ଲମତାପୁଟ: ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ୱର ଚାଲାଣ ବେଳେ ମାଛକୁଣ୍ଡ ପୁଲିସ୍ ହାତରେ ଧରାପଡିଛି ୧ କୁଇଣ୍ଟାଲ ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅଣ୍ଡ୍ରାହାଲ୍ ଗାଁର ରଘୁ ହନ୍ତାଳ । ଚାଲାଣରେ ବ୍ୟବହୃତ ଏକ କାର୍ ଓ ବାଇକ୍କୁ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ଆକଳନ କରାଯାଇଥିବା ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ପୁଲିସ୍କୁ ବିଶ୍ୱସ୍ତସୂତ୍ରରୁ ଖବର ମିଳିଥିଲା । ଏସ୍ପିଙ୍କ ନିଦେ୍ର୍ଧଶକ୍ରମେ ନନ୍ଦପୁର ଏସ୍ଡିପିଓ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ସେକେଣ୍ଡ ଅଫିସର ଡମ୍ବରୁ ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ପ୍ରମୁଖ ଚାଙ୍ଗୁଡିପଡା ଗାଁ ନିକଟରେ ନାକାବନ୍ଦୀ କରି ଗାଡିମୋଟର ଯାଞ୍ଚ କରୁଥିଲେ । ଏହି ସମୟରେ ମାଛକୁଣ୍ଡ ଅଞ୍ଚଳରୁ ଏକ କାର୍(ଓଆର୍-୦୨ବିଏମ୍-୫୭୭୫) ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ସନେ୍ଦହରେ ଅଟକାଇଥିଲା । କାର୍ଟି ନଅଟକି ପୁଲିସ୍ ଗାଡିକୁ ଧକ୍କା ଦେଇ ଗାଁ ନିକଟ ଜଙ୍ଗଲ ଭିତରେ ଚାଲିଯାଇଥିଲା । ଜଙ୍ଗଲ ଭିତର ଦେଇ ଯିବାବେଳେ କାର୍ଟି ଏକ କାଦୁଅ ଭିର୍ତ୍ତି ଗାତରେ ଫସିଯାଇଥିଲା । ପୁଲିସ୍ ପିଛା କରିବା ବେଳେ କାର୍ ଭିତରେ ଥିବା ୨ଜଣ ଗଞ୍ଜେଇ ମାଫିଆ ଗାଡି ଛାଡି ଫେରାର୍ ହୋଇଯାଇଥିଲେ । ଯାଞ୍ଚ ବେଳେ କାର୍ ଭିତରେ ଗଞ୍ଜେଇ ଥିବା ଜଣାପଡିଥିଲା । ଅନ୍ୟପକ୍ଷରେ ଏହି କାର୍କୁ ଏସ୍କଟ୍ କରି ଆସୁଥିବା ଏକ ବାଇକ୍(ଆର୍-୩୦-୦୭୪୩) ସହ ଜଣେ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ୍ । ଗଞ୍ଜେଇ ବୋଝେଇ କାର୍ ସହ ବାଇକ୍କୁ ଜବତ କରିବା ସହ ପୁଲିସ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ଏଥିରେ ୧ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିଥିଲା । ଏ ସମ୍ପର୍କରେ ମାଛକୁଣ୍ଡ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ପଚରାଉଚରା ବେଳେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ସଂପୃକ୍ତି ଥିବା ଜଣାପଡିଛି । ତଦନ୍ତରେ ବାଧା ଉପୁଜିବା କାରଣରୁ ସେମାନଙ୍କ ନାଁ ଗୋପନ ରଖାଯାଇଥିବା ପୁଲିସ୍ କହିଛି ।
ସୂଚନାଥାଉକି, ଚଳିତବର୍ଷ ମାଛକୁଣ୍ଡ ଥାନାରେ ୨୩ଟି ଗଞ୍ଜେଇ ମାମଲା ରୁଜୁ ହୋଇଛି । ମୋଟ ୫ ଟନ୍ ୫୫୭ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ୩୪ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୨୦ଟି ଗାଡ଼ି ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ରୋକିବାରେ ପୁଲିସ୍ ସଫଳ ହେଉଥିବା ବେଳେ ଅବକାରୀ ବିଭାଗ ଫେଲ୍ ମାରୁଥିବା ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.