ଭୁବନେଶ୍ୱର: ଲକ୍ଷେ ନୁହେଁ କି ଦୁଇ ଲକ୍ଷ । ଗତ ୩ ବର୍ଷ ମଧ୍ୟରେ ଏଟିଏମ୍ରୁ ଦେଢ଼ କୋଟି ଟଙ୍କା ଚଳୁ କରିଛନ୍ତି କିଛି ଯୁବକ । ଏହି ଘଟଣା ଜଣାପଡ଼ିବା ପରେ ଗିରଫ ଭୟରେ ଜଣେ ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ନିଜ ମୁଣ୍ଡକୁ ଗୁଳି କରିଥିଲେ । ହେଲେ ଗୁଳି କାନରେ ବାଜିଥିଲା । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ଅଭିଯୁକ୍ତ ହେଲେ ପୁରୀ ଜିଲ୍ଳା ନିମାପଡ଼ାର ମୀନକେତନ ବେହେରା । ସେ ହଂସପାଳରେ ଘର ଭଡ଼ା ନେଇ ରହିବା ସହ ‘ସିକ୍ୟୋର ଭାଲ୍ୟୁ ଅଫ୍ ଅଣ୍ଡିଆ ଲିଃ’ ନାମକ ସଂସ୍ଥାରେ ଚାକିରି କରିଥିଲେ । ଏବେ ସେ ଏମ୍ସ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଏଟିଏମ୍ରୁ ଟଙ୍କା ହଡପ ଘଟଣାରେ ୫ରୁ ଅଧିକ ସାମିଲ୍ ଥିବା ଜଟଣୀ ଥାନା ପୁଲିସ୍ ଜାଣିବାକୁ ପାଇଛି । ଏନେଇ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ୍ ମୀନକେତନଙ୍କ ସହଯୋଗୀ ଗଗନ ଶ୍ରୀଚନ୍ଦନଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ଜଟଣୀ ପୁଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ, ଧଉଳି ଥାନା ଲିଙ୍ଗିପୁର ପ୍ଲଟ୍ ନମ୍ବର ୧୭୪୦/୩୮୨୫ରେ ରହିଛି ‘ସିକ୍ୟୋର ଭାଲ୍ୟୁ ଅଫ୍ ଇଣ୍ଡିଆ ଲିଃ’ର ଅଫିସ୍ । ଏହି ସଂସ୍ଥାର କାମ ହେଲା ଏଟିଏମ୍ରେ ଟଙ୍କା ଭରିବା । ସଂସ୍ଥା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍ର ଦାୟିତ୍ୱ ନେଇଛି । ଜଟଣୀ ଓ ଖୋର୍ଦ୍ଧାରେ ଥିବା ଆକ୍ସିସ୍, ଆଇସିଆଇସିଆଇ ଓ ଏସ୍ବିଆଇର ଏଟିଏମ୍ରେ ଟଙ୍କା ଲୋଡ୍ କରୁଛି । ଏଟିଏମ୍ରେ ଟଙ୍କା ଭରିବାକୁ ହେଲେ ଦୁଇ ଜଣ କର୍ମଚାରୀ ଆବଶ୍ୟକ । କାରଣ ଦୁଇ ଜଣଙ୍କ ପାଖରେ ୨ଟି ଚାବି ରହେ । ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳରେ ୫ଟି ଏଟିଏମ୍ରେ ଟଙ୍କା ଲୋଡ୍ କରୁଥିଲେ ମୀନକେତନ ଓ ଗଗନ । ଗତ ୩ ବର୍ଷ ହେବ ଏମାନେ ଟଙ୍କା ହଡ଼ପ କରୁଥିଲେ । ୩ ବର୍ଷ ମଧ୍ୟରେ ଏକ କୋଟି ୮୦ ଲକ୍ଷ ଟଙ୍କା ଉଠାଇ ନେଇଥିଲେ । ମୀନକେତନ ଓ ଗଗନ ଟଙ୍କା ହଡପ୍ କରିବା ବିଷୟରେ ସଂସ୍ଥାର ବରିଷ୍ଠ କର୍ମଚାରୀ ତାପସ, ନିଗମ ଓ ଦେବାଶିଷ ଜାଣିଥିଲେ । ଏହି ୩ ଜଣ ମୀନକେତନ ଓ ଗଗନଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ । ହଡ଼ପ ଟଙ୍କାରୁ ଭାଗ ନେଉଥିଲେ ।
ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ଅଡିଟ୍ ହୁଏ । ତେବେ ଏଟିଏମ୍ରୁ ଟଙ୍କା କମ୍ ଥିବା ଜଣାପଡ଼ିଲେ ହ୍ୟାକରମାନେ ହ୍ୟାକ୍ କରି ଟଙ୍କା ନେଇ ଯାଇଛନ୍ତି ବୋଲି ଏମାନେ ଥାନାରେ ଅଭିଯୋଗ କରନ୍ତି । ଅନ୍ୟପକ୍ଷରେ ସଂସ୍ଥାର ଡେପୁଟି ମ୍ୟାନେଜର ବିଭିନ୍ନ ଆଳରେ ଏହି ୫ଟି ଏଟିଏମ୍ର ଅଡିଟ୍ କରାଇ ଦିଅନ୍ତି ନାହିଁ । ଗତ ୫ ତାରିଖରେ ସଂସ୍ଥାର କିଛି ବରିଷ୍ଠ ଅଧିକାରୀ ଅଡିଟ୍ ଆରମ୍ଭ କରିଥିଲେ । ୧୧ ତାରିଖରେ ଅଡିଟ୍ ସମ୍ପୂର୍ଣ୍ଣ ହୋଇ ଜଣା ପଡ଼ିଥିଲା ୩ ବର୍ଷ ମଧ୍ୟରେ ୧ କୋଟି ୮୦ ଲକ୍ଷ ଟଙ୍କା ହେରଫେର ହୋଇଛି । ୧୨ ତାରିଖରେ ଜଟଣୀର ୨ ଟି ଏଟିଏମ୍ରେ ଟଙ୍କା ଲୋଡ୍ କରିବାକୁ ଯାଇଥିଲେ ମୀନକେତନ, ଗଗନ ଓ ଅନ୍ୟ ଜଣେ କର୍ମଚାରୀ । ଏହି ସମୟରେ ମୀନକେତନ ଖବର ପାଇଥିଲେ ଯେ ଟଙ୍କା ହଡ଼ପ ଘଟଣା ଅଫିସ ଜାଣିସାରିଛି । ସଂସ୍ଥା ଥାନାରେ ଏତଲା ଦେବାକୁ ଯୋଜନା କରିଛି ।
ଏଥିରେ ମୀନକେତନ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରିବାକୁ ଯୋଜନା କରିଥିଲେ । ଫେରିଲାବେଳେ ଜଟଣୀର ଏକ ନିଛାଟିଆ ଜାଗାରେ ଥିବା ଏକ ଚା’ ଦୋକାନ ପାଖରେ ଗାଡ଼ି ରଖିବାକୁ କହିଥିଲେ ମୀନକେତନ । ଚା’ ପିଇବାକୁ ସମସ୍ତଙ୍କୁ ଡାକିଥିଲେ । ସୁରକ୍ଷାକର୍ମୀ ଗାଡ଼ିରେ ବନ୍ଧୁକ ରଖି ତାଙ୍କ ସହ ଆସିଥିଲେ । ତେବେ ଏହି ସମୟରେ ମୀନକେତନ ଗାଡି ଭିତରେ ଥିବା ବନ୍ଧୁକକୁ ନେଇ ନିଜ ଉପରକୁ ଗୁଳି ମାରିଥିଲେ । ହେଲେ ଗୁଳି ତାଙ୍କ କାନରେ ବାଜିଥିଲା । ଖବର ପାଇ ଜଟଣୀ ଥାନା ପୁଲିସ୍ ସେଠାରେ ପହଞ୍ଚିଥିଲା । ତାଙ୍କୁ ପ୍ରଥମେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଏନେଇ ଜଟଣୀ ଥାନା ପୁଲିସ୍ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତନାଘନା । ପୁଲିସ୍ ଗଗନକୁ ଅଟକ ରଖି ପଚରାଉଚରା କରିଛି । ତାପସ, ନିଗମ ଓ ଦେବାଶିଷଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି ହୋଇଛି ବୋଲି ପୁଲିସ୍ କହିଛି । ଉକ୍ତ ଦେଢ଼ କୋଟି ଟଙ୍କାରେ ଅଭିଯୁକ୍ତମାନେ ଜମି, କାର୍ କିଣିବା ସହ ଗାଁରେ ଘର ମଧ୍ୟ କରିଥିବା ଜଣାପଡ଼ିଛି ।
ଘଟଣା ସମ୍ପର୍କରେ ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ କହିଛନ୍ତି, ଏଥିରେ ସଂସ୍ଥାର ଆଉ କିଛି ଲୋକଙ୍କ ଲିଙ୍କ୍ ରହିଛି । ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଗିରଫ କରାଯିବ । ତେବେ ଏମାନେ କେତେ ଟଙ୍କା ହଡ଼ପ୍ କରିଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନି । ଏହା ପଛରେ ଏକ ବଡ଼ ଗ୍ୟାଙ୍ଗ୍ କାମ କରୁଥିବା ଜଣାପଡିଛି ।
Comments are closed, but trackbacks and pingbacks are open.