କୋକସରା, (ବି.ବି.ନ୍ୟୁଜ୍): ୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ପଡ଼ିଛି ଦୁଇ ଅସହାୟ ଜୀବନ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗାଁରେ ମାନସିକ ବିକାରଗ୍ରସ୍ତ ଦୁଇଭାଇଙ୍କ ହାତରେ ଦୀର୍ଘ ୧୨ ବର୍ଷ ହେଲା ଶିକୁଳି ବନ୍ଧା ହୋଇଛି । ଖବର ପୁରୁଣା ହେଲେ ବି ଆଜିଯାଏ ଏହା ଲୋକଲୋଚନକୁ ଆସିପାରି ନାହିଁ । ଜିଲ୍ଲା ପ୍ରଶାସନ ମଧ୍ୟ ଉକ୍ତ ଅସହାୟ ଭାଇଙ୍କ ଆଡ଼କୁ ନଜର ନଦେବା ବିଡ଼ମ୍ବନାର ବିଷୟ । ଫଳରେ ୧୨ ବର୍ଷ ହେଲା ଅଭିଶପ୍ତ ଜୀବନ ବିତାଉଛନ୍ତି ଗାଁର ସ୍ୱର୍ଗତ ବେଣୁ ଧରୁଆଙ୍କ ଦୁଇପୁଅ କ୍ଷିତ (୪୫) ଏବଂ ଲଳିତ(୩୮) ।
ସୂଚନାମତେ, ଜନ୍ମରୁ କ୍ଷିତ ଏବଂ ଲଳିତ ସଂପୂର୍ଣ୍ଣ ସୁସ୍ଥ ଥିଲେ । ମାତ୍ର ୧୬ବର୍ଷ ବେଳକୁ ସାମାନ୍ୟ ଜ୍ୱର ହେବା ପରେ ହଠାତ୍ କ୍ଷିତ ମାନସିକ ସନ୍ତୁଳନ ହରାଇ ବସିଥିଲେ । ଲଳିତଙ୍କ ମଧ୍ୟ ସମାନ ଅବସ୍ଥା । ୧୨ ବର୍ଷ ବୟସରେ ସେ ମଧ୍ୟ ମାନସିକ ରୋଗର ଶିକାର ହୋଇଥିଲେ । ଆଖପାଖ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ବି କିଛି ଲାଭହେଲାନି । ପରିବାର ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଦୁଇପୁଅର ଉଚ୍ଚତର ଚିକିତ୍ସା ମଧ୍ୟ କରାଇପାରି ନଥିଲେ । ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଗୁଣିଗାରେଡ଼ି ଉପରେ ବି ଲୋକଙ୍କ ଢେର ବିଶ୍ୱାସ ରହିଛି । ପୁଅମାନେ କାଳେ ଭଲ ହୋଇଯିବେ ଚିନ୍ତାକରି ବାପାମାଁ ଗୁଣିଗାରେଡ଼ି ସହ ବଇଦ ଉପରେ ଭରସା କରିଥିଲେ । ତଥାପି କିଛି ଲାଭ ହେଲା ନାହିଁ । ମାନସିକ ରୋଗ ଭଲ ହେବା ପରିବର୍ତ୍ତେ ଧୀରେ ଧୀରେ ବଢ଼ିବାରେ ଲାଗିଲା । ପାଗଳାମୀ ଅଣାୟତ୍ତ ହେବାରୁ ଦୁଇ ଭାଇଙ୍କ ଗୋଡ଼ରେ ଏବଂ ହାତରେ ଶିକୁଳି ବନ୍ଧା ଯାଇଥିଲା । ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୨ ବର୍ଷ ଏଭଳି ଭାବେ ଶିକୁଳିରେ ବନ୍ଧା ହୋଇଛନ୍ତି ଦୁଇଭାଇ । ସବୁଠାରୁ ଦୟନୀୟ କଥା ହେଲା ଦୁଇ ଭାଇଙ୍କ ଦେଖାଶୁଣା କରିବାକୁ ମଧ୍ୟ କେହି ନାହାନ୍ତି । ସାନ ଭଉଣୀଟିଏ ଅଛି, ହେଲେ ସେ ବାହାହୋଇ ଶାଶୂଘରେ ରହୁଛନ୍ତି । ଫଳରେ ଭାଇଙ୍କୁ ଦେଖିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ । ଏବେ ଧୀରେ ଧୀରେ ଦୁଇ ଭାଇଙ୍କ ପାଗଳାମୀ ବଢ଼ି ବଢ଼ି ଚାଲୁଛି । ଆହା କରିବାକୁ କେହିନାହାନ୍ତି । ପୁଅଙ୍କ ଏଭଳି ଦୁର୍ଦ୍ଦଶା ଦେଖି ବାପା ବେଣୁ ୮ ବର୍ଷ ତଳେ ଆଖି ବୁଜିଥିବା ବେଳେ ୫ ବର୍ଷ ତଳେ ମାଁଙ୍କ ଦେହାନ୍ତ ହେଲାଣି । ଖରା ବର୍ଷା ଶୀତ କାକରରେ ପଡ଼ି ରହିଛନ୍ତିି ୨ ଭାଇ । କେବେ ରାସ୍ତା କଡ଼ରେ ତ କେବେ ବୁଦା ମୂଳେ କଟେ ଜୀବନ । ଯେଉଁଠି ପାରିଲେ ଶୋଇ ପଡ଼ୁଛନ୍ତି । ଆହା କରି କେବେ କିଏ ଖାଇବା ମୁଠାଏ ବଢ଼ାଇ ଦେଲେ ପେଟପୁରେ, ନଚେତ ଅନାହାରରେ ଦିନ ବିତେ । ଜିଲ୍ଲା ପ୍ରଶାସନର ଅଣଦେଖା ନୀତି ଯୋଗୁଁ ଆଜିବି ରାସ୍ତା କଡ଼ରେ ଶହ ଶହ ମାନସିକ ବିକାରଗ୍ରସ୍ତଙ୍କୁ ଦେଖିବାକୁ ମିଳୁଛି । ହେଲେ ଏମାନଙ୍କୁ ଉଚିତ ଚିକିତ୍ସା କରାଗଲେ ମାନସିକ ରୋଗରୁ ମୁକ୍ତି ମିଳିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ଶିକୁଳିରେ ବନ୍ଧା ଏହି ଦୁଇ ଜୀବନକୁ ପ୍ରଶାସନ ଶୀଘ୍ର ମୁକ୍ତ କରି ତୁରନ୍ତ ଚିକିିତ୍ସା ବ୍ୟବସ୍ଥା କରାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏନେଇ କୋକସରା ବିଡିଓ ବସନ୍ତ ସେଠୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇନଥିଲେ । ଘଟଣାର ତଦନ୍ତ କରି ସେମାନଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.