୧୦ ମାସର ଶିଶୁ କନ୍ୟାକୁ ବିକିଦେଲା ଆଈ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା: ଅଭାବୀ ସଂସାରରେ ପାଞ୍ଚ ପ୍ରାଣୀ ଚଳିବା କଷ୍ଟ । ପିଲାକୁ ପାଳି ପୋଷି ଚଳାଇବାର ସାମର୍ଥ୍ୟ ବା ରୋଜଗାର ବି ନାହିଁ । ଏଣୁ ଅସହାୟ ଅବସ୍ଥାରେ ଜଣେ ବୃଦ୍ଧା ନିଜ ୧୦ ମାସର ନାତୁଣୀକୁ ବିକି୍ର କରି ଦେଇଥିଲେ । ତେବେ ଏ ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି)ର ନିଦେ୍ର୍ଧଶରେ ଚାଇଲ୍ଡ ଲାଇନ୍ ଉକ୍ତ ଶିଶୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଅଭାବ ଓ ଅସହାୟତାର ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାଜକନିକା ବ୍ଲକ୍ ବାଘବୁଦା ପଞ୍ଚାୟତ ମହୁରି ଗ୍ରାମରେ । ଘଟଣାଟି ଲୋକଲୋଚନକୁ ଆସିବା ପରେ ଜିଲ୍ଲାରେ ଆଲୋଡ଼ନ ଖେଳିଯାଇଛି ।
ଚାଇଲ୍ଡଲାଇନ୍ଠାରୁ ପ୍ରାପ୍ତ ବିବରଣୀ ଅନୁସାରେ, ମହୁରି ଗ୍ରାମରେ ନିଜ ବାପଘରେ ରହି ଆସୁଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା ଝିଲି(ଛଦ୍ମନାମ) । ବାପଘର କହିଲେ ଘରେ କେବଳ ବୃଦ୍ଧା ମା’ । ଝିଲିଙ୍କ ବିବାହ ୮ବର୍ଷ ତଳେ ହୋଇଥିଲା । ତାଙ୍କର ୩ ଝିଅ । ବଡ଼ଝିଅ ରୀମା(ଛଦ୍ମନାମ)କୁ ୭ ବର୍ଷ, ମଝିଆ ଝିଅ ସୀମା(ଛଦ୍ମନାମ)କୁ ୩ ବର୍ଷ ଓ ସାନଝିଅ ନୀଳିମା(ଛଦ୍ମନାମ)କୁ ୧୦ ମାସ । ସ୍ୱାମୀ ତାଙ୍କୁ ଛାଡ଼ି କେଉଁଆଡେ ପଳାଇଯିବା ପରଠାରୁ ଝିଲି ମାନସିକ ଭାରସାମ୍ୟ ହରାଇଛନ୍ତି । ରୋଜଗାରର ଅନ୍ୟ କିଛି ବାଟ ନ ଥିବା ବେଳେ ଚାଳ ଛପର ଘରେ ୫ ପ୍ରାଣୀ କୁଟୁମ୍ବ ରହିଆସୁଛନ୍ତି । ଅର୍ଥାଭାବରୁ ଘର ଛପର ବି ଠିକ୍ ସମୟରେ କରିପାରୁ ନାହାନ୍ତି । ବୁଢ଼ୀ ମା’ ପର ଘରେ ବାସନ ମାଜି ଏବଂ କାମଦାମ କରି ଯାହା ରୋଜଗାର କରି ଆଣନ୍ତି ସେଥିରେ ପରିବାର ଚଳୁଥିଲା । ଏଥିରେ ମାନସିକ ଅସୁସ୍ଥ ଝିଲିଙ୍କ ଚିକିତ୍ସା ଅସମ୍ଭବ ହୋଇପଡ଼ିଥିଲା । ବୟସ ବଢ଼ିବା ସହ ଝିଲିଙ୍କ ମା’ ଆଉ ବାହାରକୁ ପୂର୍ବ ଭଳି କାମ କରିବାକୁ ଯାଇପାରୁନଥିଲେ । ବିଶେଷକରି କରୋନା ଜନିତ କଟକଣା ପରେ ଘର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ଦିନକୁ ଦୁଇ ଓଳି ଖାଇବାକୁ ବି ମିଳୁନଥିଲା । ଏହି ସମୟରେ ଝିଲିଙ୍କର କେହି ଚିହ୍ନା ପରିଚିତ ବ୍ୟକ୍ତିଙ୍କର ପିଲାଟିଏ ଦରକାର ବୋଲି ଖବର ମିଳିଥିଲା । ସେ ଝିଲିଙ୍କ ମା’ଙ୍କ ସହ ଯୋଗାଯୋଗ କରିଥିଲେ । ଶିଶୁକନ୍ୟା ବଦଳରେ ଅର୍ଥ ବି ଯାଚିଥିଲେ । ସେ ଜାଣିଥିଲେ ଝିଲିଙ୍କର ୩ ଶିଶୁକନ୍ୟା ଥିବା ବେଳେ ସେମାନଙ୍କୁ ଲାଳନପାଳନ କରିବାକୁ ପରିବାର ଅସମର୍ଥ । ଏଣେ କିଛି ଅର୍ଥ ମିଳିଗଲେ ପରିବାର କିଛିଦିନ ଚଳିଯିବ । ତେଣୁ ବୃଦ୍ଧା ସାନ ନାତୁଣୀକୁ ବିକ୍ରି କରିବା ପାଇଁ ରାଜି ହୋଇଯାଇଥିଲେ । ଶେଷରେ ୧୦ ମାସର ସାନ ନାତୁଣୀ ନୀଳିମାକୁ ବିକ୍ରି କରିଦେଇଥିଲେ ।
ତେବେ ଶିଶୁକନ୍ୟା ବିକ୍ରି ପରେ ଏ ନେଇ ଚାଇଲ୍ଡଲାଇନ୍ରେ ଅଭିଯୋଗ ପହଞ୍ଚିଥିଲା । ସିଡବ୍ଲୁସିର ନିଦେ୍ର୍ଧଶରେ ଏବଂ ସ୍ଥାନୀୟ ସରପଞ୍ଚ ମମତା ମଞ୍ଜରୀ ମଲିକ, ବ୍ଲକ୍ ଆଇସିଡିଏସ୍ ସୁପରଭାଇଜର ବାସନ୍ତୀ ପାଢ଼ୀଙ୍କ ସହଯୋଗରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ତେବେ ଶିଶୁକନ୍ୟାକୁ କିଣି ନେଇଥିବା ବ୍ୟକ୍ତିଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ । କ୍ରେତା କାଳେ ଅସୁବିଧାରେ ପଡ଼ିବେ ସେ ନେଇ ପରିବାର ଲୋକ କେହି ମୁହଁ ଖୋଲିନାହାନ୍ତି । ପ୍ରଶାସନ ଓ ପୁଲିସ ତରଫରୁ ସେ ବାବଦରେ ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।
ବିକ୍ରି ହୋଇଥିବା ୧୦ ମାସର ଶିଶୁକନ୍ୟା ନୀଳିମାର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ନ ଥିବାରୁ ତଥା ସେ ଖାଦ୍ୟାଭାବରୁ ଅପପୁଷ୍ଟି ରୋଗର ଶିକାର ହୋଇଥିବାରୁ ତାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍ଆର୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ଝିଲିଙ୍କ ଅନ୍ୟ ଦୁଇ ଝିଅଙ୍କୁ ମଧ୍ୟ ଉଦ୍ଧାର କରାଯାଇ ମଝିଆ ଝିଅକୁ ଗରାପୁରସ୍ଥିତ ସ୍ପେସାଲ ଆଡପ୍ସନ ଏଜେନ୍ସି (ସା’) ଓ ବଡ଼ଝିଅକୁ କୋରୁଆସ୍ଥିତ ଶିଶୁ ପ୍ରଯତ୍ନ କେନ୍ଦ୍ର (ସିସିଆଇ)ର ଜିମା ଦିଆଯାଇ ଥଇଥାନ କରାଯାଇଥିବା ସିଡବ୍ଲୁସି ସଦସ୍ୟା ସ୍ମିତାଞ୍ଚଳି ମହାପାତ୍ର ସୂଚନା ଦେଇଛନ୍ତି । ସରକାରୀ ଯୋଜନାରେ ଯାହାସବୁ ସୁବିଧା ଅଛି ପୀଡ଼ିତ ପରିବାରକୁ ଯୋଗାଇ ଦିଆଯିବ । ଏନେଇ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ଜିଲ୍ଲାପାଳ ଅମୃତ ଋତୁରାଜ କହିଛନ୍ତି, ପ୍ରଶାସନ ପକ୍ଷରୁ ଏହି ପରିବାରର ସମ୍ପୂର୍ଣ୍ଣ ଦାୟିତ୍ୱ ନିଆଯିବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons