରୁ ଉଠି ଶଙ୍କରଙ୍କ ଘରକୁ ଆସିଥିଲେ । ମାତ୍ର ଲକ୍ଷ୍ମୀପ୍ରିୟା ସେମାନଙ୍କୁ କିଛି ନାହିଁ କହି ଫେରାଇ ଦେଇଥିଲେ । ସକାଳୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଠାରୁ ପ୍ରାୟ ୧କିମି ଦୂର ବାଲେଶ୍ୱର ଜିଲା ଆମ୍ବତୁମ୍ବା ଜଙ୍ଗଲରୁ ଶଙ୍କରର ଗଳିତ ଶବକୁ ଉଦ୍ଧାର କରିଥିଲା । ପୁଲିସ କୌଶଳ କ୍ରମେ ଘଟଣାସ୍ଥଳରୁ ଲକ୍ଷ୍ମୀପ୍ରିୟା ଓ ତାଙ୍କ ପୁଅଝିଅକୁ ଥାନାକୁ ନେଇ ଆସିଥିଲା । ପୁଲିସ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି ।
ଲକ୍ଷ୍ମୀପ୍ରିୟାଙ୍କ ପ୍ରେମିକ ସପନ ଦାସକୁ ପୁଲିସ୍ ଜୁଣବଳନ୍ଦା ଗ୍ରାମରୁ ଗିରଫ କରିଛି । ତେବେ ଏହି ଘଟଣାରେ ଅଭିଯୁକ୍ତା ପତ୍ନୀ ଓ ପ୍ରେମିକ ବ୍ୟତୀତ ଏକାଧିକ ବ୍ୟକ୍ତି ଜଡିତ ଥିବା ସ୍ଥାନୀୟ ଅଞ୍ଚଳରେ ଶୁଣିବାକୁ ମିଳୁଛି । ବେତନଟୀ ଏସ୍ଡିପିଓ ଗୋବିନ୍ଦ ସେଠୀ ଓ ଥାନା ଆଇଆଇସି ରେଣୁବାଳା ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଳାଇଛନ୍ତି ।
Comments are closed, but trackbacks and pingbacks are open.