୧୪ ବର୍ଷରୁ କମ୍ ୨୦ ଶିଶୁ ସୁସ୍ଥ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡାକ୍ତରୀ ଚିକିତ୍ସା ଓ ରୋଗୀର ଜୋଶ୍ ଆଗରେ କରୋନା କଷଣ କାଟୁ କରୁନି । ଧୀରେ ଧୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଉପରମୁହାଁ ହେଉଛି । ଖୁସି ଖବର, ଆଜି ରାଜ୍ୟରେ ରାଜ୍ୟରେ ୮ ନୂଆ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ୧୪ବର୍ଷରୁ କମ୍ ବୟସର ୨୦ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଲେଣି । ଆଜିସୁଦ୍ଧା ମୋଟ ଆକ୍ରାନ୍ତଙ୍କ ଭିତରୁ ୨୫ପ୍ରତିଶତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଲେଣି । ସେପଟେ ୨୪ଘଣ୍ଟା ଭିତରେ ୬୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ରୋଗୀ ସଂଖ୍ୟା ୬୮୮ରେ ପହଞ୍ଚିଛି ।
ଆଜି ଚିହ୍ନଟ ହୋଇଥିବା ୬୪ ନୂଆ ରୋଗୀଙ୍କ ଭିତରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୪୮ଜଣ ରୋଗୀଙ୍କ ତଥ୍ୟ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ଯାଜପୁରର ୨ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ସୂଚନା ଜାରି କରିଛି । ଏହି ୨ଜଣ ସୁରତ ଫେରନ୍ତା ଓ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଯାଜପୁର ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରୁ ଆଉ ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ଆଜି ମୋଟ ୧୪ଜଣ ଆକ୍ରାନ୍ତ ବାହାରିଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଆଉ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।
ସେହିଭଳି ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗଞ୍ଜାମ ଜିଲ୍ଲାରୁ ୧୨ଜଣ ପଜିଟିଭ୍ ଆକ୍ରାନ୍ତ ବାହାରିଛନ୍ତି । ସମସ୍ତେ ସୁରତ ଫେରନ୍ତା ଓ ସେମାନେ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ପୁରୀରୁ ୧୦ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନେ ସମସ୍ତେ ସୁରତ ଫେରନ୍ତା ।
ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଓ ଦେବଗଡରୁ ଜଣେ ଆକ୍ରାନ୍ତ ବାହାରିଛନ୍ତି । ଦୁଇଜଣ ଯାକ ଗୁଜୁରାଟର ଅହମ୍ମଦାବାଦରୁ ଫେରିଥିଲେ । ଭଦ୍ରକରୁ ଆଉ ୬ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା । ସେମାନେ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ନୟାଗଡ଼ରୁ ୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତେ ସୁରତ ଫେରନ୍ତା । କଟକରୁ ଜଣେ ଚିହ୍ନଟ ହୋଇଛନ୍ତି ଓ ସେ ଅହମ୍ମଦାବାଦ ଫେରନ୍ତା । ବାଲେଶ୍ୱରରୁ ୧୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୭ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ର ଫେରନ୍ତା । ସବୁ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।
କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ୧୪ବର୍ଷରୁ କମ୍ ବୟସର ୨୦ଜଣ ଶିଶୁ ସୁସ୍ଥ ହୋଇ ଘରକୁ ଯାଇ ସାରିଲେଣି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ।
ସରକାରଙ୍କ ସାମ୍ବାଦିକ ସମ୍ମିଳନୀରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡ. ଅଶୋକ ମହାପାତ୍ର କହିଛନ୍ତି, କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦେଶର ୭୩ ପ୍ରତିଶତ ଲୋକେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ମୋଟ ୮୬ହଜାର ଲୋକ ସୁସ୍ଥ ହେଲେଣି । ଆମ ରାଜ୍ୟରେ କରୋନାର ଚିକିତ୍ସା ପାଇଁ ୫୭୦୦ ଶଯ୍ୟା ଓ ୪୦୦ ଆଇସିୟୁ ଶଯ୍ୟା ପ୍ରସ୍ତୁତ ହୋଇରହିଛି । ସରକାର ସବୁ ବ୍ୟବସ୍ଥା କରିଛନ୍ତି । ରାଜ୍ୟରେ ମୋଟ ୬୭୨ ରୋଗୀଙ୍କ ମଧ୍ୟରୁ ମାତ୍ର ୩ଜଣ ମୃତୁ୍ୟବରଣ କରିଛନ୍ତି । ଆକ୍ରାନ୍ତଙ୍କ ଭିତରୁ ୭୦ରୁ୭୫ପ୍ରତିଶତଙ୍କଠାରେ କୌଣସି ଲକ୍ଷଣ ନାହିଁ । ଅନ୍ୟମାନଙ୍କଠାରେ ସାଧାରଣ ଲକ୍ଷଣ ଦେଖାଦେଉଛି । ଏଣୁ କରୋନାକୁ ନେଇ କେହି ଡରନ୍ତୁ ନାହିଁ ।
ଶ୍ରୀ ମହାପାତ୍ର କହିଛନ୍ତି, କରୋନାକୁ ଏକ ସାଧାରଣ ଶ୍ୱାସଜନିତ ରୋଗ । ଶ୍ୱାସଜନିତ ସମସ୍ୟା ଫୁସ୍ଫୁସ୍ ଉପରେ ପ୍ରଭାବ ପକାଏ । ଫୁସ୍ଫୁସ୍ ବନ୍ଦ ହୋଇଗଲେ ଭେଣ୍ଟିଲେଟରର ଆବଶ୍ୟକତା ପଡେ । କିନ୍ତୁ ଆମ ରାଜ୍ୟରେ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀଙ୍କ ହାର ମାତ୍ର ୫ପ୍ରତିଶତ । ବାକି ସବୁ ସାଧାରଣ ରୋଗୀ । ସେମାନେ ଭଲ ହୋଇ ଘରକୁ ଫେରିବେ ।
କେହି ଭାଙ୍ଗି ପଡ଼ନ୍ତୁ ନାହିଁ । ମହାମାରୀ ଆସିବ ଓ ଯିବ । ଅତୀତରେ ଏମିତି ଅନେକ ମହାମାରୀ ଆସିଛି । ଆମକୁ ଶାରିରୀକ, ମାନସିକ ଓ ସାମାଜିକ ଭାବେ ଦୃଢ ହେବାକୁ ପଡିବ । କରୋନା କେତେ ଦିନ ରହିବ କହିହେବନି । ବର୍ଷେ ବା ଦୁଇ ବର୍ଷ ରହିପାରେ । ଏଣୁ ସମସ୍ତ ସରକାରୀ ନିୟମାବଳୀ ମାନି ଚଳିବାକୁ ହେବ । ଗାଇଡଲାଇନ୍ ମାନି ଆମକୁ ନିଜ ଜୀବିକା ଓ ରୋଜଗାର ବି କରିବାକୁ ହେବ । ଆମେ ଦୃଢ଼ ରହିଲେ କରୋନା ଉପରେ ବିଜୟୀ ହେବା ବୋଲି ସେ କହିଛନ୍ତି ।
ସମ୍ କୋଭିଡ୍ ହସ୍ପିଟାଲ ବିଷୟରେ ସୂଚନା ଦେଇ ଶ୍ରୀମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ମୁକାବିଲା ପାଇଁ ସମ୍ ସବୁବେଳେ ଆଗରେ ରହିଛି । ମାର୍ଚ୍ଚ ୧୨ ତାରିଖରୁ ସମ୍ରେ ସ୍ୱତନ୍ତ୍ର ଫ୍ଲୁ ଓ ଫିଭର୍ କ୍ଲିନିକ୍ ଖୋଲିଥିଲା । ମାର୍ଚ୍ଚ ୧୮ ତାରିଖରେ ୫୦ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍ ୱାର୍ଡ ଖୋଲିଥିଲା । ପରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର ପରେ ୫୨୫ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଖୋଲିଛି । ଗତ ମାସକ ଭିତରେ ହସ୍ପିଟାଲରୁ ୩୦ରୁ ୪୦ଜଣ ରୋଗୀ ସୁସ୍ଥ ହୋଇ ଫେରିଲେଣି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons