ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିମସାର ପରିଦର୍ଶନ:୪ ଘଣ୍ଟା ଧରି କର୍ତ୍ତୃପକ୍ଷଙ୍କ ସହ ରୁଦ୍ଧଦ୍ୱାର ବୈଠକ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନ୍ୟୁଜ୍): ନବନିଯୁକ୍ତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଆଦି ବୁର୍ଲା ଭିମସାର୍ ପରିଦର୍ଶନ କରିଛନ୍ତି । ବିଭିନ୍ନ ବିଭାଗ ବୁଲିବା ସହିତ ରୋଗୀ ଏବଂ ସଂପର୍କୀୟଙ୍କୁ ଭେଟିବା ପରେ କର୍ତ୍ତୃପକ୍ଷଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ନିଭୃତ ଆଲୋଚନା କରିଛନ୍ତି । ମେଡିକାଲର ବିଭିନ୍ନ ସମସ୍ୟାର ଶୀଘ୍ର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ, ଡାକ୍ତରମାନଙ୍କ ଉପରେ ମନ୍ତ୍ରୀ ନରମଭାବ ପ୍ରଦର୍ଶନ କରିଥିବା ବେଳେ ୨୬ ତାରିଖରେ ପଦୋନ୍ନତି ସଂକ୍ରାନ୍ତୀୟ ଡିପିସି ବୈଠକ ହେବ ବୋଲି ସ୍ଥିର ହୋଇଛି । ସେହିପରି ଭିମସାର ପାଇଁ ୪ ଜଣ ଅତିରିକ୍ତ ଅଧ୍ୟକ୍ଷ ନିଯୁକ୍ତ ହେବେ ବୋଲି ସେ ଘୋଷଣା କରିଥିବା ବେଳେ ନିର୍ମାଣ ସରିବାର ଦୀର୍ଘ ବର୍ଷ ପରେ ବି ଭୂତକୋଠି ଭାବେ ପରିଣତ ହୋଇଥିବା ୯ ତାଲା କୋଠାକୁ ଶିଶୁ ଭବନ ପରିବର୍ତ୍ତେ ପ୍ରଶାସନିକ ଭବନ ଭାବେ ବ୍ୟବହାର କରିବାକୁ ସ୍ଥିର ହୋଇଛି ।
ଆଜି ପୂର୍ବାହ୍ନ ସାଢେ ୧୦ଟାରେ ମନ୍ତ୍ରୀ ଶ୍ରୀ ଦାସ, ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ ମେହେର୍ଦ୍ଦା, ଅତିରିକ୍ତ ସଚିବ ଗୁହା ପୁନମ ତାପସ କୁମାର, ଡିଏମ୍ଇଟି ସୁନାମାଳୀ ବାଗ ପ୍ରମୁଖ ଭିମସାର୍ରେ ପହଞ୍ଚିଥିଲେ । ଜିଲ୍ଲାପାଳ ଶୁଭମ ସସ୍କେନା, ଭିମସାର ନିର୍ଦ୍ଦେଶକ ଡା. ଡି ଏନ୍. ମହାରଣା, କଲେଜ ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର, ଅଧୀକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ପ୍ରଫେସର ବିଜୟ ଦତ୍ତ, ପ୍ରଫେସର ବର୍ଷା ଟୁଡୁ, ପ୍ରଶାସନିକ ଅଧିକାରୀ ଡ. ସଚ୍ଚିଦାନନ୍ଦ ପାଣ୍ଡେ ଓ ବିଭିନ୍ନ ବିଭାଗର ମୁଖ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ମନ୍ତ୍ରୀ ଏବଂ ସଚିବ ବିଭିନ୍ନ ବିଭାଗ ବୁଲିଥିଲେ । କାଜୁଆଲଟି, ନେଫ୍ରୋଲଜି, ମହିଳା ମେଡିସିନ୍ ୱାର୍ଡ, ଆଇସିୟୁ ଆଦି ବୁଲି ରୋଗୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ କଲେଜ ପରିସରରେ ଥିବା ଅଧ୍ୟକ୍ଷଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଥିଲେ । ଦୀର୍ଘ ୪ଘଣ୍ଟା ଧରି ଚାଲିଥିବା ବୈଠକରେ ଭିମସାରରେ ରହିଥିବା ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ମନ୍ତ୍ରୀ ମେଡିକାଲ ବୁଲିବା ସମୟରେ ଯେଉଁ ସବୁ ସମସ୍ୟା ବିଷୟରେ ଅବଗତ ହୋଇଥିଲେ ଓ ଯେଉଁ ସବୁ ସମସ୍ୟା ଉପସ୍ଥାପିତ ହୋଇଥିଲା ତାହା ଉପରେ ଆଲୋଚନା କରିଥିଲେ । ବୈଠକ ଆରମ୍ଭରୁ ମନ୍ତ୍ରୀ ଆଇସିୟୁ ଉପରେ ଆଲୋଚନା ଆରମ୍ଭ କରିଥିଲେ । ଆଇସିୟୁରେ ଥିବା ୧୪ଟି ଭେଣ୍ଟିଲେଟର ଶଯ୍ୟା ଥିବା ବେଳେ ଅତିରିକ୍ତ ୬ ଟି ଶଯ୍ୟାକୁ ଯଥାଶୀଘ୍ର ଭେଣ୍ଟିଲେଟର ଯୁକ୍ତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ଶିଶୁଭବନ ନାମରେ ନିର୍ମିତ ହୋଇଥିବା ୯ତାଲା ବିଶିଷ୍ଟ କୋଠାକୁ ଆସନ୍ତାକାଲି ଠାରୁ ପ୍ରଶାସନିକ କୋଠା ଭାବେ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଡାଇଲିସିସ ମେସିନ୍ ଅଚଳ ହୋଇଥିବା ଘଟଣାକୁ ନେଇ ମନ୍ତ୍ରୀ ଗଭୀର କ୍ଷୋଭ ପ୍ରକାଶ କରିଥିଲେ । ବିଭାଗୀୟ ଅଧିକାରୀ ମାନେ ମେସିନ ଅଚଳ ହୋଇଥିବା ନେଇ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଅବଗତ କରିଆସୁଥିବା ବେଳେ କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ଦେଇନଥିବା ଦର୍ଶାଇଥିଲେ । ମନ୍ତ୍ରୀ ଏହି ଘଟଣା ଜାଣିବା ପରେ ବୈଠକରେ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ଏହାକୁ ସପ୍ତାହେ ଭିତରେ ସଜାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଭେଣ୍ଟିଲେଟର ଫେରାଇବା ଘଟଣା ନେଇ ମନ୍ତ୍ରୀ ତଥ୍ୟ ମାଗିଥିଲେ । ତେବେ ସୁପର ସ୍ପେସାଲିଟି ବିଭାଗର ନୋଡାଲ ଅଫିସର ପ୍ରଫେସର ସଞ୍ଜୟ ମହାପାତ୍ର ଏନେଇ ବିସ୍ତୃତ ତଥ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ମନ୍ତ୍ରୀ ପୂର୍ବରୁ ଏହି ଘଟଣା ବିଷୟରେ ଭଲ ଭାବେ ଅବଗତ ନଥିବା କହିଥିଲେ । ତଥ୍ୟ ମିଳିବା ପରେ ମନ୍ତ୍ରୀ ପ୍ରକୃତ ଘଟଣା ଜାଣିପାରିଥିଲେ ଓ ଭେଣ୍ଟିଲେଟର ଫେରିନାହିଁ ଏହା ଭୁବନେଶ୍ୱରରେ କମ୍ପାନି ଗୋଦାମରେ ଗଚ୍ଛିତ ଥିବା କହିଥିଲେ । ଷ୍ଟୋର ମେଡିକାଲ ଅଫିସର ପ୍ରତି ୩ ମାସରେ ପରିବର୍ତ୍ତନ କରିବା ନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ନିରାମୟରେ ଔଷଧ ଠିକ ଭାବେ ମିଳୁନଥିବା ଅଭିଯୋଗ ଉପରେ ମନ୍ତ୍ରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଓଏସ୍ଟିଏଫ୍ରେ ରୋଗୀ ଚିକିତ୍ସା ପାଇଁ ଆସୁଥିବା ମାଗଣା ଔଷଧ ସଠିକ ଭାବେ ରୋଗୀଙ୍କୁ ମିଳୁନଥିବାରୁ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଥିଲେ । ଡାକ୍ତର ପରାମର୍ଶ କରୁଥିବା ଔଷଧ ପ୍ରେସ୍କ୍ରିପସନ୍ରୁ ଗୋଟିଏ ବା ଦୁଇଟି ଔଷଧ ଦେଇ ସବୁ ଔଷଧର ବିଲ୍ ଦାଖଲ କରି ଟଙ୍କା ଉଠାଯାଉଥିବା ନେଇ ଅଭିଯୋଗ ଉପରେ ମନ୍ତ୍ରୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ରୋଗୀଙ୍କୁ ଦେଉଥିବା ମେଡିସିନ ତାଲିକା କର୍ତ୍ତୃପକ୍ଷଙ୍କ ନିକଟରେ ଯେପରି ଦାଖଲ ହେବ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ପରାକୁଏଟ୍ ବ୍ୟାନ୍ ପ୍ରସଙ୍ଗରେ ଡାକ୍ତରମାନେ ମନ୍ତ୍ରୀଙ୍କୁ ଜଣାଇବାରୁ ମନ୍ତ୍ରୀ ଏନେଇ କୃଷି ବିଭାଗ ସଚିବଙ୍କୁ ଅବଗତ କରିବା ସହ ଖୁବଶୀଘ୍ର ଏହାକୁ ବ୍ୟାନ୍ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଭିମସାର୍ ଡାକ୍ତରଖାନାର ଉନ୍ନତି ପାଇଁ ସରକାର ତିନିମାସ ଭିତରେ ୧୫୫ ଏକର ଜମି ହସ୍ତାନ୍ତର କରିବେ ବଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଏଥିରୁ ୧୦ ଏକର ଜମିରେ ଟ୍ରମା ୟୁନିଟ୍ ହେବ ଏବଂ ବାକି ସବୁ ଜମିରେ ଭିମସାରର ଅନ୍ୟାନ୍ୟ କୋଠା ହେବ ବୋଲି ସୂଚନା ମିଳିଛି । ସେହିପରି ଭିମସାରରେ ୪ ଜଣ ଅତିରିକ୍ତ ଅଧ୍ୟକ୍ଷ ନିଯୁକ୍ତି ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଲେ । ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ମନ୍ତ୍ରୀ ୱେସ୍କୋ କର୍ମଚାରୀଙ୍କ ଉପରେ ବର୍ଷିଥିଲେ । ମେଡିକାଲରେ ବିଦ୍ୟୁତ୍ ବ୍ୟବସ୍ଥା ଠିକ ନହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons