କୁଆରମୁଣ୍ଡା,(ବି.ବି.ନ୍ୟୁଜ୍): ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ଏସିଆର ସର୍ବବୃହତ୍ତମ ଚୂନ ପଥର ଖଣିର ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି । ପରିସ୍ଥିତି ଏଭଳି ହୋଇଛି ଯେ, ୧୧୩ ବର୍ଷର ଏହି ପୁରୁଣା ଖଣିରେ ତାଲା ଝୁଲିବା ଅବସ୍ଥା ସୃଷ୍ଟି ହୋଇଛି । ୧୯୦୫ ମସିହାରେ ବିଶ୍ରାଠାରେ ପ୍ରତିଷ୍ଠା ହୋଇଥିଲା ବିଶ୍ରା ଷ୍ଟୋନ୍ ଲାଇମ୍ କମ୍ପାନି ଲିମିଟେଡ (ବିଏସ୍ଏଲ୍) । ଏହି କମ୍ପାନିକୁ ବ୍ରିଟିଶମାନେ ପ୍ରତିଷ୍ଠା କରିଥିବା ବେଳେ ବାର୍ଡ ଗ୍ରୁପ୍ ଅଫ୍ କମ୍ପାନି ଅଧୀନରେ ଏହା ଥିଲା । ବିଶ୍ରାରୁ ଚୂନ ପଥର ଖନନ କରାଯାଇ ବୀରମିତ୍ରପୁରକୁ ଆସୁଥିଲା । ସେଠାରେ ଥିବା ଚୂନ ଭାଟିରେ ବଡ଼ ବଡ଼ ପଥର ଖଣ୍ଡକୁ ପକାଯାଇ ଛୋଟ ଛୋଟ ଚୂନ ପଥର ପ୍ରସ୍ତୁତ କରାଯାଉଥିଲା ।
ଧୀରେ ଧୀରେ ବୀରମିତ୍ରପୁର ଅଞ୍ଚଳରେ ଚୂନ ପଥର ଖଣି ଠାବ ହେବା ପରେ ଏହାକୁ ଲିଜ୍ ନେଇଥିଲା ବାର୍ଡ ଗ୍ରୁପ୍ ଅଫ୍ କମ୍ପାନି । ବିଶ୍ରାରେ ଖଣି ବନ୍ଦ ହେବା ଓ ବୀରମିତ୍ରପୁରରେ ଆରମ୍ଭ ହେବା ପରେ ସେହି ସମୟରେ ୨୬ ହଜାର ଶ୍ରମିକ କର୍ମଚାରୀ କାମ କରୁଥିଲେ । ଏଠାରୁ ଲାଇମ ଷ୍ଟୋନ ଓ ଡୋଲୋ ମାଇଟ୍ ଉତ୍ପାଦନ ହେଲା । ଫଳରେ ଉତ୍ପାଦନ ସାମଗ୍ରୀ ରାଉରକେଲା ଇସ୍ପାତ କାରଖାନା ସମେତ ଭିଲାଇ, ବୋକାରୋ ଇସ୍ପାତ କାରଖାନାକୁ ରପ୍ତାନୀ କରାଯାଉଥିଲା । ଲାଇମ ଷ୍ଟୋନ ଓ ଡୋଲୋ ମାଇଟ୍ର ଚାହିଦା ବୃଦ୍ଧି ପାଇବାରେ ଲାଗିଲା । କମ୍ପାନି ଠିକ୍ଠାକ ଚାଲିଥିବା ବେଳେ ବୀରମିତ୍ରପୁର ଅଞ୍ଚଳର ଉନ୍ନତି ମଧ୍ୟ ହେଲା । ଶ୍ରମିକ କର୍ମଚାରୀଙ୍କ ଚାହିଦା ମୁତାବକ ଦୋକାନ ବଜାର ଖୋଲିଲା ଓ ଗାଡ଼ି ମଟର ସଂଖ୍ୟା ମଧ୍ୟ ବଢ଼ିଲା । ୧୯୮୦ ମସିହାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଏହି କମ୍ପାନିକୁ ନିଜ ଅଧୀନ ନେଇଥିଲା । ମାତ୍ର ୧୯୮୨-୮୩ ଆର୍ଥିକ ବର୍ଷରେ କମ୍ପାନିର ଉତ୍ପାଦନ ବ୍ୟାହତ ହେବା ଆରମ୍ଭ କରିଥିଲା । ଘୋଷାରି ଘୋଷାରି କମ୍ପାନି ୨୦୧୦ ମସିହା ପର୍ଯ୍ୟନ୍ତ ଚାଲିବା ପରେ କେନ୍ଦ୍ର ସରକାର ଏହାକୁ ପବ୍ଲିକ ସେକ୍ଟର ୟୁନିଟ୍ ଭାବେ ଘୋଷଣା କରି ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନ୍ଏଲ୍)ର ସବ୍ ସବ୍ସିଡାଏରୀର ୟୁନିଟ୍ ଭାବେ ଘୋଷଣା କଲେ । ମାତ୍ର କମ୍ପାନିର ଉନ୍ନତି ହୋଇ ପାରିଲା ନାହିଁ । କମ୍ପାନିର ମୁଖ୍ୟାଳୟ କୋଲକାତାରେ ରହିଥିବା ବେଳେ ଆରଆଇଏନ୍ଏଲ୍ର ମୁଖ୍ୟାଳୟ ଭାଇଜାକ୍ ଠାରେ ରହିଛି । କୋଲକାତାରେ ବସିଥିବା ଉଚ୍ଚ ବରିଷ୍ଠ ଅଧିକାରୀମାନେ ବିଏସ୍ଏଲ୍ ପ୍ରତି ସେତେଟା ଗୁରୁତ୍ୱ ନ ଦେବାରୁ କମ୍ପାନିର ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇଗଲା । ଯେତିକି ଉତ୍ପାଦନ ହେବା କଥା ତାହା କମିବାରେ ଲାଗିଲା । ଫଳରେ ଶ୍ରମିକ କର୍ମଚାରୀମାନଙ୍କ ପିଏଫ୍ ଓ ଇଏସ୍ଆଇ ଟଙ୍କା ଜମା କରିବାରେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ସକ୍ଷମ ହେଲେ ନାହିଁ । ବର୍ତ୍ତମାନ କମ୍ପାନିରେ ମାତ୍ର ୬୦୦ ଶ୍ରମିକ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ସେମାନଙ୍କୁ ୧୬ ମାସର ଦରମା ମିଳି ନଥିବା ଅଭିଯୋଗ ହୋଇଛି ।
ବକେୟା ଦରମା ଦେବାକୁ ଶ୍ରମିକ କର୍ମଚାରୀମାନେ ବାରମ୍ବାର ଦାବି କରି ଆସୁଥିଲେ ହେଁ ସେମାନଙ୍କ ସମସ୍ୟାର ସମାଧାନ କରିବା ଲାଗି ଏଠାକୁ ଉଚ୍ଚ ବରିଷ୍ଠ ଅଧିକାରୀମାନେ ଆସୁନାହାନ୍ତି । ଅପରପକ୍ଷରେ ଗତକାଲି ବୀରମିତ୍ରପୁର ସ୍ଥିତ ଡାଇରେକ୍ଟରସ୍ ବଙ୍ଗଲୋ ଠାରେ ସ୍ଥାନୀୟ କମ୍ପାନି କର୍ତ୍ତୃପକ୍ଷ ଓ ତିନି ଶ୍ରମିକ ସଂଗଠନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କମ୍ପାନିର ସ୍ଥିତି ନେଇ ଆଲୋଚନା କରାଯାଇଥିଲା । କମ୍ପାନିରେ ଉତ୍ପାଦନ ବ୍ୟାହତ ହେବା ଏବଂ କର୍ତ୍ତୃପକ୍ଷ ଶ୍ରମିକ କର୍ମଚାରୀମାନଙ୍କ ବକେୟା ଦରମା ମିଳୁନଥିବାରୁ କମ୍ପାନିର ସ୍ଥିତି ବର୍ତ୍ତମାନ କଣ ତାହା ଏଥିରୁ ସହଜେ ଅନୁମେୟ । ବିଏସ୍ଏଲ୍ କମ୍ପାନି ବହୁ ପୁରୁଣା ହୋଇଥିବା ଏବଂ ଏହା ଏକ ପବ୍ଲିକ ସେକ୍ଟର ୟୁନିଟ୍ ହୋଇଥିବାରୁ ସେଲ୍ ଅଧୀନସ୍ଥ ଦେଶରେ ଥିବା ବିଭିନ୍ନ ଇସ୍ପାତ କାରଖାନା ୫୦ ବର୍ଷରୁ ଉଦ୍ଧ୍ୱର୍ ହେବ ଏଠାରୁ କଞ୍ଚାମାଲ ନେଉଥିଲେ । ବିଏସ୍ଏଲ୍ କମ୍ପାନିରୁ କଞ୍ଚାମାଲ ନେବା ପରିବର୍ତ୍ତେ ଛତିଶଗଡ଼ ଏବଂ ଦେଶ ବାହାରୁ ଅଧିକ ମୂଲ୍ୟରେ କଞ୍ଚାମାଲ ମଗାଉଛନ୍ତି । ଯାହା ଫଳରେ ବିଏସ୍ଏଲ୍ କମ୍ପାନି ପ୍ରତି ସରକାରଙ୍କ ଆଦୌ ଦୃଷ୍ଟି ଦେଉନଥିବା ଶ୍ରମିକ ସଂଗଠନ ଓ ଜନସାଧାରଣ ସିଧାସଳଖ ଅଭିଯୋଗ କରୁଛନ୍ତି । ୨୦୨୦ ସୁଦ୍ଧା ଉକ୍ତ କମ୍ପାନିର ଲିଜ୍ ଶେଷ ହୋଇଯିବ । ଏହା ପରେ କମ୍ପାନିକୁ ଆଉ ଲିଜ୍ ମିଳିବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।
Comments are closed, but trackbacks and pingbacks are open.