
ପୁରୀ,(ବି.ବି.ନୁ୍ୟଜ): ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୬ ଜଣ ବ୍ରାଉନ୍ସୁଗର୍ ବେପାରୀଙ୍କୁ ଗିରଫ କରିଛି । କୁମ୍ଭାରପଡ଼ା, ବାସେଳୀ ସାହି ଓ ବଳିଆପଣ୍ଡା ଥାନା ପୁଲିସ ଏହି ବେପାରୀଙ୍କୁ ଗିରଫ କରିଥିବାବେଳେ ୩୫୦ ଗ୍ରାମ୍ ବ୍ରାଉନ୍ସୁଗର୍ ଜବତ କରିଛି । ଏହାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଏସ୍ପି କେ.ବିଶାଲ୍ ସିଂହ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହ ଏକ କାର୍ ଓ ମୋପେଡ ଜବତ କରିଛି ପୁଲିସ । ଗିରଫ ବେପାରୀଙ୍କ ମଧ୍ୟରୁ ମା’ ଓ ପୁଅ ଥିଲେ ଏହି କାରବାରର କିଙ୍ଗ୍ପିନ୍ ।
କୁମ୍ଭାରପଡ଼ା ଥାନା ପୁଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ କିଙ୍ଗ୍ପିନ୍ ମା’ ଓ ପୁଅ ସେମାନଙ୍କ ଭିତରେ ରହିଛନ୍ତି । ଉଭୟ ହେଲେ ଗୋଖାସାହିର ଝରଣା ପଣ୍ଡା ଓରଫ ଗୀତା ବେହେରା (୪୦) ଓ ପୁଅ ରାଜେଶ ପଣ୍ଡା (୨୨) । ଅନ୍ୟ ୫ ଜଣ ବେପାରୀ ହେଲେ ନରେନ୍ଦ୍ରକୋଣ ମଙ୍ଗଳାସାହିର ଦୀପକ ନାୟକ (୨୨), ଆକୁନା ଓରଫ ଅଜୟ ନାୟକ (୨୦), ବୁଦ୍ଧିଆ ନାୟକ (୨୦), ଦିଲ୍ଲୀପ ନାୟକ (୨୧) ଓ ଅଠରନଳାର ପ୍ରସନ୍ନ ପ୍ରଧାନ (୩୫) । ଏଥିସହ କୁମ୍ଭାରପଡ଼ା ଥାନାରେ ଗତ ବର୍ଷ ରୁଜୁ ହୋଇଥିବା ବ୍ରାଉନ୍ସୁଗର୍ ଜବତ ମାମଲା (୩୦୪/୨୦)ରେ ଫେରାର୍ ଥିବା ନରେନ୍ଦ୍ରକୋଣର ଚିକୁ ଦାସ ଓରଫ ଭୋଇ (୨୫)କୁ ବି ଗିରଫ କରିଛି ପୁଲିସ ।
ସେହିପରି ବାସେଳୀ ସାହି ଥାନା ପୁଲିସ ଗିରଫ କରିଥିବା ୪ ଜଣ ବେପାରୀ ହେଲେ ଗୋଖାସାହିର କାଳୁ ଚରଣ ବେହେରା ଓରଫ କାଳିଆ (୩୦), ଚନ୍ଦନ ମଙ୍ଗରାଜ (୨୯), ନରେନ୍ଦ୍ରକୋଣ ମଙ୍ଗଳାସାହିର ମହନ୍ତ ନାୟକ (୩୨) ଓ ଶଙ୍କର ମଲ୍ଲିକ (୩୨) । ବଳିଆପଣ୍ଡା ଥାନା ପୁଲିସ ଗିରଫ କରିଥିବା ୪ବେପାରୀ ହେଲେ ଲୋକନାଥ ରୋଡ ଥାନାପତି ଲେନ୍ର ସଞ୍ଜୟ ଦାସ (୪୦), ବଳିଆପଣ୍ଡା ବିନାୟକ ସାହିରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ବାଲିପାଟପୁର କଲୋନିର ମାଧବ ମଣ୍ଡଳ (୩୫), ନରେନ୍ଦ୍ରକୋଣ ମଙ୍ଗଳାସାହିର ରାମଚନ୍ଦ୍ର ଦୋରା (୨୩) ଓ ରମେଶ ନାୟକ (୨୭) ।
ଏସ୍ପି ଶ୍ରୀ ସିଂହ କହିଛନ୍ତି ଯେ, କିଛିଦିନ ଧରି ସହରରେ ବ୍ରାଉନ୍ସୁଗର୍ କାରବାର ବୃଦ୍ଧି ପାଇଛି । ଯାହା ଉପରେ ପୁଲିସ ନଜର ରଖି କାର୍ଯ୍ୟ ଆରମ୍ଭ କରିଥିବା କହିଛନ୍ତି ।
Comments are closed, but trackbacks and pingbacks are open.