
ଜଗତପୁର,(ବି.ବି.ନୁ୍ୟଜ): ଜଗତପୁର ଗୋଲେଇଛକଠାରେ ବ୍ରାଉନ୍ସୁଗର ବେପାର କରୁଥିବା ଦୁଇ ନିଶା ବେପାରୀ ଶେଷରେ ପୁଲିସ ହାବୁଡେ ପଡିଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ୨୭୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନେ ହେଲେ ଜଗତପୁର ଥାନା ଫକିରପୁର ପଣ୍ଡାସାହି ଅଞ୍ଚଳର କାଳିଆ ଓରଫ ସୁଧିର କୁମାର ମହାନ୍ତି (୩୨) ଓ ଚୌଦ୍ୱାର ଥାନା ଶାଳଗାଁ ନଖରା ଅଞ୍ଚଳର ବିକି ଓରଫ ବିକ୍ରମ ସାମଲ (୨୪) । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚା’ ବିକ୍ରି ଆଳରେ ସେଠାରେ ବ୍ରାଉନସୁଗର ବେପାର ଚାଲିଥିଲା ।
ପୁଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ଗତ କିଛି ମାସ ହେବ ଏହି ନିଶା ବେପାରରେ ସାମିଲ ହୋଇଥିଲେ । ଏଥିପାଇଁ ସେମାନେ ଭୁବନେଶ୍ୱର ଲକ୍ଷ୍ମୀସାଗର ନିକଟ ହଳଦିପଡିଆ ଅଞ୍ଚଳର କୁଖ୍ୟାତ ନିଶା ବେପାରୀଙ୍କ ସମ୍ପର୍କରେ ରହିଥିଲେ । ଭୁବନେଶ୍ୱରର ଗ୍ୟାଙ୍ଗ୍ ସହିତ ମିଶି ଜଗତପୁର ଅଞ୍ଚଳର ଏହି ଦୁଇ ଅଭିଯୁକ୍ତ ନିଧଡକ ଭାବେ ନିଶା କାରବାର ଚଳାଉଥିଲେ । ୩ ଶହ ଟଙ୍କାରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଛୋଟଛୋଟ ପୁଡିଆ ତିଆରି କରି ସେମାନେ ଗରାଖଙ୍କୁ ଦେଉଥିଲେ । ଗୋଲେଇ ଛକ ତାରିଣୀ ମନ୍ଦିର ନିକଟରେ ବିକି କରିଥିବା ଚା’ ଦୋକାନରେ ଏହି ବେପାର ଚାଲିଥିଲା । ସନ୍ଧ୍ୟା ପରେ ଚା’ ଦୋକାନ ଚାଳିଆଟି ବନ୍ଦ ରହୁଥିବାରୁ ଅନ୍ଧାରର ସୁଯୋଗ ନେଇ ସେଠାରେ ନିଶାଡିଙ୍କ ଆ‡ା ଜମେ । ଏହି ନିଶା ବେପାର ବିଷୟରେ ପୁଲିସକୁ କିଛି ସୂଚନା ମିଳିଥିଲା । ତେଣୁ ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ୍କୁ ଧରିବା ପାଇଁ କିଛି ଦିନ ହେବ ଜଗତପୁର ଥାନା ଇନ୍ସପେକ୍ଟର ରବୀନ୍ଦ୍ରନାଥ ମେହେରଙ୍କ ପକ୍ଷରୁ ଗୋଲେଇ ଛକ ଅଞ୍ଚଳରେ ନଜର ରଖାଯାଇଥିଲା । ଏହି କ୍ରମରେ ଗତକାଲି ରାତି ପ୍ରାୟ ୯ଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ଚଢ଼ଉ କରିଥିଲା । ତେବେ ପୁଲିସକୁ ଦେଖି ଭୁବନେଶ୍ୱର ହଳଦିପଡିଆରୁ ଆସିଥିବା ବେପାରୀ ଜଣକ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ଅଭିଯୁକ୍ତ କାଳିଆ ଓ ବିକି ବ୍ରାଉନସୁଗର ସହ ଧରାପଡ଼ିଥିଲେ । କାଳିଆ ପାଖରୁ ୨୫୫ ଗ୍ରାମ୍ ଓ ବିକି ପାଖରୁ ୧୫ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଥିଲା । ଅଭିଯୁକ୍ତ କାଳିଆ ଜଣେ ପେସାଦାର ନିଶା ବେପାରୀ । ସେ ଦୀର୍ଘ ଦିନ ହେବ ଏହି ଧନ୍ଦାରେ ରହିଛି । ଏପରିକି ସେ ପୂର୍ବରୁ ଦୁଇ ଥର ଗିରଫ ମଧ୍ୟ ହୋଇଛି । ଗତ ୨୦୧୮ ମସିହାରେ ସେ କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ହାତରେ ଧରାପଡ଼ିଥିଲା । ସେହିପରି ଗତ ଫେବ୍ରୁଆରୀ ମାସରେ ବାଦାମବାଡ଼ି ଥାନା ପୁଲିସ ହାତରେ ମଧ୍ୟ ଗିରଫ ହୋଇ ଜେଲ୍ ଯାଇଛି । ତେବେ ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ କାଳିଆ ନିଜ ବେପାରରେ ବିକିକୁ ସାମିଲ କରିଥିଲା । ଅଭିଯୁକ୍ତ ବିକି ତା’ର ଦୋକାନରେ ଗଞ୍ଜେଇ ମଧ୍ୟ ବେପାର କରେ । ଦୀର୍ଘଦିନ ହେବ ସେଠାରେ ଗଞ୍ଜେଇ ଟଣା ହେଉଥିବାରୁ ଦୋକାନ ପଛପଟେ ଗଞ୍ଜେଇ ଗଛ ମଧ୍ୟ ଉଠିଗଲାଣି । ଅନ୍ୟପଟେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଅନ୍ୟ ନିଶା ବେପାରୀକୁ ଧରିବା ପାଇଁ ପୁଲିସ ଜୋର୍ଦାର୍ ଉଦ୍ୟମ କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ଓ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.