ହନୁମାନ ପଇସା ଲୋଭରେ ଡକାୟତି

Get real time updates directly on you device, subscribe now.

ଉଦଳା, (ବି.ବି.ନ୍ୟୁଜ୍): ମାତିଛନ୍ତି ଲୁଟେରା । କିଛି ଦିନ ଭିତରେ ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ହେଲାଣି ଲୁଟ୍ । ହେଲେ ଏଥର ଡକାୟତ ହନୁମାନ ପଇସା ଲୋଭରେ ଲୁଟିବାକୁ ଆସିଥିଲେ । ମାରଣାସ୍ତ୍ର ଦେଖାଇ ହନୁମାନ ପଇସା ମାଗିଲେ । ନପାଇବାରୁ ସୁନାଅଳଙ୍କାର ଏବଂ ନଗଦ ଟଙ୍କା ନେଇ ପାର୍ ମାରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସଂଘଟିତ ଏହି ଡକାୟତି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଝରଣାସାହି ଗ୍ରାମରେ ରହନ୍ତି ବୀର ହେମ୍ବମ୍ଙ୍କ ପରିବାର । ମଙ୍ଗଳବାର ରାତିରେ ଖାଇସାରି ପରିବାର ସଦସ୍ୟ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ୧୦ ରୁ ଅଧିକ ମୁଖାପିନ୍ଧା ଡକାୟତ ମାରଣାସ୍ତ୍ର ଧରି ବୀରଙ୍କ ଘରେ ପଶିଲେ । ପ୍ରଥମେ ସେମାନେ ବୀରଙ୍କ ପୁଅ ପ୍ରସନ୍ନଙ୍କୁ କାବୁ କରି ନେଇ ବାନ୍ଧି ପକାଇଲେ । ମାରଣାସ୍ତ୍ର ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ହନୁମାନ ପଇସା କେଉଁଠି ଅଛି ବୋଲି ପଚାରିଲେ । ପ୍ରସନ୍ନ ହନୁମାନ ପଇସା ନାହିଁ ବୋଲି କହିବାରୁ ତାଙ୍କ ଛାତିରେ ଛୁରୀ ଲଗାଇ ଦେଇଥିଲେ । ପ୍ରସନ୍ନ ଭୟରେ ପାଟି କରି ଉଠିବାରୁ ଏହାଶୁଣି ପରିବାରର ଅନ୍ୟ ସଦସ୍ୟମାନେ ସେଠାରେ ପହଞ୍ôଚଗଲେ । ଲୁଟେରାମାନେ ପରିବାରର ଅନ୍ୟମାନଙ୍କୁ ମଧ୍ୟ କାବୁ କରି ନେଇ ହନୁମାନ ପଇସା କେଉଁଠି ଅଛି ବୋଲି ପଚାରିଥିଲେ । ହନୁମାନ ପଇସା ନପାଇ ଘରର ବିଭିନ୍ନ ସ୍ଥାନରେ ଖୋଜାଖୋଜି କଲେ । ବୀର ହେମ୍ବ୍ରମଙ୍କ ଘରୁ ୧୬ା୧୭ ଗ୍ରାମର ସୁନାଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଏବଂ ପରିବାର ସଦସ୍ୟମାନଙ୍କର ୫ଟି ମୋବାଇଲ୍୍ ଲୁଟ୍ କରି ନେଇ ସେଠାରୁ ଖସିଯାଇଥିଲେ ।
ଡକାୟତମାନେ ଆଦିବାସୀ ଏବଂ ଓଡ଼ିଆ ଭାଷାରେ କଥା ହେଉଥିବା ବୀର ହେମ୍ବ୍ରମଙ୍କ ପତ୍ନୀ ମାଟି ହେମ୍ବ୍ରମ୍ ପ୍ରକାଶ କରିଛନ୍ତି । ଲୁଟେରାମାନଙ୍କ ହାତରେ କୁରାଢୀ, ଛୁରୀ ଇତ୍ୟାଦି ମାରଣାସ୍ତ୍ର ଥିଲା । ସେମାନେ କଳା ମୁଖା ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହୋଇନଥିଲା ବୋଲି ବୀର ହେମ୍ବ୍ରମ୍ ପୁଲିସ ନିକଟରେ ପ୍ରକାଶ କରିଛନ୍ତି । ଏ ନେଇ ବୀରଙ୍କ ପକ୍ଷରୁ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ତନାଘନା ଚଳାଇଛି । କୌଣସି ଅଭିଯୁକ୍ତକୁ ଗିରଫ କରିପାରି ନ ଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons