୧୭ରେ ଦେବସ୍ନାନ ପୂର୍ଣ୍ଣିମା:ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ଶନିବାର ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ରଥ ଯାତ୍ରା କାଳୀନ ଦେବନୀତିର ଶୁଭାରମ୍ଭ ହୋଇଛି । ସକାଳେ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଶ୍ରୀମନ୍ଦିର ଦ୍ୱାର ଖୋଲିବାପରେ ଦଇତାପତିଙ୍କ ପ୍ରବେଶ କରିବାର ବିଧି ରହିଛି । ଆଜିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରଙ୍କ ସେବାରେ ଦଇତାପତିମାନେ ରହିବେ । ଶ୍ରୀମନ୍ଦିରର ସମସ୍ତ ପ୍ରାପ୍ୟ ପାଉଣା ମଧ୍ୟ ଦଇତାପତିଙ୍କର ବୋଲି ବିଧି ରହିଛି ।
ଆଜି ରାତିରୁ ଦେବସ୍ନାନ ପୂର୍ଣ୍ଣିମାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ଠାକୁରଙ୍କ ଠାରେ ଠିଆ ପହୁଡ଼ ଖଣ୍ଡୁଆ ପଡ଼ିସାରିବାପରେ ରାତିରେ ବାହୁଟ କଣ୍ଟ ଅର୍ଥାତ୍ ମାପ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବାହୁଟକଣ୍ଟ କରାଯାଏ । ଦଇତାପତିମାନେ ସିଂହାସନରେ ବସି ଏହି କାର୍ଯ୍ୟ କରିଛନ୍ତି । ୧୭ ତାରିଖରେ ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା । ପୂର୍ବ ଦିନ ବିଳମ୍ବିତ ରାତିରେ ସ୍ୱତନ୍ତ୍ର ନୀତି ସେନାପଟା ଲାଗି ବିଧି ଅନୁଷ୍ଠିତ ହେବ ।
ଏହି ଅବସରରେ କୋଠସୁଆଁସିଆ ସେବକମାନେ ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସାମୁହିକଭାବେ ଏମାନେ ତଳୁ ରତ୍ନସିଂହାସନ ପର୍ଯ୍ୟନ୍ତ ଚାରମାର(ସିଡ଼ି) ବାନ୍ଧିବା ପରେ ଦଇତାପତିମାନେ ସେନାପଟା ଲାଗି କରିବେ । ସାମୁହିକଭାବେ ନୀଳାଦ୍ରୀବିଜେ ତଥା ଆଷାଢ ଶୁକ୍ଳ ଦ୍ୱାଦଶୀ ପର୍ଯ୍ୟନ୍ତ ଠାକୁରଙ୍କ ସେବାର୍ଚ୍ଚନା କରିବେ ଦଇତାପତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକଭାବେ ଠାକୁରଙ୍କ ସ୍ନାନଯାତ୍ରା, ଅନବସର ବିଧି, ରଥ ଯାତ୍ରା ବିଧି, ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ଆଦି ସମସ୍ତ ଉତ୍ସବରେ ଦଇତାପତିମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହି ଥିବା ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons